ଅନୁଗୁଳ: ତାଳଚେରସ୍ଥିତ ପବିତ୍ରମୋହନ ପ୍ରଧାନ ମେଡିକାଲ କଲେଜର ଟିଚିଂ ହସ୍‌ପିଟାଲ୍‌ ଭାବେ ଅନୁଗୁଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ବ୍ୟବହାର କରାଯିବ। ପ୍ରାଥମିକ ପର୍ଯ୍ୟାୟରେ ଏଠାରେ ରୋଗୀ ସେବା ଆରମ୍ଭ କରିବାକୁ ସରକାର ନିଷ୍ପତ୍ତି ନେଇଛନ୍ତି। ମେଡିକାଲ କଲେଜ ପାଇଁ ଡାକ୍ତର ନିଯୁକ୍ତି ପ୍ରକ୍ରିୟା ଚାଲିଥିଲା ବେଳେ ଆସନ୍ତା ମେ’ ପହିଲାରୁ ଲୋକମାନେ ଏଠାରୁ ଚିକିତ୍ସା ସେବା ପାଇବେ। ଏହା ପୂର୍ବରୁ ସମସ୍ତ ଆନୁଷଙ୍ଗିକ ବ୍ୟବସ୍ଥା ଶେଷ କରିବାକୁ ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ଜୋରଦାର ପ୍ରସ୍ତୁତି ଚାଲିଛି। 

Advertisment

ପବିତ୍ର ମୋହନ ‌ପ୍ରଧାନ (ପିଏମ୍‌ପି) ମେଡିକାଲ କଲେଜ ପାଇଁ ତାଳଚେରରେ କୋଠା ନିର୍ମାଣ ଶେଷ ହୋଇଥିବା ବେଳେ ସେଠା‌ରେ ଥିବା କେନ୍ଦ୍ରୀୟ ଡାକ୍ତରଖାନାକୁ ଟିଚିଂ ହସ୍‌ପିଟାଲ ଭାବେ ବ୍ୟବହାର କରିବାକୁ ନିଷ୍ପତ୍ତି ହୋଇଥିଲା। ଏଣୁ ସରକାର ଏହି ଡାକ୍ତରଖାନାକୁ ନିଜ ହାତକୁ ଆଣିବା ସହ ଏହାକୁ ପବିତ୍ର ମୋହନ ପ୍ରଧାନ ସରକାରୀ ଡାକ୍ତରଖାନା ଭାବେ ନାମିତ କରିଥିଲେ। କିନ୍ତୁ ଏଠାରେ ରୋଗୀ ସଂଖ୍ୟା ନ ବଢ଼ିବା ଓ ଅନ୍ୟାନ୍ୟ ଭିତ୍ତିଭୂମି ଅଭାବ ପାଇଁ ଅନୁଗୁଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ପ୍ରାଥମିକ ପର୍ଯ୍ୟାୟରେ ଟିଚିଂ ହସ୍‌ପିଟାଲ୍‌ ଭାବେ ବ୍ୟବହାର କରିବାକୁ ନିଷ୍ପତ୍ତି ନିଆଯାଇଛି। ମେଡିକାଲ କଲେଜ ପାଇଁ ନିଯୁକ୍ତ ପ୍ରଫେସର, ଆସୋସିଏଟ୍‌ ପ୍ରଫେସର, ସିନିୟର ରେସିଡେଣ୍ଟ, ଜୁନିୟର ରେସିଡେଣ୍ଟ ଓ ଅନ୍ୟ ଡାକ୍ତରମାନେ ଯୋଗ ଦେଉଛନ୍ତି। ଏହା ଭିତରେ ପାଖାପାଖି ଶହେ ଜଣ ଡାକ୍ତର ଯୋଗ ଦେବା ସହ ଅନୁଗୁଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ରୋଗୀ ଦେଖା ଆରମ୍ଭ କରିଛନ୍ତି। ଏହାସହିତ ବିଭିନ୍ନ ବିଭାଗର ଓପିଡି ଓ ଆଇପିଡି ଖୋଲିବା ଲାଗି ପ୍ରସ୍ତୁତି ଚାଲିଛି।

ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ହେବ ଟିଚିଂ ହସ୍‌ପିଟାଲ
ଶେଷ ପର୍ଯ୍ୟାୟରେ ପ୍ରସ୍ତୁତି, ଯୋଗ ଦେଲେଣି ୧୦୦ ଡାକ୍ତର

ମେଡିକାଲ କଲେଜ ଶୈଳୀରେ ଚିକିତ୍ସା ପାଇଁ ବିଭିନ୍ନ ବିଭ‌ାଗ କାର୍ଯ୍ୟକ୍ଷମ କରିବାକୁ ଜାଗା ଚିହ୍ନଟ ପ୍ରକ୍ରିୟା ଚାଲିଛି। ପରେ ଆବଶ୍ୟକ ଉପକରଣ ଖଞ୍ଜାଯିବ। ଆଉ ୨ ସପ୍ତାହ ଭିତରେ ଏ ସମସ୍ତ ପ୍ରକ୍ରିୟା ଶେଷ କରିବାକୁ ଲକ୍ଷ୍ୟ ଧାର୍ଯ୍ୟ ହୋଇଛି। ସବୁ କିଛି ଶେଷ ହେଲା ପରେ ମେ’ ପହିଲାରୁ ଲୋକମା‌ନେ ମେଡିକାଲ କଲେଜ ହସ୍‌ପିଟାଲରୁ ସେବା ପାଇବେ। ଏ ନେଇ ଅନୁଗୁଳ ସିଡିଏମ୍‌ଓ ଡା. ଶିବାନନ୍ଦ ମହାନ୍ତି କହିଛନ୍ତି, ମେଡିକାଲ କଲେଜ ପାଇଁ ପାଖାପାଖି ଶହେ ଡାକ୍ତର ଯୋଗ ଦେଲେଣି। ଏଥିରେ ପ୍ରଫେସର୍‌ ଓ ଆସୋସିଏଟ୍‌ ପ୍ରଫେସର୍‌ ଅଛନ୍ତି। ସେମାନେ ଏବେ ରୋଗୀ ଦେଖିବା ଆରମ୍ଭ କଲେଣି। ଚଳିତ ମାସ ଶେଷ ସୁଦ୍ଧା ବିଭିନ୍ନ ବିଭାଗ ଖୋଲିବା ସହ ମେ’ ପହିଲାରୁ ଆନୁଷ୍ଠାନିକ ଭାବେ ମେଡିକାଲ କଲେଜ ହସ୍‌ପିଟାଲରେ ରୋଗୀ ସେବା ଆରମ୍ଭ ହେବ।

ଏପଟେ ଚଳିତ ଶିକ୍ଷା ବର୍ଷରୁ ତାଳଚେରସ୍ଥିତ ପବିତ୍ରମୋହନ ପ୍ରଧାନ ମେଡିକ‌ା‌ଲ କଲେଜରେ ପାଠପଢ଼ା ହେବ। ପ୍ରାଥମିକ ପର୍ଯ୍ୟାୟରେ ଏଠାରେ ୧୦୦ଟି ଏମ୍‌ବିବିଏସ୍‌ ଆସନରେ ପାଠପଢ଼ା ଆରମ୍ଭ କରିବାକୁ ଯୋଜନା ହୋଇଛି। ଏଥିପାଇଁ ଜାତୀୟ ମେଡିକାଲ କମିସନ୍‌ (ଏନ୍‌ଏମ୍‌ସି) ପାଖରେ ଆବେଦନ କରାଯାଇଛି। କମିସନ୍‌ର ଏକ ଟିମ୍‌ ଚଳିତମାସରେ ଏଠାକୁ ପରିଦର୍ଶନରେ ଆସିବାର ସମ୍ଭାବନା ରହିଛି। ଏନ୍‌ଏମ୍‌ସି ଟିମ୍‌ ଆସିବା ପୂର୍ବରୁ ଜୋରଦାର ପ୍ରସ୍ତୁତି ଚଳାଇଛି ସ୍ବାସ୍ଥ୍ୟ ବିଭାଗ। ସେହିପରି ଅନୁଗୁଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଥିବା ୩ ଶହ ଶଯ୍ୟାକୁ ବୃଦ୍ଧି କରି ୪୨୦ ଶଯ୍ୟା କରାଯାଇଛି।