କାମଚଳାଙ୍କ କାନ୍ଧରେ ଅନୁଗୁଳ ଜିଲ୍ଲା ‘ବିଜ୍ଞାନ ପର୍ଯ୍ୟବେକ୍ଷକ’ ଭାର!

ଅନୁଗୁଳ: କାମଚଳାଙ୍କ କାନ୍ଧରେ ଅନୁଗୁଳ ଜିଲ୍ଲା ବିଜ୍ଞାନ ପର୍ଯ୍ୟବେକ୍ଷକର ଭାର। ଜିଲ୍ଲାରେ ଶିକ୍ଷା ବିଭାଗ ଖୋଲିବା ଦିନଠାରୁ ବେଡ଼ାଶାସନର ସହକାରୀ ଶିକ୍ଷକ କେଦାର ବେହେରା ‘ଜିଲ୍ଲା ବିଜ୍ଞାନ ପର୍ଯ୍ୟବେକ୍ଷକ’ ପଦକୁ ମୁଣ୍ଡାଇ ଆସିଛନ୍ତି। ନିକଟରେ ପ୍ରଧାନ ଶିକ୍ଷକ ଭାବେ ତାଙ୍କର ପଦୋନ୍ନତି ହେବା ପରେ ବି ବିଜ୍ଞାନ ପର୍ଯ୍ୟବେକ୍ଷକର ଅତିରିକ୍ତ ଦାୟିତ୍ବ ତାଙ୍କୁ ଦିଆଯାଇଛି। ପ୍ରଧାନ ଶିକ୍ଷକ ହିସାବରେ ଗୋଟିଏ ସ୍କୁଲର ଗୁରୁ ଦାୟିତ୍ବ ସରକାର ତାଙ୍କ ଉପରେ ନ୍ୟସ୍ତ କରିଛନ୍ତି। ଏଭଳି ସ୍ଥିତିରେ ସାରା ଜିଲ୍ଲାର ବିଜ୍ଞାନ ପର୍ଯ୍ୟବେକ୍ଷଣର ଅତିରିକ୍ତ ଗୁରୁ ଦାୟିତ୍ବ କେଉଁ ହିସାବରେ ତାଙ୍କ ଉପରେ ଲଦି ଦିଆଯାଇଛି? ତାହାକୁ ନେଇ ପ୍ରଶ୍ନ ଉଠିଛି।

ପ୍ରାପ୍ତ ସୂଚନା ମୁତାବକ, ଅବିଭକ୍ତ ଢେଙ୍କାନାଳ ଜିଲ୍ଲାରୁ ଅନୁଗୁଳ ବିଭକ୍ତ ହେବାର କିଛି ବର୍ଷ ପରେ ୨୦୧୪ମସିହାରେ ଅନୁଗୁଳ ଜିଲ୍ଲା ଶିକ୍ଷା କାର୍ଯ୍ୟାଳୟ ଖୋଲିଥିଲା। ସେତେବେଳେ ଅନୁଗୁଳ ବ୍ଲକ୍‌ ବେଡାଶାସନ ସ୍କୁଲର ସହକାରୀ ଶିକ୍ଷକ ଶ୍ରୀ ବେହେରା ଅନୁଗୁଳ ଜିଲ୍ଲା ଶିକ୍ଷା କାର୍ଯ୍ୟାଳୟରେ ବିଜ୍ଞାନ ପର୍ଯ୍ୟବେକ୍ଷକ ଭାବେ ନିଯୁକ୍ତ ହୋଇଥିଲେ। ବିଜ୍ଞାନ ଯେମିତି ଏକ ଗୁରୁତ୍ବପୂର୍ଣ୍ଣ ବିଷୟ। ବିଜ୍ଞାନ ପର୍ଯ୍ୟବେକ୍ଷକ ପଦ ବି ତଦନୁସାରେ ବେଶ୍ ଗୁରୁତ୍ବ ବହନ କରେ। ବିଜ୍ଞାନ ମେଳାଠାରୁ ଆରମ୍ଭ କରି ବିଜ୍ଞାନ ପ୍ରକଳ୍ପ ପ୍ରସ୍ତୁତି, ବିଜ୍ଞାନ ତାଲିମ ବିଭିନ୍ନ କାର୍ଯ୍ୟକ୍ରମର ଆୟୋଜନ ତଥା ରାଜ୍ୟ ଓ ଦେଶରେ ଏହାର ସଫଳ ପ୍ରତିଫଳନ ବିଜ୍ଞାନ ପର୍ଯ୍ୟବେକ୍ଷକଙ୍କ କାର୍ଯ୍ୟଦକ୍ଷତା ଉପରେ ନିର୍ଭର କରେ।
ଶ୍ରୀ ବେହେରାଙ୍କୁ ଏହି ପଦବୀରେ ନିଯୁକ୍ତି କରିବାରେ ଇତିମଧ୍ୟରେ ଦୀର୍ଘ ଛଅ ବର୍ଷ ବିତିଗଲାଣି। ତାଙ୍କ ନେତୃତ୍ବରେ ଅନୁଗୁଳ ଜିଲ୍ଲାର ଛାତ୍ରଛାତ୍ରୀମାନେ ବିଜ୍ଞାନରେ ଏମିତି କି’ ଅଗ୍ରସର କରିଛନ୍ତି ଯେ ଜିଲ୍ଲାରେ ଶହ ଶହ ବିଜ୍ଞାନ ଶିକ୍ଷକ ଥାଉ ଥାଉ ମୁଖ୍ୟାଳୟର ଏହି ଗୁରୁତ୍ବପୂର୍ଣ୍ଣ ପଦବୀରେ ଗତ ଛଅ ବର୍ଷ ହେଲା ନିରବଚ୍ଛିନ୍ନ ଭାବେ ତାଙ୍କୁ ଆସୀନ କରାଯାଇଛି?
ସବୁଠାରୁ ଗୁରୁତ୍ବପୂର୍ଣ୍ଣ କଥା ହେଲା, ଜିଲ୍ଲା ବିଜ୍ଞାନ ପର୍ଯ୍ୟବେକ୍ଷକ ଦାୟିତ୍ବରେ ଥିବା ବେଳେ ନିକଟରେ ସରକାର ତାଙ୍କର ପଦୋନ୍ନତି କରିଛନ୍ତି। ଅନ୍ୟାନ୍ୟ ସହକାରୀ ଶିକ୍ଷକଙ୍କ ଭଳି ଶ୍ରୀ ବେହେରା ଅନୁଗୁଳ ପିଟିସି ହାଇସ୍କୁଲର ପ୍ରଧାନ ଶିକ୍ଷକ ଭାବେ ନିଯୁକ୍ତ ପାଇଛନ୍ତି। ପଦୋନ୍ନତିର କେଇଟା ଦିନ ମଧ୍ୟରେ ହାଇସ୍କୁଲରେ ଯୋଗ ବି ଦେଇ ସାରିଲେଣି। କିନ୍ତୁ, ପୁରୁଣା ବିଜ୍ଞାନ ପର୍ଯ୍ୟବେକ୍ଷକ ଭାର ତାଙ୍କ କାନ୍ଧରୁ ହଟାଯାଇ ନାହିଁ। ବରଂ ତାଙ୍କ ମୁଣ୍ଡରେ ପ୍ରଧାନ ଶିକ୍ଷକ ସହିତ ବିଜ୍ଞାନ ପର୍ଯ୍ୟବେକ୍ଷକର ଅତିରିକ୍ତ ଦାୟିତ୍ବ ଜିଲ୍ଲା ଶିକ୍ଷା ବିଭାଗ ଦେଇଛି।
ପ୍ରଧାନ ଶିକ୍ଷକ ପଦ ଗୋଟିଏ ସ୍କୁଲ ପାଇଁ ଯେତିକି ଗୁରୁତ୍ବପୂର୍ଣ୍ଣ, ବିଜ୍ଞାନ ପର୍ଯ୍ୟବେକ୍ଷକ ଦାୟିତ୍ବ ଜିଲ୍ଲା ପାଇଁ ତା’ଠାରୁ ଅଧିକ ଗୁରୁତ୍ବପୂର୍ଣ୍ଣ। ଜିଲ୍ଲାରେ ଶହ ଶହ ବିଜ୍ଞାନ ଶିକ୍ଷକ ଥାଉ ଥାଉ ଜିଲ୍ଲା ଶିକ୍ଷା ବିଭାଗ କେଉଁ କାରଣରୁ ଜଣେ ଅଧିକାରୀଙ୍କ ମୁଣ୍ଡରେ ଦୁଇଟି ଗୁରୁ ଦାୟିତ୍ବ ଦେଇଛି? ଦୀର୍ଘ ବର୍ଷ ହେଲା ଗୋଟିଏ ପଦବୀରେ ରହିଥିବା ଶ୍ରୀ ବେହେରାଙ୍କ ହାତରୁ ବିଜ୍ଞାନ ପର୍ଯ୍ୟବେକ୍ଷକ ପଦ ନ କାଢ଼ିବା ପଛରେ ଜିଲ୍ଲା ଶିକ୍ଷା ବିଭାଗର କିଛି ଭିନ୍ନ ଉଦ୍ଦେଶ୍ୟ ନାହିଁ ତ? ଶିକ୍ଷକ ମହଲରେ ଏହି ପ୍ରଶ୍ନ ଏବେ ଉଙ୍କି ମାରୁଛି।

ସମ୍ବନ୍ଧିତ ଖବର