ଅନୁଗୁଳ: ବାବୁଙ୍କ ବଡ଼ପଣ ଅନ୍ୟମାନଙ୍କ ପାଇଁ ଉଦାହରଣ ସାଜିଛି। ଅବସର ନେଇଥିବା ଜଣେ ସଫେଇ କର୍ମଚାରୀଙ୍କୁ ସମ୍ମାନର ସହ ନିଜ କାର୍ର ଆଗ ସିଟ୍ରେ ବସାଇ ବଡ଼ ହୋଟେଲକୁ ନେଲେ। ରେସ୍ତୋରାଁର ଗୋଟିଏ ଟେବୁଲରେ ପାଖରେ ବସାଇ ଭଳିକି ଭଳି ସୁଆଦିଆ ଖାଦ୍ୟ ଖୁଆଇଲେ। ପରେ ଉତ୍ତରୀୟ ଓ ସମ୍ମାନପତ୍ର ଦେଇ ଘରେ ଛାଡ଼ିଲେ। ୩୨ ବର୍ଷ ହେଲା ଅନୁଗୁଳ ପୌରପାଳିକାରେ ସଫେଇ କର୍ମଚାରୀ ଭାବେ କାମ କରୁଥିବା ଲକ୍ଷ୍ମଣ ଗୋଚ୍ଛାୟତଙ୍କର ଆଜି ଥିଲା ଚାକିରିର ଶେଷଦିନ। ଏଥିପାଇଁ ନିର୍ବାହୀ ଅଧିକାରୀ ସତ୍ୟପ୍ରକାଶ ତ୍ରିପାଠୀଙ୍କୁ ଦେଖା କରିବାକୁ ଗତକାଲି ଆସିଥିଲେ ଲକ୍ଷ୍ମଣ। ନିର୍ବାହୀ ଅଧିକାରୀ ପଚାରିଥିଲେ, ମୁଁ ତୁମ ପାଇଁ କ’ଣ କରିପାରିବି? ନିରୀହ ଲକ୍ଷ୍ମଣ ଛୋଟ ଇଚ୍ଛାଟିଏ ଜାହିର କଲେ; ବାବୁଙ୍କ ସହ ବସି ହୋଟେଲରେ ଏକାଠି ଖାଇଥାନ୍ତି। ତା’ ପରେ ଏମିତି କିଛି ଘଟିଗଲା, ଯାହା ଲକ୍ଷ୍ମଣ ସ୍ବପ୍ନରେ କେବେ ଭାବି ନ ଥିଲେ। ଲକ୍ଷ୍ମଣଙ୍କୁ ନିଜ କାର୍ର ଆଗ ସିଟ୍ରେ ବସାଇ ଅନୁଗୁଳ ସହରର ଏକ ବଡ଼ ହୋଟେଲକୁ ନେଲେ।
ନିଜ କାର୍ରେ ହୋଟେଲ୍କୁ ନେଇ ସୁସ୍ବାଦୁ ଖାଦ୍ୟ ଖୁଆଇଲେ
ଉତ୍ତରୀୟ, ସମ୍ମାନପତ୍ର ଦେଇ ଘରେ ଛାଡ଼ିଲେ
ରେସ୍ତୋରାଁରେ ଟେବୁଲ ବୁକ୍ କରି ଲକ୍ଷ୍ମଣଙ୍କ ପାଇଁ ସୁପ୍, ପାମ୍ପଡ଼, ଛତୁ, ପନିର, ରୁଟି ସମେତ ଆଇସକ୍ରିମ୍ ଯାଏଁ ଭଳିକି ଭଳି ସୁସ୍ବାଦୁ ଖାଦ୍ୟ ଅର୍ଡର କରି ଖୁଆଇଲେ। ତାଙ୍କ ସାଥୀରେ ନିଜେ ବି ଖାଇଲେ। ଏତିକିରେ ସରିନଥିଲା ବାବୁଙ୍କ ବଡ଼ପଣିଆ। ଲକ୍ଷ୍ମଣଙ୍କୁ ପୌର ଅଫିସରେ ଉତ୍ତରୀୟ, ମାନପତ୍ର ଦେଲେ। ହାତ ଖର୍ଚ୍ଚ ବି ଦେଲେ। ଶେଷରେ କାର୍ରେ ବସାଇ ଘରକୁ ନେଇ ଛାଡ଼ିଥିଲେ। ନିର୍ବାହୀଙ୍କ ଅଧିକାରୀଙ୍କ ଏଭଳି ମହତପଣିଆ ଦେଖି ଲକ୍ଷ୍ମଣଙ୍କ ଆଖିରେ ଲୁହ ଆସିଯାଇଥିବା ବେଳେ ତାଙ୍କ ପରିବାର ଲୋକଙ୍କ ଖୁସି କହିଲେ ନସରେ। ୧୯୯୩ରୁ ଅନୁଗୁଳ ପୌରପାଳିକାରେ ଠିକା ସଫେଇ କର୍ମଚାରୀ ଭାବେ କାମ କରିଆସିଛନ୍ତି ଲକ୍ଷ୍ମଣ। କିଛି ବର୍ଷ ତଳେ ଲକ୍ଷ୍ମଣ ନିଜଆଡ଼ୁ ରାତିରେ ସହର ସଫା କରିବା ଆରମ୍ଭ କରିଥିଲେ। ଯାହାକୁ ଦେଖି ଅନୁଗୁଳ ପୌରପାଳିକା ରାତ୍ରକାଳୀନ ସଫେଇ କାର୍ଯ୍ୟକ୍ରମ ଆରମ୍ଭ କରିଥିଲା। ସଫେଇ କର୍ମଚାରୀଙ୍କ ପରିଶ୍ରମ ଯୋଗୁ ନିକଟରେ ଅନୁଗୁଳ ପୌରପାଳିକା ସ୍ବଚ୍ଛ ବାୟୁ ସର୍ବେକ୍ଷଣରେ ତୃତୀୟ ସ୍ଥାନ ପାଇଛି। ତେଣୁ ସେ ଏହି ସମ୍ମାନର ହକ୍ଦାର ବୋଲି କହିଛନ୍ତି ନିର୍ବାହୀ ଅଧିକାରୀ ଶ୍ରୀ ତ୍ରିପାଠୀ।