ଢେଙ୍କାନାଳ ଜିଲ୍ଲା ପ୍ରଶାସନକୁ ତଦନ୍ତ ପାଇଁ ଏନ୍‌ଜିଟିଙ୍କ ନିର୍ଦେଶ

ଅନୁଗୁଳ-ସୁକିନ୍ଦା ରେଳପଥର ବେଆଇନ ନିର୍ମାଣ

ଭୁବନେଶ୍ୱର : ଅନୁଗୁଳ-ଡୁବୁରୀ-ସୁକିନ୍ଦା ରେଳପଥ ନିର୍ମାଣ କାର୍ଯ୍ୟରେ ଜଙ୍ଗଲ ଆଇନ ଉଲ୍ଲଂଘନ ହେବା ସହିତ ପରିବେଶ ମଞ୍ଜୁରି ନିଆଯାଇନଥିବା ଅଭିଯୋଗ ହୋଇଛି। ଏ ନେଇ ଆଗତ ଏକ ପିଟିସନ୍‌ର ଶୁଣାଣି କରି ନ୍ୟାସନାଲ୍‌ ଗ୍ରିନ୍‌ ଟ୍ରିବ୍ୟୁନାଲ୍‌(ଏନ୍‌ଜିଟି), କଲ୍‌କତା ପକ୍ଷରୁ ଢେଙ୍କାନାଳ ଜିଲ୍ଲା ପ୍ରଶାସନକୁ ତଦନ୍ତ କରିବାକୁ ନିର୍ଦେଶ ଦିଆଯାଇଛି।

ଏ ନେଇ ଅଭିଯୋଗକାରୀ ଶଶିଭୂଷଣ ପଟ୍ଟନାୟକ ଦର୍ଶାଇଛନ୍ତି ଯେ ଏହି ରେଳପଥର ୧୯-୪୭ କି.ମି. ନିର୍ମାଣ କାର୍ଯ୍ୟ ନିମନ୍ତେ କାମାକ୍ଷାନଗର, ପର୍ଜଙ୍ଗ ତହସିଲ୍‌ରୁ ଆବଶ୍ୟକ ଅନୁମତି ନିଆଯାଇନାହିଁ। ଫଳରେ ଜଙ୍ଗଲ ସଂରକ୍ଷଣ ଆଇନର ଧାରା-୨ ଉଲ୍ଲଂଘନ ହୋଇଛି। ସେହିପରି ଢେଙ୍କାନାଳ ଜିଲ୍ଲା ପରିବେଶ ପ୍ରଭାବ ଆକଳନ କର୍ତୃପକ୍ଷଙ୍କ ଅନୁମୋଦନ ମଧ୍ୟ ନିଆଯାଇନାହିଁ। ଏ ନେଇ ଅଭିଯୋଗକାରୀଙ୍କ ପକ୍ଷରୁ ଆଡ୍‌ଭୋକେଟ ଶଙ୍କର ପ୍ରସାଦ ପାଣି ଏନ୍‌ଜିଟିରେ ଯୁକ୍ତି ଉପସ୍ଥାପନ କରିଥିଲେ।

ଗତକାଲି ଏନ୍‌ଜିଟି, ପୂର୍ବାଞ୍ଚଳର ବିଚାରପତି ଏସ୍‌.ପି. ଓ୍ଵାଙ୍ଗଡି ଏହାର ଶୁଣାଣି କରି ଅଭିଯୋଗ ନେଇ ତଦନ୍ତ କରିବାକୁ ଢେଙ୍କାନାଳ ଜିଲ୍ଲା ପ୍ରଶାସନକୁ ନିର୍ଦେଶ ଦେଇଛନ୍ତିି। ତଦନ୍ତ ରିପୋର୍ଟରେ ଅଭିଯୋଗ ସତ୍ୟ ପ୍ରମାଣିତ ହେଲେ ସଂପୃକ୍ତ ନିର୍ମାଣ କାର୍ଯ୍ୟ ବନ୍ଦ ପାଇଁ ଉପଯୁକ୍ତ ପଦକ୍ଷେପ ନିଆଯିବ ବୋଲି ସେ କହିଛନ୍ତି। ଏ ନେଇ ମାମଲାର ପରବର୍ତୀ ଶୁଣାଣି ଆସନ୍ତା ଡିସେମ୍ବର ୫ ତାରିଖରେ ଅନୁଷ୍ଠିତ ହେବ।

ସମ୍ବନ୍ଧିତ ଖବର