ଗାଁ ଲୋକଙ୍କୁ ଗିରଫ କରିବାକୁ ଯାଇଥିବା ପୁଲିସକୁ ୪ଘଣ୍ଟା ଅଟକ ରଖିଲେ ଗ୍ରାମବାସୀ

ଅନୁଗୁଳ: ଅନୁଗୁଳ ବ୍ଲକ୍ ଅନ୍ତର୍ଗତ ପୁରୁଣାକୋଟ ଥାନା ସରଧାପୁର ଗ୍ରାମବାସୀଙ୍କୁ ଗିରଫ କରିବା ପାଇଁ ଯାଇଥିବା ପୁଲିସକୁ ଆଜି ଗାଁ ଲୋକମାନେ ୪ଘଣ୍ଟା ଅଟକ ରଖିଥିଲେ। ଏହାପରେ ଅନୁଗୁଳ ଓ ବନ୍ତଳା ଥାନା ପୁଲିସ ଆଉ ତିନି ପ୍ଲାଟୁନ ପୁଲିସ ନେଇ ଗାଁ ରେ ପହଞ୍ଚିବା ସହିତ ଲୋକମାନଙ୍କୁ ବୁଝାସୁଝା କରିଥିଲେ।
ସୂଚନା ଅନୁଯାୟୀ ମାଣିକଯୋଡ଼ି ପଞ୍ଚାୟତ କୁଲସର ଗ୍ରାମର ମାଗତା ନାଏକ ୫ବର୍ଷ ପୂର୍ବରୁ ସରଧାପୁର ଗ୍ରାମର ଏକ ଗୋଚର ଜମିରେ ଘର କରି ରହୁଥିଲେ। ସେହି ସ୍ଥାନରେ ଏକ ପାଣି ଟାଙ୍କି ନିର୍ମାଣ କରିବାକୁ କିଛିଦିନ ହେଲା ନିଷ୍ପତ୍ତି ନେଇଥିଲେ। ତାଙ୍କୁ ସେହି ସ୍ଥାନରୁ ଜାଗା ଛାଡ଼ିବାକୁ ଗ୍ରାମବାସୀମାନେ ଅନୁରୋଧ କରିଥିଲେ। ତେବେ ମାଗତା ସେହି ଛାଡ଼ିବାକୁ ରୋକଠୋକ ମନା କରୁଥିଲେ।


ଏ ସମ୍ପର୍କରେ ଗ୍ରାମବାସୀମାନେ ଅନୁଗୁଳ ଜିଲ୍ଲାପାଳ,ତହସିଲଦାରଙ୍କୁ ସମସ୍ୟାର ସମାଧାନ ନିମନ୍ତେ ଲିଖିତ ଅଭିଯୋଗ କରିଥିଲେ। କିନ୍ତୁ ପ୍ରଶାସନ କୌଣସି ପଦକ୍ଷେପ ନେଉନଥିବାରୁ ଗ୍ରାମର କେତେକ ଲୋକ ମାଗତା ନାଏକଙ୍କର ଘର ଭାଙ୍ଗିଦେଇଥିଲେ। ଏଥିରେ କ୍ଷୁବ୍ଧ ହୋଇ ଗ୍ରାମବାସୀମାନଙ୍କ ନାମରେ ପୁରୁଣାକୋଟ ଥାନାରେ ମାଗତା ଲିଖିତ ଅଭିଯୋଗ କରିଥିଲେ। ଆଜି ଭୋର ସାଢେ ୫ଟା ବେଳକୁ ପୁରୁଣାକୋଟ ଥାନା ଅଧିକାରୀ ବିକ୍ରମ ଜୟପୁରିଆ ଏକ ପ୍ଲାଟୁନ ପୁଲିସ ସହିତ ସରଧାପୁର ଗ୍ରାମରେ ପହଞ୍ଚି ଲୋକମାନଙ୍କୁ ଗିରଫ କରିବା ଘଟଣାକୁ ନେଇ ଗାଁ ଲୋକମାନେ ବିରୋଧ କରିବା ସହିତ ପୁଲିସକୁ ଗାଁରେ ଅଟକ ରଖିଥିଲେ।

ପରେ ଖବର ପାଇ ଅନୁଗୁଳ ତହସିଲଦାର ନେହେରୁ ମାଝୀ, ଅନୁଗୁଳ ଥାନା ଅଧିକାରୀ ରମେଶ ବିଶୋଇ, ବନ୍ତଳା ଥାନା ଅଧିକାରୀ ଗୀତାଞ୍ଜଳି ସାହୁ ଆଉ ୩ପ୍ଲାଟୁନ ଫୋର୍ସ ନେଇ ଗାଁରେ ପହଞ୍ଚିବା ସହିତ ଲୋକମାନଙ୍କୁ ବୁଝାସୁଝା କରିଥିଲେ।
ତେବେ ଗ୍ରାମର ୫ଜଣ ଲୋକଙ୍କୁ ଏହାର ସମାଧାନ ପାଇଁ ଅନୁଗୁଳ ଆରକ୍ଷୀ ଅଧିକ୍ଷକଙ୍କ ଅଫିସକୁ ଯିବାକୁ ପୁଲିସ ଅନୁରୋଧ କରିଥିଲେ। ଏହାପରେ ଲୋକମାନେ ଶାନ୍ତ ପଡ଼ିଥିଲେ।

ସମ୍ବନ୍ଧିତ ଖବର