ଅନୁଗୁଳ: ଦୀପାବଳି ସନ୍ଧ୍ୟାରେ ସହର ଉପକଣ୍ଠ କୁମଣ୍ଡ ଗାଁରେ ଦୁଇ ଗୋଷ୍ଠୀ ମଧ୍ୟରେ ବିବାଦ ସୃଷ୍ଟି ହୋଇଛି। ଏହାକୁ ନେଇ ଘର ପୋଡ଼ି ଦିଆଯାଇଥିବା ଅଭିଯୋଗ ହୋଇଥିଲା ବେଳେ ସ୍କୁଟିକୁ ବି ଜାଳି ଦେଇଛନ୍ତି। ଗାଁରେ ତୀବ୍ର ଉତ୍ତେଜନା ପ୍ରକାଶ ପାଇଥିବାରୁ ପୁଲିସ ମୁତୟନ ହୋଇଛନ୍ତି।
ସୂଚନା ଅନୁସାରେ, କୁମଣ୍ଡ ଗାଁରେ କିଛି ଦିନ ହେଲା ଦୁଇ ଗୋଷ୍ଠୀଙ୍କ ଭିତରେ ବିବାଦ ସୃଷ୍ଟି ହୋଇଥିଲା। ଗତକାଲି ଜଣେ ବ୍ୟକ୍ତି ଗାଁ ଦାଣ୍ଡରେ ଟ୍ରଲି ରିକ୍ସା ନେଇ ଯାଉଥିଲା ବେଳେ ଜଣେ ଛୋଟ ପିଲା ସହ ଲାଗି ଯାଇଥିଲା। ଏହାକୁ ନେଇ କିଛି ଲୋକଙ୍କ ସହ ଟ୍ରଲି ଚାଳକଙ୍କ ଝଗଡ଼ା ହୋଇଥିଲା। ପରେ ଏହି ବିବାଦ ତୀବ୍ର ରୂପ ଧାରଣ କରିଥିଲା। ଏପରିକି କିଛି ଲୋକଙ୍କ ଘର ପୋଡ଼ି ଦିଆଯାଇଥିବା ଅଭିଯୋଗ ହୋଇଛି। ପୁଣି କିଛି ଗାଡ଼ି ପୋଡ଼ି ଦିଆଯାଇଛି। ଏଥିପାଇଁ ଦୁଇ ଗୋଷ୍ଠୀ ଭିତରେ ବିବାଦ ବଢ଼ିଥିଲା। ଏବେ ବି ଉଭୟ ପକ୍ଷ ମଧ୍ୟରେ ଛକାପଞ୍ଝା ଲାଗି ରହିଛି। ଗାଁରେ ଉତ୍ତେଜନା ସୃଷ୍ଟି ହୋଇଥିବାରୁ ପୁଲିସ ମୁତୟନ ହୋଇଛନ୍ତି। ଆଜି ଏ ସଂପର୍କରେ ଗୋଟିଏ ଗୋଷ୍ଠୀର ଶହ ଶହ ଲୋକ ଗାଁରେ ଏକଜୁଟ୍ ହୋଇ ବୈଠକ କରିବା ସହିତ ଭବିଷ୍ୟତ କାର୍ଯ୍ୟପନ୍ଥା ସଂପର୍କରେ ନିଷ୍ପତ୍ତି ନେଇଛନ୍ତି। ଅନ୍ୟପକ୍ଷରେ ଅପର ଗୋଷ୍ଠୀ ସଦର ଥାନା ଆଗରେ ବସି ରହିବା ସହ କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି। ଏ ନେଇ ଉଭୟ ପକ୍ଷରୁ ସଦର ଥାନାରେ ଅଭିଯୋଗ କରାଯାଇଛି। ପୁଲିସ ଘଟଣା ଉପରେ ନଜର ରଖିଥିଲା ବେଳେ ମାମଲାର ସମାଧାନ କରିବାକୁ ପ୍ରୟାସ କରୁଛି। ଶାନ୍ତିଶୃଙ୍ଖଳା ରକ୍ଷା କରିବା ପାଇଁ ଗାଁର ବିଭିନ୍ନ ସ୍ଥାନରେ ପୁଲିସ ମୁତୟନ କରାଯାଇଛି। ବିଳମ୍ବିତ ରାତି ପର୍ଯ୍ୟନ୍ତ ଗାଁରେ ଉତ୍ତେଜନାମୂଳକ ସ୍ଥିତି ଲାଗି ରହିଛି। ଉଭୟ ଗୋଷ୍ଠୀର ପରବର୍ତ୍ତୀ ପଦକ୍ଷେପ ଉପରେ ପୁଲିସ ନଜର ରଖିଛି।
ଏ ନେଇ ଏସ୍ଡିପିଓ ରମାକାନ୍ତ ମହାଳିକ କହିଛନ୍ତି, ଘଟଣା ଘଟିବା ପରେ ଶାନ୍ତିଶୃଙ୍ଖଳା ରକ୍ଷା କରିବା ପାିଁ ପୁଲିସ ମୁତୟନ କରାଯାଇଛି। ପରିସ୍ଥିତି ଉପରେ ତୀକ୍ଷ୍ଣ ନଜର ରଖାଯାଇଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/media_files/2025/10/22/untitled-12-2025-10-22-07-00-26.jpg)