ଶେଷ ହେଉନି ପାନୀୟ ଜଳ ପ୍ରକଳ୍ପ: ପୁଣି ଜଳକଷ୍ଟ ଭୋଗିବ ଅନୁଗୁଳ

ଅନୁଗୁଳ: ପ୍ରତି ଘରକୁ ମିଳିବ ବିଶୁଦ୍ଧ ପାନୀୟ ଜଳ। ଘରେ ଟ୍ୟାପ୍‌ ଖୋଲିଲେ ପାଣି ପାଇବେ ଲୋକେ। ଅନୁଗୁଳବାସୀଙ୍କୁ ଏମିତି ସ୍ବପ୍ନ ଦେଖାଇ ନିର୍ମାଣ ହେଉଛି ମେଗା ପାନୀୟ ଜଳ ପ୍ରକଳ୍ପ। ୮ଟି ବ୍ଲକ୍‌ ପାଇଁ ହେଉଛି ୮ଟି ମେଗା ପ୍ରକଳ୍ପ। କିନ୍ତୁ ଏହା ଶେଷ ହେବାର ନାଁ ଧରୁନି। ତେଣୁ ଆସନ୍ତା ଗ୍ରୀଷ୍ମରେ ଅନୁଗୁଳବାସୀ ପୁଣି ଜଳକଷ୍ଟ ଭୋଗିବା ଏକପ୍ରକାର ନିଶ୍ଚିତ। ଏପଟେ ମାର୍ଚ୍ଚ ସୁଦ୍ଧା ଛେଣ୍ଡିପଦା ଓ ତାଳଚେର ପ୍ରକଳ୍ପ କାମ ଶେଷ କରିବାକୁ ଲକ୍ଷ୍ୟ ରଖିଛି ଗ୍ରାମ୍ୟ ପାନୀୟ ଜଳ ବିଭାଗ। ଅନ୍ୟ ପ୍ରକଳ୍ପଗୁଡ଼ିକ ଏବେ ବି ଅନିଶ୍ଚିତତା ଭିତରେ ରହିଛି।

ଅନୁଗୁଳ ଜିଲ୍ଲାରେ ଜଳଉତ୍ସର ଅଭାବ ନାହିଁ। ରାଜ୍ୟର ଦୁଇ ବଡ଼ ନଦୀ ମହାନଦୀ ଓ ବ୍ରାହ୍ମଣୀ ଅନୁଗୁଳ ଜିଲ୍ଲା ଦେଇଯାଇଛି। ପୁଣି ବ୍ରାହ୍ମଣୀରେ ରେଙ୍ଗାଳିଠାରେ ଡ୍ୟାମ୍‌ କରାଯାଇଥିଲାବେଳେ ସମଲରେ ଏକ ବ୍ୟାରେଜ୍‌ କରି ପାଣି ଗଚ୍ଛିତ ରଖାହେଉଛି। ହେଲେ, ଅନୁଗୁଳବାସୀ ବିଶୁଦ୍ଧ ପାଣି ମୁନ୍ଦେ ପାଉନାହାନ୍ତି। ଏହାକୁ ଦୃଷ୍ଟିରେ ରଖି ପ୍ରଥମେ ୩ ଟି ମେଗା ଜଳଯୋଗାଣ ପ୍ରକଳ୍ପ ହାତକୁ ନିଆଯାଇଥିଲା। ଏଥିରୁ ଛେଣ୍ଡିପଦା ବ୍ଲକ୍‌ ପାଇଁ ୩୬୮.୯୩ କୋଟି ଟଙ୍କା ବ୍ୟୟରେ ଏହି ମେଗା ଜଳପ୍ରକଳ୍ପ କାର୍ଯ୍ୟକାରୀ ହେଉଥିଲାବେଳେ ଏଥିରୁ ୧୭୨ଟି ଗାଁର ଲୋକମାନେ ପାଣି ପାଇବେ। ଏହି ପ୍ରକଳ୍ପରେ ଆହୁରି ୩୬.୧୮ କିମି ପାଇପ୍‌ ଲାଇନ ବିଛାଇବା କାମ ବାକି ରହିଛି। ଦେଢ଼ ବର୍ଷ ହେଲା ଏହି ପ୍ରକଳ୍ପରୁ ପାଣି ମିଳିବ ବୋଲି କୁହାଯାଉଥିଲେ ମଧ୍ୟ ଆସନ୍ତା ମାର୍ଚ୍ଚ ପର୍ଯ୍ୟନ୍ତ ଟାର୍ଗେଟ୍‌ ବୃଦ୍ଧି କରାଯାଇଛି। ସେହିପରି, ତାଳଚେର, କଣିହାଁ ଓ ବଅଁରପାଳ ବ୍ଲକ୍‌ ପାଇଁ ୩୩୨.୯୩ କୋଟି ଟଙ୍କା ବ୍ୟୟରେ ମେଗା ପାନୀୟ ଜଳ ପ୍ରକଳ୍ପ ନିର୍ମାଣ କରାଯାଉଛି।

ସମଲ ବ୍ୟାରେଜ୍‌ରୁ ପାଣି ଆଣି ଏହି ୩ ବ୍ଲକ୍‌ର ୨୦୮ଟି ଗ୍ରାମକୁ ପିଇବା ପାଣି ଯୋଗାଇବାକୁ ଲକ୍ଷ୍ୟ ରଖାଯାଇଛି। କିନ୍ତୁ ବିଭିନ୍ନ କାରଣ ପାଇଁ କାମ ଧିମେଇ ଚାଲିବାରୁ ଏପର୍ଯ୍ୟନ୍ତ ଏହି ପ୍ରକଳ୍ପ ସମ୍ପୂର୍ଣ୍ଣ ହୋଇପାରିନି। ଆଉ ୯ କିମି ପାଇପ୍‌ ଲାଇନ ବିଛାଇବା କାମ ବାକି ଥିଲାବେଳେ ଆସନ୍ତା ମାର୍ଚ୍ଚ ସୁଦ୍ଧା କାମ ସାରିବାକୁ ଲକ୍ଷ୍ୟ ରଖାଯାଇଛି। ପାଳଲହଡ଼ା ବ୍ଲକ୍‌ ପାଇଁ ୪୧୨.୪୧ କୋଟି ଟଙ୍କା ବ୍ୟୟରେ ବୃହତ୍‌ ଜଳଯୋଗାଣ ପ୍ରକଳ୍ପ ହାତକୁ ନିଆଯାଇଛି। ୨୦୨୨ ମାର୍ଚ୍ଚ ସୁଦ୍ଧା ଏହା ଶେଷ କରି ଲୋକଙ୍କୁ ପିଇବା ପାଣି ଯୋଗାଇବାକୁ ଲକ୍ଷ୍ୟ ରଖାଯାଇଥିଲା। ଏହି ପ୍ରକଳ୍ପରୁ ୨୭୩ଟି ଗାଁର ଲୋକ ପିଇବା ପାଣି ପାଇବାକୁ ଅପେକ୍ଷା କରି ରହିଛନ୍ତି। କିନ୍ତୁ ପ୍ରକଳ୍ପର କାମ ଅଧା ବି ହୋଇନି। ୫୨ଟି ପାଣିଟାଙ୍କି ଭିତରୁ ମାତ୍ର ୧୦ଟି ନିର୍ମାଣ କରାଯାଇଥିଲା ବେଳେ ୩୮୩ କିମି ପାଇପ୍‌ ଲାଇନ୍‌ ବିଛାଇବା କାମ ବାକି ପଡ଼ିଛି। କାମ ସାରିବାକୁ ଠିକା ସଂସ୍ଥା ୨୦୨୪ ମାର୍ଚ୍ଚକୁ ସମୟ ମାଗିଥିଲେ ମଧ୍ୟ କାମ ଆାଗେଇ ପାରୁ ନ ଥିବାରୁ ଏହା ଆହୁରି ବିଳମ୍ବିତ ହେବାର ଆଶଙ୍କା ପ୍ରକାଶ ପାଇଲାଣି।

ତାଳଚେର ଓ କଣିହାଁ ବ୍ଲକ୍‌ର ୪୨ଟି ଗାଁକୁ ପାନୀୟ ଜଳ ଯୋଗାଇବା ପାଇଁ ୮୧.୯୫ କୋଟି ଟଙ୍କା ବ୍ୟୟରେ ଚାଲିଥିବା ପ୍ରକଳ୍ପ କାମ ବି ଶେଷ ହେବାର ନାଁ ଧରୁନି। ଆସନ୍ତା ଜୁନ୍‌ ପୂର୍ବରୁ ଏହା ଶେଷ ହୋଇପାରିବ ନାହିଁ ବୋଲି ଠିକାସଂସ୍ଥା ଜଣାଇ ଦେଇଛି। ଏପଟ ଆଠମଲ୍ଲିକ ଓ କିଶୋରନଗର ବ୍ଲକ୍‌ ପାଇଁ ଦୁଇଟି ମେଗା ଜଳଯୋଗାଣ ପ୍ରକଳ୍ପ ହାତକୁ ନିଆଯାଇଛି। ମହାନଦୀରୁ ପାଣି ଆଣି ଏହାକୁ ବିଶୋଧନ କରିବା ପରେ ଲୋକଙ୍କୁ ଯୋଗାଇ ଦିଆଯିବ। ପ୍ରଥମ ପ୍ରକଳ୍ପରୁ କିଶୋରନଗର ବ୍ଲକ୍‌ର ୨୩ଟି ପଞ୍ଚାୟତ ଓ ଆଠମଲ୍ଲିକ ବ୍ଲକ୍‌ର ୩ଟି ପଞ୍ଚାୟତକୁ ପାଣି ମିଳିବ। ଦ୍ବିତୀୟ ପ୍ରକଳ୍ପରୁ ଆଠମଲ୍ଲିକ ବ୍ଲକର ୨୧ଟି ପଞ୍ଚାୟତକୁ ପାନୀୟ ଜଳ ଯୋଗାଇ ଦିଆଯିବ। ଉଭୟ ପ୍ରକଳ୍ପ ପାଇଁ ୪୬୭.୪୮ କୋଟି ଟଙ୍କା ବ୍ୟୟ ଅଟକଳ ରହିଛି। ୨୪ ମାସ ଭିତରେ ଏହି କାମ ସାରିବାକୁ ଲକ୍ଷ୍ୟ ଧାର୍ଯ୍ୟ ହୋଇଥିଲେ ମଧ୍ୟ ଏ ପର୍ଯ୍ୟନ୍ତ ଏହାର ସ୍ଥାନ ନିର୍ଦ୍ଧାରଣ ପ୍ରକ୍ରିୟା ଶେଷ ହୋଇନି। ଅପରପକ୍ଷରେ, ଅନୁଗୁଳ ଓ ବଅଁରପାଳ ବ୍ଲକ୍‌କୁ ପାନୀୟ ଜଳ ଯୋଗାଣ ପାଇଁ ଆଉ ଦୁଇଟି ମେଗା ପ୍ରକଳ୍ପ ମଧ୍ୟ କରାଯିବ। ଟିକରପଡ଼ାର ଗଇଁଦି ନିକଟରୁ ମହାନଦୀରୁ ପାଣି ଅଣାଯାଇ ଏହା ଅନୁଗୁଳର ବିଭିନ୍ନ ଗାଁକୁ ଯୋଗାଇଦେବାକୁ ଲକ୍ଷ୍ୟ ରଖାଯାଇଛି। ଅନୁଗୁଳ ପ୍ରକଳ୍ପ ପାଇଁ ୩୦୪.୧୨ କୋଟି ଓ ବଅଁରପାଳ ପ୍ରକଳ୍ପ ପାଇଁ ୧୦୮.୮୩ କୋଟି ଟଙ୍କାର ବ୍ୟୟ ଅଟକଳ ରହିଛି। ହେଲେ ଏହି ଦୁଇ ପ୍ରକଳ୍ପ ପାଇଁ କାମ ଆରମ୍ଭ ହୋଇନି।

ସମ୍ବନ୍ଧିତ ଖବର