ଅନୁଗୁଳ: ଅନୁଗୁଳ ଜିଲ୍ଲାରେ ୫ଟି ବିଧାନସଭା ନିର୍ବାଚନ ମଣ୍ଡଳୀ ଥିବା ବେଳେ ଏଠାରୁ ବହୁ ହେଭିୱେଟ୍‌ ବିଧାନସଭାକୁ ଯାଇଛନ୍ତି। ହେଲେ ଆଜି ପର୍ଯ୍ୟନ୍ତ ଜିଲ୍ଲାର କୌଣସି ନିର୍ବାଚନମଣ୍ଡଳୀରେ ଜଣେ ହେଲେ ମହିଳା ବିଧାନସଭାକୁ ନିର୍ବାଚିତ ହୋଇନାହାନ୍ତି। ୬୮ ବର୍ଷର ନିର୍ବାଚନୀ ଇତିହାସରେ କ୍ବଚିତ୍‌ ମହିଳା ପ୍ରାର୍ଥୀ ହୋଇଥିବା ବେଳେ ଭୋଟର୍‌ କିନ୍ତୁ ଅଧିକାଂଶ କ୍ଷେତ୍ରରେ ସେମାନଙ୍କୁ ବାଛିବାକୁ ଉଚିତ ମଣିନାହାନ୍ତି। ତଥ୍ୟ କହୁଛି, ୧୯୮୦, ୧୯୮୫, ୧୯୯୦, ୨୦୦୦, ୨୦୦୪ ମସିହାରେ ଜଣେ ବି ମହିଳା ଅନୁଗୁଳ ବିଧାନସଭା କ୍ଷେତ୍ରରେ ନିର୍ବାଚନ ଲଢ଼ି ନଥିଲେ। ୧୯୯୫ରେ ସୁମିତ୍ରା ଦାଶ ସ୍ବାଧୀନ ପ୍ରାର୍ଥୀ ଭାବେ ଲଢ଼ିବା ସହ ୪୮୧ ଖଣ୍ଡ ଭୋଟ୍‌ ପାଇଥିଲେ। ଏହାର ୧୪ବର୍ଷ ପରେ ୨୦୦୯ ନିର୍ବାଚନରେ ଦୁଇ ଜଣ ମହିଳା ନାମାଙ୍କନପତ୍ର ଦାଖଲ କରିଥିଲା ବେଳେ ସେମାନଙ୍କ ମଧ୍ୟରୁ ଜଣେ ନିର୍ବାଚନରୁ ଓହରି ଯାଇଥିଲେ। ତେବେ ସମୃଦ୍ଧ ଓଡ଼ିଶା ଟିକେଟରେ ଲଢ଼ିଥିବା ସଂଘମିତ୍ରା ପ୍ରଧାନଙ୍କୁ ୧୨୪୦ ଖଣ୍ଡ ଭୋଟ୍‌ରେ ସନ୍ତୁଷ୍ଟ ହେବାକୁ ପଡ଼ିଥିଲା। ୨୦୧୪ରେ ଏସ୍‌ୟୁସିଆଇ ବ୍ୟାନର୍‌ରେ ନିର୍ବାଚନ ଲଢ଼ି ମନ୍ଦୋଦରୀ ରାଉଳ ୯୫୬ ଖଣ୍ଡ ଭୋଟ ପାଇଥିବା ବେଳେ ୨୦୧୯ରେ ପୁଣି ଏସ୍‌ୟୁସିଆଇରୁ ଦ୍ବିତୀୟ ଥର ପ୍ରାର୍ଥୀ ହୋଇ ୫୨୯ ଖଣ୍ଡ ଭୋଟ୍‌ ପାଇଥିଲେ।

Advertisment

ଭାରତୀୟ ନିର୍ବାଚନ ଆୟୋଗଙ୍କ ସୂତ୍ରରୁ ଜଣାପଡ଼େ, ୨୦୦୦ ମସିହା ପର୍ଯ୍ୟନ୍ତ ଆଠମଲ୍ଲିକ ବିଧାନସଭ କ୍ଷେତ୍ରରେ ଜଣେ ବି ମହିଳା ପ୍ରାର୍ଥୀଙ୍କୁ ଦେଖିବାକୁ ମିଳି ନଥିଲା। ୨୦୦୦ ମସିହାରେ ପ୍ରଥମ କରି ବହୁଜନ ସମାଜବାଦୀ ପାର୍ଟିରୁ ଶାନ୍ତି ବେହେରା ନିର୍ବାଚନ ଲଢ଼ି ୧୮୨୪ଖଣ୍ଡ ଭୋଟ୍‌ ପାଇଥିଲେ। ୨୦୦୪ରେ ସେ ପୁଣି ବି‌ଏସ୍‌ପିରୁ ପ୍ରାର୍ଥୀ ହୋଇ ୧୨୮୭ଖଣ୍ଡ ଭୋଟ୍‌ ଓ ୨୦୦୯ରେ ସ୍ବାଧୀନ ଭାବେ ଲଢ଼ି ୯୯୫ଖଣ୍ଡ ଭୋଟ୍‌ ପାଇଥିଲେ। ସେହିବର୍ଷ କଂଗ୍ରେସ୍‌ ଟିକେଟରେ ମୌସୁମୀ ପ୍ରଧାନ ପ୍ରାର୍ଥୀ ହୋଇ ୪୨ହଜାର ୪୦୭ ଖଣ୍ଡ ଭୋଟ୍‌ ପାଇବା ସହ ଦ୍ବିତୀୟ ସ୍ଥାନରେ ରହିଥିଲେ। ୨୦୧୪ ଓ ୨୦୧୯ରେ ଏଠାରୁ ଜଣେ ବି ମହିଳା ପ୍ରାର୍ଥୀ ହୋଇ ନଥିଲେ। ସେହିଭଳି ୨୦୦୪ ନିର୍ବାଚନରେ ପ୍ରଥମ କରି ଜଣେ ମହିଳା ପାଳଲହଡ଼ା ଆସନରୁ ପ୍ରାର୍ଥୀ ହୋଇଥିଲେ ହେଁ, ତାଙ୍କ ନାମାଙ୍କନପତ୍ର ଖାରଜ ହୋଇଥିଲା। ଏହାର ୧୦ବର୍ଷ ପରେ ସମତାକ୍ରାନ୍ତି ଦଳରୁ ଗୋଲାପ ସାହୁ ପ୍ରାର୍ଥୀ ହୋଇ କଇଁଚି ଚିହ୍ନରେ ୭୫୯ ଖଣ୍ଡ ଭୋଟ୍‌ ପାଇଥିଲେ। ଅବଶ୍ୟ ୨୦୧୯ରେ ୩ଜଣ ମହିଳା ଏଠାରୁ ପ୍ରାର୍ଥୀ ହୋଇଥିଲେ। ସିପିଏମ୍‌ରୁ ମୀନା ପ୍ରଧାନ ୧୭୭୫ଖଣ୍ଡ, ଏସ୍‌ୟୁସିଆଇ(ସି)ରୁ ନିର୍ମଳା ପ୍ରଧାନଙ୍କୁ ୭୯୬ଖଣ୍ଡ ଓ ସ୍ବାଧୀନ ପ୍ରାର୍ଥିନୀ ସରୋଜିନୀ ସାହୁଙ୍କୁ ୭୦୭ଖଣ୍ଡ ଭୋଟ୍‌ ମିଳିଥିଲା।

ଅନ୍ୟପଟେ ୧୯୯୦ ମସିହା ନିର୍ବାଚନରେ ତାଳଚେର ଆସନରୁ ଜନତା ଦଳରୁ ପ୍ରାର୍ଥୀ ହୋଇ ଗୋଲାପି ବେହେରା ୧୨ହଜାର ୧୭୭ଖଣ୍ଡ ଭୋଟ୍‌ ପାଇଥିଲେ। ସେହିବର୍ଷ ବୃନ୍ଦାବନ ବେହେରା ସ୍ବାଧୀନ ପ୍ରାର୍ଥୀ ଭାବେ କଂଗ୍ରେସ ପ୍ରାର୍ଥୀ ଗୋପବନ୍ଧୁ ନାଏକଙ୍କୁ ୧୭ ହଜାର ଭୋଟରେ ହରାଇଥିଲେ। ୧୯୯୫ରେ ଏଠାରୁ ୩ଜଣ ମହିଳା ନିର୍ବାଚନରେ ପ୍ରତିଦ୍ବନ୍ଦ୍ବିତା କରୁଥିଲେ। ବିଜେପିର ମହେଶ ସାହୁଙ୍କୁ ସେହିବର୍ଷ ଟକ୍କର ଦେଉଥିଲେ କଂଗ୍ରେସର ସରୋଜିନୀ ସେଠୀ। ତେବେ ସେ ୨୩ ହଜାର ୨୫୮ ଖଣ୍ଡ ଭୋଟରେ ସନ୍ତୁଷ୍ଟ ହୋଇଥିବା ବେଳେ ପୂର୍ବତନ ବିଧାୟକ ବୃନ୍ଦାବନ ବେହେରାଙ୍କଠାରୁ ଅଧିକ ଭୋଟ୍‌ ପାଇ ଦ୍ବିତୀୟ ସ୍ଥାନରେ ରହିଥିଲେ। ସେହିପରି ସ୍ବାଧୀନ ପ୍ରାର୍ଥିନୀ ଶାନ୍ତିଲତା ବେହେରା ୫୮୦ ଓ ଅହଲ୍ୟା ନାଏକ ୪୧୫ ଖଣ୍ଡ ଭୋଟ୍‌ ପାଇଥିଲେ। ୨୦୦୪ରେ ସ୍ବାଧୀନ ପ୍ରାର୍ଥିନୀ ସସ୍ମିତା ବେହେରା ୧୨ହଜାର ୮୨୦ ଖଣ୍ଡ ଭୋଟ୍‌ ପାଇ ତୃତୀୟ ସ୍ଥାନରେ ଥିବା ବେଳେ ଅହଲ୍ୟା ନାଏକଙ୍କୁ ମିଳିଥିଲା ୯୮୦ଖଣ୍ଡ ଭୋଟ୍‌। ୨୦୦୯ରେ ସମୃଦ୍ଧ ଓଡ଼ିଶା ଦଳ  ପ୍ରାର୍ଥିନୀ ରୀତାରାଣୀ ଦାସଙ୍କୁ ୧୨୨୭ ଓ ସ୍ବାଧୀନ ପ୍ରାର୍ଥିନୀ ମାନସୀ ସ୍ବାଇଁଙ୍କୁ ୮୬୨ ଖଣ୍ଡ ଭୋଟ ମିଳିଥିଲା।

୨୦୧୪ରେ ତାଳଚେର ଆସନରୁ ୩ଜଣ ମହିଳା ନିର୍ବାଚନ ମଇଦାନକୁ ଓହ୍ଲାଇଥିଲା ବେଳେ ଜଣେ ଶେଷ ମୁହୂର୍ତ୍ତରେ ଓହରି ଯାଇଥିଲେ। କଂଗ୍ରେସ୍‌ ଟିକେଟରେ ସସ୍ମିତା ବେହେରା ୧୪ହଜାର ୩୮୦ ଭୋଟ‌୍ ପାଇ ତୃତୀୟ ସ୍ଥାନରେ ରହିଥିଲେ। ସ୍ବାଧୀନ ଭାବେ ଲଢ଼ି ଅନିତା ମହାନ୍ତି ୨୯୧ ଖଣ୍ଡ ଭୋଟ୍‌ ପାଇଥିଲେ। ୨୦୧୯ରେ ଏଠାରେ ଜଣେ ବି ମହିଳା ପ୍ରାର୍ଥୀ ହୋଇ ନଥିଲେ। ୨୦୦୯ରେ ନୂଆ କରି ସୃଷ୍ଟି ହୋଇଥିବା ଛେଣ୍ଡିପଦା ଆସନରେ ବି ମହିଳା ପ୍ରାର୍ଥୀଙ୍କ ଯୋଗଦାନ ଆଖିଦୃଶିଆ ନୁହେଁ। ନୂଆ ନିର୍ବାଚନ ମଣ୍ଡଳୀରେ ପ୍ରଥମ କରି ୨ଜଣ ମଇଦାନକୁ ଓହ୍ଲାଇଥିବା ବେଳେ ଜଣଙ୍କର ନାମାଙ୍କନପତ୍ର ଖାରଜ ହୋଇଥିଲା ଓ ଆର୍‌ପିଆଇ(ଏ) ଦଳରୁ ମିଲି ନାଏକ ଲଢ଼ି ୨୧୯୬ ଖଣ୍ଡ ଭୋଟ୍‌ ପାଇଥିଲେ। ୨୦୧୪ରେ କେହି ପ୍ରାର୍ଥିନୀ ନଥିବା ବେଳେ ୨୦୧୯ରେ ତାଳଚେର ଛାଡ଼ି ସସ୍ମିତା ଆସିଥିଲେ ଛେଣ୍ଡିପଦାରୁ ଲଢ଼ିବାକୁ। କିନ୍ତୁ ଏଥର ବି ତାଙ୍କୁ ୧୬ହଜାର ୫୮୮ ଖଣ୍ଡ ଭୋଟ୍‌ ସହ ତୃତୀୟ ସ୍ଥାନରେ ରହିବାକୁ ପଡ଼ିଥିଲା। ମୋଟାମୋଟି ଦେଖିବାକୁ ଗଲେ, ପୂରା ଜିଲ୍ଲାର ଭୋଟର୍‌ ବିଧାନସଭା ଆସନରେ ମହିଳା ପ୍ରତିନିଧିତ୍ବକୁ ଆଜିଯାଏଁ ସ୍ବୀକାର କରିପାରିନାହାନ୍ତି। ଏପଟେ ସରକାର ମହିଳା ସଶକ୍ତିକରଣକୁ ଗୁରୁତ୍ବ ଦେଉଥିବା ବେଳେ ଚଳିତଥର ଶାସକ ବିଜେଡି ଅଧିକ ମହିଳା ମୁହଁ ଦେବାକୁ ଯାଉଥିବା ଚର୍ଚ୍ଚା ହେଉଛି। ତେଣୁ ସେ ଦୃଷ୍ଟି କୋଣରୁ ଯଦି କାହାକୁ ସୁଯୋଗ ମିଳେ, ତେବେ ଜିଲ୍ଲାରେ ପ୍ରଥମ ବିଧାୟିକା କିଏ ହେବେ ତାହା ଏବେ ଚର୍ଚ୍ଚାର ବିଷୟ।