ଭୁବନେଶ୍ବର: ଆଜି ଲୋକସେବା ଭବନଠାରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କୁ ବେଦାନ୍ତ ଗ୍ରୁପ୍‌ର ଅଧ୍ୟକ୍ଷ ଅନିଲ ଅଗ୍ରୱାଲ ଭେଟିଛନ୍ତି। ପ୍ରାୟ ଦେଢ଼ ଘଣ୍ଟାର ଏହି ଆଲୋଚନାରୁ ଜଣାପଡ଼ିଛି ଯେ ବେଦାନ୍ତ ଆଗାମୀ ଦିନରେ ଢେଙ୍କାନାଳରେ ୧ଲକ୍ଷ କୋଟି ଟଙ୍କାର ପୁଞ୍ଜିନିବେଶ କରିବ। ଏହାଦ୍ବାରା ରାଜ୍ୟରେ ୧ଲକ୍ଷରୁ ଅଧିକ ପ୍ରତ୍ୟକ୍ଷ ଓ ପରୋକ୍ଷ ନିଯୁକ୍ତି ସୁଯୋଗ ସୃଷ୍ଟି ହେବ।
Advertisment
 ରାଜ୍ୟ ସରକାର ଏଥିପାଇଁ ଆବଶ୍ୟକ ଜମି ଓ ଅନ୍ୟାନ୍ୟ ସୁବିଧା ଯୋଗାଇ ଦେବେ। ଏହା ସହିତ ବେଦାନ୍ତ ପକ୍ଷରୁ କେନ୍ଦୁଝରଠାରେ ଏକ ଅତ୍ୟାଧୁନିକ ଫେରୋ-ଆଲଏଜ୍ ପ୍ଲାଣ୍ଟ ପ୍ରତିଷ୍ଠା କରାଯିବ। ଏଥିରେ ୨ ହଜାର କୋଟି ଟଙ୍କା ନିବେଶ କରାଯିବ। 
ସେହିପରି ବେଦାନ୍ତ ଝାରସୁଗୁଡ଼ାରେ ଥିବା ଆଲୁମିନିୟମ୍‌ ପ୍ଲାଣ୍ଟ ନିକଟରେ ଗୋଟିଏ ନୂଆ ଆଲୁମିନିୟମ୍‌ ପାର୍କ ପ୍ରତିଷ୍ଠା କରିବ। ସେଥିପାଇଁ ୫୦ ଏକର ଜମି ଅଧିଗ୍ରହଣ କରାଯାଇଛି। ଏହା ସହିତ ରାଜ୍ୟର ଅନ୍ୟ ଯେଉଁଠି ସରକାର ଜମି ଦେବେ, ସେଠାରେ କମ୍ପାନି ଆଉ ଏକ ଆଲୁମିନିୟମ୍‌ ପାର୍କ କରିବ। ସମ୍ଭବତଃ ଢେଙ୍କାନାଳରେ ହେବାକୁ ଥିବା କମ୍ପାନିର ନୂଆ ଆଲୁମିନିୟମ ପ୍ରକଳ୍ପ ନିକଟରେ ଏହି ପାର୍କ ସ୍ଥାପନ କରାଯିବ। ସେଥିପାଇଁ ୧୨୦୦ ଏକର ଜମି ଆବଶ୍ୟକ। ସେଥିରେ ୧୦୦ ପାଖାପାଖି ସଂସ୍ଥା ନିଜର ଆନୁଷଙ୍ଗିକ ଶିଳ୍ପ ସ୍ଥାପନ କରିପାରିବେ। ଏହି ଦୁଇଟି ଅତ୍ୟାଧୁନିକ ପାର୍କରେ ପ୍ରସ୍ତୁତ ହେବାକୁ ଥିବା ଆଲୁମିନିୟମ୍‌ ମିଶ୍ରଧାତୁ ଏରୋସ୍ପେସ୍‌, ଇଲେକ୍ଟ୍ରିକ୍‌ ଯାନ ଓ ପ୍ରତିରକ୍ଷା କ୍ଷେତ୍ରରେ ବ୍ୟବହାର ହୋଇପାରିବ। 
ଚଳିତବର୍ଷ ଢେଙ୍କାନାଳ ପ୍ରକଳ୍ପର ଶିଳାନ୍ୟାସ
ଓଡ଼ିଶା ପାଇଁ ଗେମ୍ ଚେଞ୍ଜର୍‌ ହେବ: ମୁଖ୍ୟମନ୍ତ୍ରୀ
କେନ୍ଦୁଝରରେ ୨୦୦୦ କୋଟିର ଫେରୋ-ଆଲଏଜ୍ ପ୍ଲାଣ୍ଟ
ନିୟମଗିରି ପାଇଁ ମାସକ ମଧ୍ୟରେ ଗ୍ରାମସଭା
ଓଡ଼ିଶାରେ ଦୁଇଟି ଆଲୁମିନିୟମ୍ ପାର୍କ ବି କରିବ
ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ଶିଳ୍ପ ଓ ପ୍ରଯୁକ୍ତି ବିଦ୍ୟା କ୍ଷେତ୍ରରେ ଏକ ଗ୍ଲୋବାଲ୍‌ ହବ୍‌ ହେବା ପାଇଁ ଓଡ଼ିଶା ବର୍ତ୍ତମାନ ପ୍ରସ୍ତୁତ। ଏହା ଦ୍ୱାରା ଅର୍ଥନୈତିକ ଅଭିବୃଦ୍ଧି ଆସିବ ଓ ଯୁବବର୍ଗଙ୍କ ପାଇଁ ବ୍ୟାପକ ସୁଯୋଗ ସୃଷ୍ଟି ହେବ। ଏହା ୨୦୩୬ ସୁଦ୍ଧା ଓଡ଼ିଶାକୁ ୫୦୦ ବିଲିଅନ୍‌ ଡଲାର ଅର୍ଥନୀତିରେ ପରିଣତ ହେବା ପାଇଁ କ୍ଷେତ୍ର ପ୍ରସ୍ତୁତ କରିବ, ଅର୍ଥାତ୍ ଗେମ୍-ଚେଞ୍ଜର ହେବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି। ଶ୍ରୀ ଅଗ୍ରୱାଲ ଗଣମାଧ୍ୟମକୁ କହିଥିଲେ, ପ୍ରସ୍ତାବିତ ଢେଙ୍କାନାଳ ପ୍ରକଳ୍ପ ପାଇଁ ଆସନ୍ତା ମାସକ ମଧ୍ୟରେ ୪୦୦ ଏକର ଜମି ମିଳିବ। ତିନିରୁ ଚାରି ମାସ ମଧ୍ୟରେ ୩ ନିୟୁତ ଟନ୍ କ୍ଷମତା ବିଶି‌ଷ୍ଟ ପ୍ରକଳ୍ପ ପାଇଁ ଆବଶ୍ୟକ ମଞ୍ଜୁରି ମିଳିବ ବୋଲି ପ୍ରତିଶ୍ରୁତି ମିଳିଛି। ଜମି ମିଳିବା ପରେ କାମ ଆରମ୍ଭ ହେବ। ଏକସଙ୍ଗେ ୩୦ରୁ ୪୦ହଜାର ଲୋକ କାମ କରିବାକୁ ଥିବା ଏହି ପ୍ଲାଣ୍ଟ କାର୍ଯ୍ୟକ୍ଷମ ହେବାକୁ ତିନିରୁ ସାଢ଼େ ୩ବର୍ଷ ଲାଗିବ। ଚଳିତ ବର୍ଷ ଏହି ପ୍ରକଳ୍ପର ଶିଳାନ୍ୟାସ କରିବାକୁ ଆମେ ଲକ୍ଷ୍ୟ ରଖିଛୁ ବୋଲି ସେ କହିଥିଲେ। ସରକାରଙ୍କ ମଞ୍ଜୁରି ପରେ ପ୍ରକଳ୍ପ ଲାଗି ପାଣ୍ଠି ଯୋଗାଡ଼ ହେବ।  ଶ୍ରୀ ଅଗ୍ରଵାଲ କହିଥିଲେ, ନିୟମଗିରି ବକ୍ସାଇଟ୍ ଖଣି ନେଇ ମୁଖ୍ୟମନ୍ତ୍ରୀଙ୍କ ସହ ଆଲୋଚନା ହୋଇଛି। ମାସକ ମଧ୍ୟରେ ଗ୍ରାମସଭା କରିବାକୁ ମୁଖ୍ୟମନ୍ତ୍ରୀ କହିଛନ୍ତି। ଆମେ ଏବେ ଆନ୍ଧ୍ରପ୍ରଦେଶ ଓ ବିଦେଶରୁ ବକ୍ସାଇଟ୍‌ ମଗାଉଛୁ। ନିୟମଗିରି ପ୍ରକଳ୍ପକୁ ନେଇ ଆମେ ବେଶ୍ ଆଶାବାଦୀ ଅଛୁ ବୋଲି ଶ୍ରୀ ଅଗ୍ରୱାଲ କହିଥିଲେ। ଓଡ଼ିଶାରେ ଥିବା ବ୍ୟାପକ ସମ୍ଭାବନା ସମ୍ପର୍କରେ ସଚେତନତା ସୃଷ୍ଟି ଲାଗି ଏଠାରେ ଏକ ସମ୍ମିଳନୀ ଆୟୋଜନ କରିବାକୁ ଆମର ଯୋଜନା ରହିଛି ବୋଲି ସେ କହିଥିଲେ। ଏହି ବୈଠକରେ ମୁଖ୍ୟ ସଚିବ ମନୋଜ ଆହୁଜା, ଶିଳ୍ପ ବିଭାଗର ଅତିରିକ୍ତ ମୁଖ୍ୟ ସଚିବ ହେମନ୍ତ ଶର୍ମା, ଖଣି ଓ ଇସ୍ପାତ ବିଭାଗର ଅତିରିକ୍ତ ମୁଖ୍ୟ ସଚିବ ସୁରେନ୍ଦ୍ର କୁମାର, ମୁଖ୍ୟମନ୍ତ୍ରୀଙ୍କ ପ୍ରମୁଖ ସଚିବ ଶାଶ୍ୱତ ମିଶ୍ର ପ୍ରମୁଖ ଉପସ୍ଥିତ ଥିଲେ।