ଅନୁଗୁଳ/ଢେଙ୍କାନାଳ: ଅନୁଗୁଳ ଓ ଢେଙ୍କାନାଳରେ ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିର୍ବାଚନୀ ପ୍ରଚାର କରିଛନ୍ତି। ଅନୁଗୁଳ ଷ୍ଟାଡିୟମ୍ଠାରେ ଆୟୋଜିତ କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ରାଜ୍ୟରେ ଜାରି ରହିଥିବା ବିଭିନ୍ନ ଯୋଜନା ଭଲ କି ନୁହେଁ ପ୍ରଶ୍ନ କରିଥିଲେ। ବିଏସ୍କେୱାଇ ଯୋଜନା, ମିସନ୍ ଶକ୍ତି, ମମତା ଯୋଜନା, ଲକ୍ଷ୍ମୀ ବସ୍, ୫-ଟି, ସ୍କଲାରସିପ୍, କାଳିଆ, ମଧୁବାବୁ ପେନ୍ସନ୍, ଚାଉଳ କାର୍ଡ, ମା’ ସମଲେଇ ଓ ପୁରୀ ଶ୍ରୀଜଗନ୍ନାଥ ପ୍ରକଳ୍ପ କାମ ଭଲ କି ବୋଲି ଉପସ୍ଥିତ ଲୋକଙ୍କୁ ପଚାରିଥିଲେ। ଏହି ଅବସରରେ ନବୀନ କହିଥିଲେ, ଜୁଲାଇରୁ ବିଜୁଳି ବିଲ୍ ଆସିବ ନାହିଁ। ବିରୋଧୀ ଦଳ ମିଛ କଥା କହୁଛନ୍ତି। କୁମ୍ଭୀର କାନ୍ଦଣା କାନ୍ଦୁଛନ୍ତି। ତାହାକୁ ନ ଶୁଣି ଆପଣମାନେ ବିଜୁ ଜନତା ଦଳର ସାଂସଦ ଓ ବିଧାୟକ ପ୍ରାର୍ଥୀଙ୍କୁ ଶଙ୍ଖ ଚିହ୍ନରେ ଭୋଟ୍ ଦେଇ ଆଶୀର୍ବାଦ କରନ୍ତୁ।
ପରେ ବିଜେଡି ନେତା ଭି. କେ. ପାଣ୍ଡିଆନ କହିଥିଲେ, ମୁଖ୍ୟମନ୍ତ୍ରୀଙ୍କ ପ୍ରତି ଭଲ ପାଇବା ଦେଖି ଜଣା ପଡ଼ୁଛି ଏ ମାଟିର କେନ୍ଦ୍ର ମନ୍ତ୍ରୀ କାହିଁକି ସମ୍ବଲପୁରକୁ ନିଜକୁ କୋରିୟର୍ କରିଦେଲେ। ଏ ମାଟିର ଜୋସ୍ ଦେଖି ସେ ଡରିକି ପଳେଇଥିବା ଏଥିରୁ ସ୍ପଷ୍ଟ ଜଣାପଡ଼ୁଛି। ସେ ଆହୁରି କହିଥିଲେ, ଜୁନ୍ ୯ ତାରିଖ ସକାଳ ସାଢ଼େ ୧୧ଟାରୁ ୧ଟା ଭିତରେ ନବୀନ ପଟ୍ଟନାୟକ ଷଷ୍ଠ ଥର ପାଇଁ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ। ନବୀନ ପଟ୍ଟନାୟକଙ୍କ ମାଗଣା ବିଜୁଳି ସ୍କିମ୍ ଶୁଣି ବିଜେପିବାଲାଙ୍କ ଦେହରେ କରେଣ୍ଟ ଲାଗି ଯାଇଛି। କିନ୍ତୁ ନବୀନ ବାବୁଙ୍କ ପ୍ରଥମ ଦସ୍ତଖତରେ ବିଜୁଳି ବିଲ୍ ଛାଡ଼ ହେବ। ଦ୍ବିତୀୟ ଦସ୍ତଖତରେ ରାଜ୍ୟର ସମସ୍ତଙ୍କ ପାଇଁ ବିଜୁ ସ୍ବାସ୍ଥ୍ୟକଲ୍ୟାଣ କାର୍ଡ ଲାଗୁ କରାଯିବ। ସରକାରୀ ଚାକିରିଆ ବି ଏହି ସୁବିଧା ପାଇପାରିବେ। ତୃତୀୟ ଦସ୍ତଖତରେ ମିସନ୍ ଶକ୍ତି ମା’ମାନେ ୬୦ବର୍ଷ ବୟସ ପରେ ପେନସନ୍ ପାଇବେ। ଏହା ନବୀନଙ୍କର ଟ୍ରିପଲ୍ ଗ୍ୟାରେଣ୍ଟି ବୋଲି ସେ କହିଥିଲେ।
ପାଣ୍ଡିଆନ ଆହୁରି କହିଥିଲେ, ପ୍ରଧାନମନ୍ତ୍ରୀ ବାରମ୍ବାର ଓଡ଼ିଶା ଆସି କହୁଛନ୍ତି ଓଡ଼ିଶାକୁ ଏକ ନମ୍ବର କରିବେ। ତିନି ଜଣ ମୁଖ୍ୟମନ୍ତ୍ରୀ ଆସି କହୁଛନ୍ତି ଓଡ଼ିଶାକୁ ଏକ ନମ୍ବର କରିବେ। ବହୁ କେନ୍ଦ୍ର ମନ୍ତ୍ରୀ ଆସି କହୁଛନ୍ତି ଓଡ଼ିଶାକୁ ଏକ ନମ୍ବର କରିବେ। ତାହାହେଲେ ସେମାନେ ନିଜ ରାଜ୍ୟକୁ କେତେ ନମ୍ବର କରିବେ ବୋଲି ସେ ପ୍ରଶ୍ନ କରିଥିଲେ। ସେ ଆହ୍ବାନ କରିଥିଲେ, ସେମାନେ ଓଡ଼ିଶାର ସବୁଠାରୁ ଲମ୍ବା ସମୟ ଧରି ଶାସନ କରିଥିବା ମୁଖ୍ୟମନ୍ତ୍ରୀ ନବୀନ ବାବୁଙ୍କ ପାଖକୁ ଆସି ଶିଖନ୍ତୁ, ଗୋଟିଏ ରାଜ୍ୟକୁ କେମିତି ରୂପାନ୍ତରୀକରଣ କରାଯାଏ। ୨୫ବର୍ଷ ହେଲା ଗୁଜୁରାଟରେ ଡବଲ ଇଞ୍ଜିନ୍ ସରକାର ଚାଲୁଛି, ଏକ ନମ୍ବର କାହିଁକି ହୋଇପାରିଲାନି ବୋଲି? ତେଣୁ ଓଡ଼ିଶାକୁ କେବଳ ଏକ ନମ୍ବର ମୁଖ୍ୟମନ୍ତ୍ରୀ ହିଁ ଏକ ନମ୍ବର କରିପାରିବେ ବୋଲି ସେ କହିଥିଲେ। ୨୫ ତାରିଖରେ ଯୋଡ଼ି ଶଙ୍ଖ ଚିହ୍ନରେ ଭୋଟ୍ ଦେଇ ବିରୋଧୀଙ୍କୁ କଡ଼ା ଜବାବ ଦେବାକୁ ସେ ଆହ୍ବାନ ଦେଇଥିଲେ।
କାର୍ଯ୍ୟକ୍ରମରେ ଢେଙ୍କାନାଳ ସାଂସଦ ପ୍ରାର୍ଥୀ ଡାକ୍ତର ଅବିନାଶ ସାମଲ, ଅନୁଗୁଳ ବିଧାୟକ ପ୍ରାର୍ଥୀ ସଂଯୁକ୍ତା ସିଂହ, ତାଳଚେର ବିଧାୟକ ପ୍ରାର୍ଥୀ ବ୍ରଜକିଶୋର ପ୍ରଧାନ ଓ ପାଳଲହଡ଼ା ବିଧାୟକ ପ୍ରାର୍ଥୀ ମୁକେଶ କୁମାର ପାଳ ମଞ୍ଚାସୀନ ଥିଲେ। ଢେଙ୍କାନାଳରେ ଆୟୋଜିତ କାର୍ଯ୍ୟକ୍ରମ ମଞ୍ଚରେ ମହିମା ସାଧୁମାନେ ମୁଖ୍ୟମନ୍ତ୍ରୀଙ୍କୁ ଆଶୀର୍ବାଦ ପ୍ରଦାନ କରିଥିଲେ। ୫-ଟି ଅଧ୍ୟକ୍ଷ ଭି କେ ପାଣ୍ଡିଆନ, ଢେଙ୍କାନାଳ ବିଧାୟକ ପ୍ରାର୍ଥୀ ସୁଧୀର ସାମଲ, ହିନ୍ଦୋଳ ବିଧାୟକ ପ୍ରାର୍ଥୀ ମହେଶ ସାହୁ, କାମାକ୍ଷାନଗର ବିଧାୟକ ପ୍ରାର୍ଥୀ ପ୍ରଫୁଲ୍ଲ ମଲ୍ଲିକ, ପର୍ଜଙ୍ଗ ବିଧାୟକ ପ୍ରାର୍ଥୀ ଡାକ୍ତର ନୃସିଂହ ଚରଣ ସାହୁ ଓ ଢେଙ୍କାନାଳ ସାଂସଦ ପ୍ରାର୍ଥୀ ଡାକ୍ତର ଅବିନାଶ ସାମଲ ପ୍ରମୁଖ ମଞ୍ଚାସୀନ ଥିଲେ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2024/05/gdgdgjdjdjg.jpg)