ବଲାଙ୍ଗୀର/ସମ୍ବଲପୁର : ୯୦ ଦଶକରେ ସାରା ଓଡ଼ିଶା, ବଙ୍ଗ, ବିହାର ଓ ମଧ୍ୟପ୍ରଦେଶକୁ ନଚାଇ ଦେଇଥିବା ସୁପର୍‌ ହିଟ୍ ସମ୍ବଲପୁରୀ ଗୀତ ‘ଏ ପାନ୍‌ବାଲା ବାବୁ’ର ଗୀତିକାର, ନିର୍ଦ୍ଦେଶକ ଓ ଗାୟକ ଅନିଲ ହରିପାଲ ଆଉ ନାହାନ୍ତି। ଗୁରୁବାର ଚିକିତ୍ସାଧୀନ ଅବସ୍ଥାରେ ବଲାଙ୍ଗୀର ମୁଖ୍ୟ ଡାକ୍ତରଖାନାରେ ତାଙ୍କର ପରଲୋକ ହୋଇଛି। ଅପରାହ୍ଣରେ ଆଗଲପୁର ବ୍ଲକ୍‌ ରିନବଚନ ଗାଁରେ ତାଙ୍କର ଶେଷକୃତ୍ୟ ସମ୍ପନ୍ନ ହୋଇଛି। ସେ ପତ୍ନୀ କୁନ୍ତଳା, ପୁଅ ରାହୁଲ ଓ ଝିଅ ଅଙ୍କିତାଙ୍କୁ ଛାଡ଼ି ଯାଇଛନ୍ତି। ଶେଷ ଜୀବନରେ ବଲାଙ୍ଗୀର ଜିଲ୍ଲା ଆଗଲପୁର ବ୍ଲକ ରିନ୍‌ବଚନ ଗାଁରେ ରହୁଥିବା ଅନିଲଙ୍କ ପୈତୃକ ମୂଳ ଗାଁ ହେଉଛି ବଲାଙ୍ଗୀରର ଦାବକାନୀ। ତେବେ ସୁନ୍ଦରଗଡ଼ ଜିଲ୍ଲା ବୀରମିତ୍ରପୁରରେ ତାଙ୍କର ଜନ୍ମ ଓ ଜୀବନର ଅଧିକାଂଶ ସମୟ ରାଜ୍ୟର ଏହି ସୀମାନ୍ତ ସହରରେ ହିଁ ବିତିଥିଲା। ସେଠାରେ ସେ ନିଜ ସଂଗୀତ ସାଧନା କରିଥିଲେ। ତେଣୁ ତାଙ୍କର ଏକାଧିକ ଗୀତରେ ବୀରମିତ୍ରପୁର ସହରର ନା’ ଉଲ୍ଲେଖ ଥିବା ଦେଖିବାକୁ ମିଳେ।

Advertisment

ଅନିଲଙ୍କ ବାପା ସ୍ୱର୍ଗତ ଅବଧୂତ ହରିପାଲ ଓ ମା’ ଦହନା ହରିପାଲ ବୀରମିତ୍ରପୁର ଚୂନପଥର ଖଣିରେ କାମ କରୁଥିଲେ। ପିଲାଟି ଦିନରୁ ସଂଗୀତ ପ୍ରତି ଅନିଲଙ୍କ ଅହେତୁକ ଦୁର୍ବଳତା ରହିଥିଲା। ଅଭିନୟରେ ବି ସେ ରୁଚି ରଖିଥିଲେ। ସଂଗୀତ ଜଗତରେ ଆନୁଷ୍ଠାନିକ ଭାବେ ତାଙ୍କର କୌଣସି ଗୁରୁ ନଥିଲେ ହେଁ ସେ ସ୍ବର୍ଗତ ଫକିର ପଟ୍ଟନାୟକ, ପଦ୍ମଶ୍ରୀ ଜିତେନ୍ଦ୍ର ହରିପାଲ ପ୍ରମୁଖ ସମ୍ବଲପୁରୀ ସଂଗୀତ ଜଗତର ବିଶିଷ୍ଟ ଗାୟକମାନଙ୍କୁ ସେ ନିଜର ଗୁରୁ ଓ ପ୍ରେରଣାର ଉତ୍ସ ଭାବେ ଗ୍ରହଣ କରି ସଂଗୀତ ସାଧନା କରିଥିଲେ। ୨୦ ଡିସେମ୍ବର ୧୯୯୦ ମସିହାରେ ସମ୍ରାଟ୍‌ କ୍ୟାସେଟ କମ୍ପାନି ତାଙ୍କର ‘ ଏ ପାନବାଲା ବାବୁ’ ଗୀତ ରିଲିଜ୍ କରିବା ପରେ ଅନିଲଙ୍କୁ ଏହା ଢେର ଉଚ୍ଚତାରେ ନେଇ ପହଂଚାଇ ଦେଇଥିଲା। ପରବର୍ତ୍ତୀ ସମୟରେ ରଂଗବତୀ ଗାୟକ ଜିତେନ୍ଦ୍ର ହରିପାଲଙ୍କ ପ୍ରତ୍ୟକ୍ଷ ସଂସ୍ପର୍ଶରେ ଆସି ସେ ଛତିଶଗଡ଼ି, ଭୋଜପୁରୀ, ମରାଠି, ବଙ୍ଗାଳି ଆଦି ବିଭିନ୍ନ ଭାଷାରେ ବହୁ ଗୀତ ଗାଇଥିଲେ। ‘ଦିନେ ଦେଖା ନାଇଁ ହେଲେରେ ତତେ, ଗାଧିଲାବେଲେ..’, ‘ଏସଟିଡି ବାଲି..’ ଭଳି ତାଙ୍କର ଅନେକ ସମ୍ବଲପୁରୀ ଗିତ ହିଟ୍‌ ହୋଇଥିଲା। ଓଡ଼ିଶା ଓ ରାଜ୍ୟ ବାହାରେ ବିଭିନ୍ନ ସଂସ୍ଥା ପକ୍ଷରୁ ସେ ଅନେକ ପୁରସ୍କାର ଓ ସମ୍ମାନରେ ସମ୍ମାନିତ ହୋଇଥିଲେ । କୋଭିଡ୍‌ ସମୟରେ ତାଙ୍କ ଦେହ ଅସୁସ୍ଥ ହୋଇଥିଲା। ସେହି ସମୟରେ ରିନବଚନ ଗାଁରେ ପତ୍ନୀ କୁନ୍ତଳା ପରିବାର ପୋଷଣ ଦାୟିତ୍ୱ ମୁଣ୍ଡାଇଥିଲେ।

publive-image

କଷ୍ଟରେ ବିତିଥିଲା ଶେଷ ଜୀବନ
ଅନିଲ ହରିପାଲଙ୍କ ଶେଷ ଜୀବନ ଆର୍ଥିକ ଦୁଃସ୍ଥିତି ଓ ଘୋର ଅଭାବ ଅନଟନରେ କଟିଥିଲା। ୨୦୦୦ ମସିହା ଓ ତା’ ପରବର୍ତ୍ତୀ ସମୟରେ ସେ ସାଂପ୍ରତିକ ଆଧୁନିକ ସଂଗୀତ ବ୍ୟବସ୍ଥା ସହ ତାଳ ଦେଇ ନପାରି ଏକପ୍ରକାର ଲୋକଲୋଚନରୁ ଦୂରେଇ ଯାଇଥିଲେ। ନିଜ ମେଲୋଡି ଦଳରୁ ଯାହା କିଛି ସ୍ବଳ୍ପ ଆୟ କରୁଥିଲେ ସେଥିରେ ଚଳୁଥିଲେ। ବୀରମିତ୍ରପୁରରୁ ଯିବା ପରେ ତାହା ବି ପ୍ରାୟତଃ ବନ୍ଦ ହୋଇ ଯାଇଥିଲା। ଗାଁରେ ଚାଷବାସ କରି ଚଳୁଥ‌ିଲେ। ଏତେ ପ୍ରସିଦ୍ଧ ସଂଗୀତକାର ହୋଇ ମଧ୍ୟ ତାଙ୍କୁ ଜୀବନର ଶେଷ ଭାଗ ପର୍ଯ୍ୟନ୍ତ ସାମାନ୍ୟ କଳାକାର ଭତ୍ତା ବି ମିଳିପାରି ନଥିଲା। ସେ ବହୁବାର ଏଥି ପାଇଁ ଆବେଦନ କରିଥିଲେ ବି ବଲାଙ୍ଗୀର ଜିଲ୍ଲା ପ୍ରଶାସନ ନିରାଶ କରିଥିଲା। ବିଳମ୍ବରେ ବିବାହ କରିଥିବାରୁ ତାଙ୍କ ଦୁଇ ପିଲା ବୟସରେ ବେଶ୍‌ ଛୋଟ ଥିଲେ ଓ ସେମାନଙ୍କୁ ପାଠ ପଢ଼ାଇବା ପାଇଁ ବି ସେ ସମସ୍ୟାର ସମ୍ମୁଖୀନ ହୋଇଥିଲେ।

ଓଡ଼ିଶାରେ ଛାଇଯିବ
ଅନିଲ ହରିପାଲ ଲେଖିଥିବା ଗୀତଗୁଡ଼ିକର ସ୍ବାତନ୍ତ୍ରୢ ହେଲା, ସେ ଗୋଟିଏ ମୂଳ ଭାଷା ସହ ଅନ୍ୟ ଭାଷାର ମିଶ୍ରଣ କରୁଥିଲେ। ଯେମିତି କି ତାଙ୍କର ପ୍ରଥମ ହିଟ୍ ଗୀତ ପାନ୍‌ବାଲା ବାବୁରେ ସମ୍ବଲପୁରୀ ସହ ବଙ୍ଗାଳି ଓ ବିହାରୀ ଭାଷାର ମିଶ୍ରଣ ହୋଇଥିଲା। ଏହାପରେ ସେ ସମ୍ବଲପୁରୀ ଓ ଓଡ଼ିଆ ବ୍ୟତୀତ ଅନ୍ୟାନ୍ୟ ଭାଷାରେ ଗୀତ ଗାଇବାର ସୁଯୋଗ ପାଇଥିଲେ। ଏକଦା ବରିଷ୍ଠ ଗାୟକ ଜିତେନ୍ଦ୍ର ହରିପାଲଙ୍କ ସହ ଓଡ଼ିଶାର ବିଶିଷ୍ଟ ସଂଗୀତ ନିର୍ଦ୍ଦେଶକ ଓ ଗାୟକ ଅକ୍ଷୟ ମହାନ୍ତିଙ୍କୁ ଭେଟିଥିଲେ। ଅକ୍ଷୟଙ୍କ ଏକ ଗୀତରେ ସେ ଓଡ଼ିଆ ସହ ଇଂରାଜୀ ଭାଷାର ମିଶ୍ରଣ କରିଥିଲେ। ଏହା ଶୁଣିବା ପରେ ଅକ୍ଷୟ ମହାନ୍ତି ଅନିଲଙ୍କ ଉଚ୍ଚ ପ୍ରଶଂସା କରିବା ସହ ଜିତେନ୍ଦ୍ରଙ୍କୁ କହିଥିଲେ ଏହି ପିଲା ଦିନେ ଓଡ଼ିଶାରେ ଛାଇଯିବ।