ଅନୁଗୁଳ: କଣ୍ଟ ଥିଲା ୨୦୨୩ ଡିସେମ୍ବର। ଏବେ ୨୦୨୪ ସରିବା ଉପରେ ହେଲାଣି। ତଥାପି ଚାରିଟି ପ୍ରକଳ୍ପ ଭୂଇଁରୁ ଉଠିପାରୁନି। ଖରାଦିନେ ଲୋକେ ପିଇବା ପାଣି ପାଇଁ ଡହଳବିକଳ ହେଉଥିଲାବେଳେ ଟେଣ୍ଡର‌୍ ହାତେଇଥିବା ଅଣଓଡ଼ିଆ ଠିକାସଂସ୍ଥା ନିଘୋଡ଼ ନିଦରେ। ଏମିତିରେ ପ୍ରକଳ୍ପ ସରିବାକୁ ଆଉ କେତେଦିନ ଲାଗିବ, ତାହା ବି କେହି କହିପାରୁନାହାନ୍ତି।

Advertisment

   ଅନୁଗୁଳ ଜିଲ୍ଲାରେ ୬ଟି ମେଗା ପାନୀୟଜଳ ପ୍ରକଳ୍ପକୁ ଅନୁ‌ମୋଦନ ମିଳିଥିଲା। ତାଳଚେର, ଛେଣ୍ଡିପଦା, ବଅଁରପାଳ, ଆଠମଲ୍ଲିକ, ପାଳଲହଡ଼ାରେ ଏହି ପ୍ରକଳ୍ପ ହୋଇଥା’ନ୍ତା। ଗତ ୪ବର୍ଷ ଭିତରେ ଟେଣ୍ଡର୍‌ ହୋଇ କାମ ଆରମ୍ଭ ହୋଇଥିଲା। ଅଣଓଡ଼ିଆ ହାଇଦ୍ରାବାଦୀ ଠିକାସଂସ୍ଥା ଏନ୍‌ସିସି ହାତେଇଥିଲା ସମସ୍ତ ୬ଟି ଯାକ ପ୍ରକଳ୍ପର ଟେଣ୍ଡର୍‌। ହେଲେ ଇତିମଧ୍ୟରେ ମାତ୍ର ୨ଟି ପ୍ରକଳ୍ପ ଶେଷ ହୋଇଛି। ଆହୁରି ୪ଟି ପ୍ରକଳ୍ପର ୬୦ ପ୍ରତିଶତ କାମ ସରିନାହିଁ। ୨୦୨୩ରୁ ୨୦୨୪ ଡିସେମ୍ବର ଭିତରେ ୩ଟି ପ୍ରକଳ୍ପ ସରିବାର ଥିଲେ ସୁଦ୍ଧା ତାହା ସରିଲା ବେଳକୁ ୨୦୨୫ର ଅଧା ହୋଇଯିବ ବୋଲି ଅନୁମାନ କରାଯାଉଛି। ‌ମୋଟା ମୋଟି କହିବାକୁ ଗ‌‌ଲେ ଅନୁଗୁଳ ଜିଲ୍ଲାବାସୀ ଆସନ୍ତା ଖରାଦିନେ ବି ପାଇପ୍‌ ପାଣି ପାଇପାରିବେ ନାହିଁ। ଚାଲୁ ରହିଥିବା ୪ଟି ଯାକ ପ୍ରକଳ୍ପ ପାଇଁ ପ୍ରାୟ ଦେଢ଼ ହଜାର କୋଟିରୁ ଅଧିକ ବ୍ୟୟବରାଦ ହୋଇଛି। କିନ୍ତୁ ଠିକାସଂସ୍ଥାର ମନମାନି ପାଇଁ ଅନୁଗୁଳ ଜିଲ୍ଲାବାସୀ ପାଇପ୍‌ ଯୋଗେ ପିଇବା ପାଣି ପାଇବାରୁ ବଞ୍ଚିତ ହେବା ଜଳଜଳ ଦିଶୁଛି।
ତାଳଚେର, କଣିହାଁ ଓ ବଅଁରପାଳ ବ୍ଲକ୍‌ର କିଛି ପଞ୍ଚାୟତକୁ ନେଇ ୩୫୭ କୋଟିର ପ୍ରକଳ୍ପ ୨୦୨୩ ଅଗଷ୍ଟରେ ସରିଥାନ୍ତା। ଏହାଦ୍ବାରା ୧୨୪ଟି ଗାଁର ଲୋକେ ପାଇପ୍‌ ପାଣି ପାଇଥାନ୍ତେ। ଛେଣ୍ଡିପଦା ବ୍ଲକ୍‌ରେ ୪୧୫ କୋଟି ବ୍ୟୟରେ ହେଉଥିବା ମେଗା ପାନୀୟଜଳ ପ୍ରକଳ୍ପ ମଧ୍ୟ ୨୦୨୩ ଅଗଷ୍ଟରେ ସରିଥାନ୍ତା।

ଦେଢ଼ ହଜାର କୋଟିର ମେଗା ପ୍ରକଳ୍ପ ସରୁନି
୬ ପ୍ରକଳ୍ପରୁ ୨ଟି ସରିଛି, ଆହୁରି ୪ ବାକି

 ଏହାଦ୍ବାରା ଛେଣ୍ଡିପଦା ବ୍ଲକର ୧୭୨ ଗାଁର ଲୋକେ ପିଇବା ପାଣିର ସୁବିଧା ପାଇଥାନ୍ତେ। ‌ଅନ୍ୟପଟେ ଅନୁଗୁଳ ଓ ବଅଁରପାଳ ବ୍ଲକ୍‌ର କିଛି ପଞ୍ଚାୟତକୁ ନେଇ ବଅଁରପାଳଠାରେ ହେଉଥିବା ପ୍ରକଳ୍ପ ସାରିବାକୁ ୨୦୨୫ ମାର୍ଚ୍ଚକୁ ଲକ୍ଷ୍ୟ ଧାର୍ଯ୍ୟ ହୋଇଛି। ଏହାଦ୍ବାରା ଦୁଇ ବ୍ଲକ୍‌ର ୨୭୮ ଗାଁରେ ପିଇବା ପାଣି ପହଞ୍ଚିବ। ସେହିପରି କିଶୋରନଗର ଓ ଆଠମଲ୍ଲିକ ବ୍ଲକ୍‌ ପାଇଁ କିଆକଟା ପାଖରେ ନିର୍ମାଣ ହେଉଛି ମେଗା ପ୍ରକଳ୍ପ। ୧୬୨ କୋଟି ବ୍ୟୟରେ ନିର୍ମିତ ଏହି ପ୍ରକଳ୍ପ ୨୦୨୪ ଅଗଷ୍ଟ ସୁଦ୍ଧା ସରିଥାନ୍ତା। ଏହାଦ୍ବାରା ଦୁଇ ବ୍ଲକ୍‌ର ୧୯୯ଟି ଗାଁରେ ପାଇପ୍‌ ପାଣି ପହଞ୍ଚିବାକୁ ଯୋଜନା କରାଯାଇଥିଲା। ପାଳଲହଡ଼ାରେ ୪୬୭ କୋଟି ବ୍ୟୟରେ ନିର୍ମିତ ମେଗା ପ୍ରକଳ୍ପ ଦ୍ବାରା ୨୬୩ଟି ଗାଁର ଲୋକଙ୍କୁ ପିଇବା ପାଣିର ସୁବିଧା ମିଳିବାକୁ ଥିଲାବେଳେ ଏଥିପାଇଁ ୨୦୨୪ ଡିସେମ୍ବରକୁ କଣ୍ଟ ରହିଛି।ଏ ସମ୍ପର୍କରେ ଗ୍ରାମ୍ୟ ଜଳଯୋଗାଣ ଓ ପରିମଳ ବିଭ‌ାଗ ନିର୍ବାହୀଯନ୍ତ୍ରୀ ସୌରଭ ଦୀକ୍ଷିତଙ୍କୁ ପଚାରିବାରୁ ସେ କହିଥି‌ଲେ, ଟେଣ୍ଡର୍‌ ପାଇଥିବା ଠିକାସଂସ୍ଥାକୁ ତାଗିଦ କରାଯାଇଛି। ବିଭିନ୍ନ କାରଣରୁ କାମ ବିଳମ୍ବ ହେଉଛି। ବିଭାଗ ପକ୍ଷରୁ ଲୋକଙ୍କୁ ଯୁଦ୍ଧକାଳୀନ ଭିତ୍ତିରେ ପାଇପ୍‌ ଯୋଗେ ପାନୀୟଜଳ ଦେବାକୁ ଚେଷ୍ଟା କରାଯାଉଛି। ୨୦୨୫ ପ୍ରଥମାର୍ଦ୍ଧ ସୁଦ୍ଧା ମେଗା ପ୍ରକଳ୍ପ ସାରିବାକୁ ଯୋଜନା ରହିଛି ବୋଲି ସେ ସୂଚନା ଦେଇଛନ୍ତି।