ଅନିକେତ୍ କନକ୍ଲେଭ୍‌ ଜମି, ଘର ଠକେଇ ମାମଲା: ୧୪ ବର୍ଷ ହେଲା ନ୍ୟାୟ ଅପେକ୍ଷାରେ ଶତାଧିକ ବ୍ୟକ୍ତି

କ୍ରାଇମବ୍ରାଞ୍ଚ ଇଓଡବ୍ଲୁ ଏସ୍‌ପିଙ୍କୁ ସ୍ମାରକପତ୍ର, ଚିତ୍ତ ଦାସଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ କେବେ?

କଟକ : ବିଲଡର୍‌ ତଥା ପୂର୍ବତନ କର୍ପୋରେଟର ଚିତ୍ତରଂଜନ ଦାସ ଆଉ କେତେ ଦିନ ଏଭଳି ଖୋଲା ବୁଲିବେ? ତାଙ୍କ ବିରୋଧରେ ପୁଲିସ ଆଉ କେବେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବ? ୧୪ ବର୍ଷ ହେଲା ଟଙ୍କା ଦେଇ ଠକି ଯାଇଥିବା ଶହେରୁ ଅଧିକ ଲୋକ ଏବେ ଏଭଳି ପ୍ରଶ୍ନ କରିଛନ୍ତି। କଟକ ମହାନଗର ନିଗମ ଏକ ନମ୍ବର ୱାର୍ଡର ପୂର୍ବତନ କର୍ପୋରେଟର, ବର୍ତ୍ତମାନର ବିଜେପି ନେତା ଚିତ୍ତରଂଜନ ଦାସଙ୍କ ବିରୋଧରେ ରହିଛି ଜମି ଓ ଟଙ୍କା ଦେଣନେଣରେ ଠକେଇ, ଧମକ ଦେଇ ଭୟଭୀତ କରାଇବା ଭଳି ସଂଗିନ ଅଭିଯୋଗ। ଓଡ଼ିଶା ପୁଲିସ କ୍ରାଇମବ୍ରାଞ୍ଚ ଏମିତିକି ମୁମ୍ବାଇ କ୍ରାଇମବ୍ରାଞ୍ଚରେ ରହିଛି ତାଙ୍କ ବିରୋଧରେ ମାମଲା। ପୂର୍ବରୁ ଅନ୍ୟ ଘଟଣାରେ ଶ୍ରୀ ଦାସ ଗିରଫ ହୋଇ ଜେଲ୍ ବି ଯାଇଛନ୍ତି। କିନ୍ତୁ ବିଳମ୍ବିତ ଅଦାଲତି ପ୍ରକ୍ରିୟା, ଓଡ଼ିଶା ପୁଲିସର କାର୍ଯ୍ୟାନୁଷ୍ଠାନରେ ନିଷ୍କ୍ରିୟତା ଯୋଗୁଁ ତାଙ୍କ ଦ୍ବାରା ଠକେଇର ଶିକାର ଶହେ ପାଖପାଖି ଲୋକ ଏବେ ନ୍ୟାୟ ପାଇଁ କ୍ରାଇମବ୍ରାଞ୍ଚ ଅର୍ଥନୈତିକ ଅପରାଧ ଶାଖା ଏସ୍‌ପିଙ୍କୁ ଭେଟି ସ୍ମାରକପତ୍ର ଦେଇଛନ୍ତି।

ଅଭିଯୋଗ ଅନୁଯାୟୀ ଖୋର୍ଦ୍ଧା ଜିଲ୍ଲା ପିପିଲି ଥାନା ଅନ୍ତର୍ଗତ ପୂବଶାସନ ଅଞ୍ଚଳରେ ଚିତ୍ତରଂଜନ ଦାସ ପ୍ରତିମା ବିଲ୍‌ଡର୍ସ ପ୍ରାଇଭେଟ୍ ଲିମିଟେଡ୍ ନାମକ ସଂସ୍ଥା ଜରିଆରେ ଜମି ଓ ଘର ଯୋଗାଇ ଦେବା ପାଇଁ ୨୦୦୬ ଓ ୨୦୦୮ରେ କେତେକ ଖବର କାଗଜରେ ବିଜ୍ଞାପନ ଦେଇଥିଲେ। ଭୁବନେଶ୍ବର ଉପକଣ୍ଠରେ ସହରାଞ୍ଚଳ ଅନୁରୂପ ଭିତ୍ତିଭୂମି ପ୍ରସ୍ତୁତ କରି ଅନିକେତ କନକ୍ଲେଭ୍‌ରେ ଜାଗା ଓ ଘର ଯୋଗାଇ ଦେବାର ଆକର୍ଷଣୀୟ ପ୍ରତିଶ୍ରୁତି ଦେଇଥିଲେ। କିନ୍ତୁ ବିଜ୍ଞାପନ ବାହାରିବା ପୂର୍ବରୁ ସେହି ପ୍ଲଟ୍‌କୁ ଏକାଧିକ ବ୍ୟକ୍ତିଙ୍କୁ ବିକ୍ରି କରାଯାଇ ସରିଥିଲା। ଏହି ପ୍ରକଳ୍ପ ପାଇଁ ଆନ୍ଧ୍ର ବ୍ୟାଙ୍କ (ୟୁନିଅନ୍ ବ୍ୟାଙ୍କ), ଆଇସିଆଇସିଆଇ ବ୍ୟାଙ୍କ, ଆକ୍ସିସ ବ୍ୟାଙ୍କ (ୟୁଟିଆଇ) ଓ ହୁଡକୋର ସ୍ବୀକୃତି ଥିବା ଦର୍ଶାଯାଇଥିଲା। କିନ୍ତୁ ଲୋକଙ୍କୁ ଦେଖା ଯାଇଥିବା ସେ ସବୁ ସ୍ବୀକୃତିପତ୍ର ପରେ ଜାଲ୍ ବୋଲି ଜଣା ପଡ଼ିଥିଲା। ଗୋଟିଏ ଗୋଟିଏ ପ୍ଲଟ୍‌କୁ ଏକାଧିକ ଲୋକଙ୍କୁ ବିକ୍ରି କରି ସେ ତାହା ଉପରେ ବିଭିନ୍ନ ବ୍ୟାଙ୍କରୁ ଋଣ ବି ଉଠାଇ ନେଇଥିଲେ। ପ୍ରସ୍ତାବିତ ଅନିକେତ କନକ୍ଲେଭ୍‌ରେ ‌ଏଭଳି ଢଙ୍ଗରେ ଏକାଧିକ ବ୍ୟାଙ୍କ ଓ ଆର୍ଥିକ ସଂସ୍ଥାର ଟଙ୍କା ଲାଗିଥିଲା। ପ୍ଲଟ୍ ଅଥବା ଘର କିଣିବାକୁ ଟଙ୍କା ଦେଇଥିବା ବ୍ୟକ୍ତିମାନେ ଠକାମିର ଶିକାର ହୋଇଥିବା ଜାଣି ଚିତ୍ତ ଦାସଙ୍କୁ ଖୋଜିବା ବେଳେ ସେ ଏକପ୍ରକାର ନିଖୋଜ ହୋଇଯାଇଥିଲେ। ଟଙ୍କା ଦେଣନେଣରେ ଠକେଇ ଅଭିଯୋଗରେ ସେତେବେଳେ ତାଙ୍କୁ ମୁମ୍ବାଇ କ୍ରାଇମବ୍ରାଞ୍ଚ ବି ଖୋଜୁଥିବା ଜଣାପଡିଥିଲା।

ଏଭଳି ସ୍ଥିତିରେ ଟଙ୍କା ଦେଇ ଫସିଥିବା ବ୍ୟକ୍ତିମାନେ ବିଭିନ୍ନ ଥାନାରେ ଅଭିଯୋଗ କରିବାକୁ ଯାଇଥିବା ବେଳେ ସେମାନଙ୍କୁ ପରୋକ୍ଷରେ ଧମକଚମକ ‌ଦିଆଯାଇଥିଲା। ଏମିତିକି ଥାନା ବି ଅଭିଯୋଗ ଗ୍ରହଣ କରି ନଥିଲା। ଫଳରେ ଅଭିଯୋଗକାରୀ ‌ନ୍ୟାୟ ପାଇଁ ଲୋକପାଳଙ୍କ ଦ୍ବାରସ୍ଥ ହୋଇଥିଲେ। ଲୋକପାଳଙ୍କ ହସ୍ତକ୍ଷେପ ପରେ କେତେକ ଥାନା ଅଭିଯୋଗ ଗ୍ରହଣ କରି ମାମଲା ରୁଜୁ କରିଥିଲେ। କିନ୍ତୁ ସେତେବେଳେ ଅନେକ ଅଭିଯୋଗକାରୀ କ୍ରାଇମବ୍ରାଞ୍ଚର ଦ୍ବାରସ୍ଥ ହେବା ‌ପରେ କ୍ରାଇମବ୍ରାଞ୍ଚ ୨୦୧୧ ନଭେମ୍ବର ୨୧ ତାରିଖରେ ଏ ସଂକ୍ରାନ୍ତରେ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଥିଲା। କଟକର ସ୍ବତନ୍ତ୍ର ଓପିଆଇଡି କୋର୍ଟରେ ବି ଏହାକୁ ନେଇ ମାମଲା ରୁଜୁ ହେଲା। କିନ୍ତୁ ଏହି ମାମଲା ଉପରେ ଚିତ୍ତ ଦାସ ହାଇକୋର୍ଟରୁ ୨୦୧୬ ଫେବ୍ରୁଆରି ୨୯ରେ ରହିତାଦେଶ ଆଣିବାରେ ସଫଳ ହୋଇଥିଲେ। ଜଷ୍ଟିସ ବି.କେ. ନାୟକଙ୍କ ଅଦାଲତରେ ଶୁଣାଣି ହୋଇଥିବା ସେହି ମାମଲା ପରବର୍ତ୍ତି ସମୟରେ ୨୦୨୦ ଜାନୁଆରି ୨୨ ତାରିଖରେ ଜଷ୍ଟିସ୍ ଏସ୍‌. ପୂଜାହାରୀଙ୍କ ଅଦାଲତକୁ ଯାଇଥିଲା। କିନ୍ତୁ ଜଷ୍ଟିସ ପୂଜାହାରୀ ସେହି ମାମଲାରୁ ଓହରି ଯିବାରୁ ବର୍ତ୍ତମାନ ଏହି ମାମଲା ହାଇକୋର୍ଟର ମୁଖ୍ୟ ବିଚାରପତିଙ୍କ କୋର୍ଟରେ ବିଚାରାଧୀନ ରହିଛି। କିନ୍ତୁ ୨୦୧୮ ମାର୍ଚ୍ଚ ୨୯ ତାରିଖ ସୁପ୍ରିମକୋର୍ଟଙ୍କ ରାୟ ଅନୁଯାୟୀ ସିଆର୍‌ପିସି ଧାରା ୪୮୨ର କୌଣସି ଆବେଦନ ଉପରେ କୋର୍ଟରେ ୬ ମାସରୁ ଅଧିକ ରହିତାଦେଶ ରହି ପାରିବ ନାହିଁ। ଏଭଳି ସ୍ପଷ୍ଟ ନିୟମ ରହିଥିଲେ ବି କ୍ରାଇମବ୍ରାଞ୍ଚ ଅର୍ଥନୈତିକ ଅପରାଧ ଶାଖା ଅଥବା ରାଜ୍ୟ ସରକାର ରହିତାଦେଶ ଉଠାଇବା ପାଇଁ ଅଦାଲତରେ ଆବେଦନ କରି ନାହାନ୍ତି।

ଠକେଇ, ଧମକଚମକ ଦେଇ ଭୟଭୀତ କରିବା ଭଳି ସଂଗିନ ଅଭିଯୋଗ ଥିବା ବ୍ୟକ୍ତିଙ୍କ ପ୍ରତି ସରକାର ଓ ପୁଲିସର ଶିଥିଳ ମନୋଭାବ ଯୋଗୁଁ ସେ ବର୍ଷବର୍ଷ ଧରି ଖୋଲା ବୁଲିବା ସହିତ ତାର ଫାଇଦା ଉଠାଇ ଚାଲିଛନ୍ତି। ତେଣୁ ଠକେଇର ଶିକାର ହୋଇଥିବା ପାଖାପାଖି ଶହେ ଲୋକଙ୍କ ସ୍ବାର୍ଥକୁ ଦୃଷ୍ଟି‌ରେ ରଖି ହାଇକୋର୍ଟରେ ରହିଥିବା ରହିତାଦେଶ ଉଠାଇବା ପାଇଁ ସରକାର ଅଥବା କ୍ରାଇମବ୍ରାଞ୍ଚ ଅର୍ଥନୈତିକ ଅପରାଧ ଶାଖା ହାଇକୋର୍ଟରେ ଆବେଦନ କରିବାକୁ ସ୍ମାରକପତ୍ରରେ ଦାବି କରାଯାଇଛି। ଅଭିଯୁକ୍ତଙ୍କ ବିରୋଧରେ ତୁରନ୍ତ ପଦକ୍ଷେପ ନେବାକୁ ମଧ୍ୟ ସ୍ମାରକପତ୍ରରେ ଦାବି କରାଯାଇଛି। ଏ ସଂପର୍କରେ ଅଭିଯୋଗକାରୀମାନେ ରାଜ୍ୟ ପୁଲିସ ମହାନିର୍ଦ୍ଦେଶକ, ୫-ଟି ସଚିବ, ଗୃହ ସଚିବଙ୍କ ମଧ୍ୟ ଦୃଷ୍ଟି ଆକର୍ଷଣ କରିଛନ୍ତି।

ସମ୍ବନ୍ଧିତ ଖବର