ଓକେଏଚ୍‌ରେ ଆନ୍ତର୍ଜାତିକ ଖ୍ୟାତିସମ୍ପନ୍ନ କ୍ରିକେଟିୟର୍ ଅନିଲ କୁମ୍ବଲେଙ୍କ ଅଭିଭାଷଣ : ଓଡ଼ିଶା ଆମ କ୍ରୀଡ଼ା ରାଜଧାନୀ

ସଫଳ କ୍ରୀଡ଼ାବିତ୍ ପାଇଁ ଶାରୀରିକ କ୍ଷମତା ସହିତ ମାନସିକ ଦୃଢ଼ତା ଆବଶ୍ୟକ

ଭୁବନେଶ୍ବର : ଓଡ଼ିଶା ଆନ୍ତର୍ଜାତିକ କ୍ରୀଡ଼ା ଆୟୋଜନ କ୍ଷେତ୍ରରେ ସୁନାମ ଅର୍ଜନ କରିଛି। ରାଜ୍ୟ ସରକାର ଭୁବନେଶ୍ବରକୁ ଏକ କ୍ରୀଡ଼ା ରାଜଧାନୀ ଭାବେ ବିକଶିତ କରିଛନ୍ତି। ପ୍ରାଥମିକ ସ୍ତରରେ ୬ରୁ ୧୫ ବର୍ଷର ଶିଶୁ ଓ କିଶୋର ପ୍ରତିଭାମାନଙ୍କୁ ଚୟନ କରି ସେମାନଙ୍କର ବିକାଶ କରାଇପାରିଲେ କ୍ରୀଡ଼ା କ୍ଷେତ୍ରରେ ବିଶ୍ବରେ ଯଶ ଅର୍ଜନ କରିହେବ। ଆଜି ଲୋକସେବା ଭବନରେ ଓଡ଼ିଶା ଜ୍ଞାନ ପୁଞ୍ଜ ବକ୍ତୃତାମାଳାର ୨୨ତମ ବକ୍ତୃତା ମାଳାରେ ବକ୍ତବ୍ୟ ରଖି ଏପରି ପରାମର୍ଶ ଦେଇଛନ୍ତି ଆନ୍ତର୍ଜାତିକ ଖ୍ୟାତିସମ୍ପନ୍ନ କ୍ରିକେଟିୟର ତଥା ପୂର୍ବତନ ଭାରତୀୟ କ୍ରିକେଟ୍ ଦଳ ଅଧିନାୟକ ଓ ଅର୍ଜୁନ ପୁରସ୍କାର ବିଜେତା ପଦ୍ମଶ୍ରୀ ଅନୀଲ କୁମ୍ବଲେ।

‘ଭାରତୀୟ କ୍ରୀଡ଼ା-ଏକ ଅନ୍ତର୍ଦୃଷ୍ଟି’ ଶୀର୍ଷକ ଆଲୋଚନାରେ ନିଜର ବକ୍ତବ୍ୟ ରଖି ଶ୍ରୀ କୁମ୍ବଲେ କହିଥିଲେ, କ୍ରୀଡ଼ାକୁ କ୍ୟାରିୟର ଭାବେ ଗଢ଼ି ତୋଳିବା ପାଇଁ ବର୍ତ୍ତମାନ ପର୍ଯ୍ୟାପ୍ତ ସୁଯୋଗ ରହିଛି। କ୍ରିକେଟ୍ ବ୍ୟତୀତ ଆଥଲେଟିକ୍‌ସ୍‌, ଟେବୁଲ୍‌ ଟେନିସ୍‌, ବାସ୍କେଟ୍‌ ବଲ୍‌, ବ୍ୟାଡ୍‌ ମିଣ୍ଟନ୍‌, ଟେନିସ୍‌ ଓ ଅନ୍ୟାନ୍ୟ କ୍ରୀଡ଼ା କ୍ଷେତ୍ରରେ ବ୍ୟାପକ ସୁଯୋଗ ରହିଛି। ଏଥିପାଇଁ ବିଦ୍ୟାଳୟମାନଙ୍କରେ ପର୍ଯ୍ୟାପ୍ତ କ୍ରୀଡ଼ା ଭିତ୍ତିଭୂମିର ବିକାଶ କରିବାକୁ ହେବ। ଓଡ଼ିଶାରେ ଅନେକ କ୍ରୀଡ଼ା ପ୍ରତିଭା ରହିଛନ୍ତି। ଉପଯୁକ୍ତ ଚୟନ ଓ ତାଲିମ ମାଧ୍ୟମରେ ସେମାନଙ୍କୁ ଅନ୍ତର୍ଜାତୀୟ କ୍ରୀଡ଼ାବିତ୍ କରାଯାଇପାରିବ। ସଫଳ କ୍ରୀଡ଼ାବିତ୍‌ ହେବା ପାଇଁ ଶାରୀରିକ ସ୍ତରରେ ଯେତିକି ସକ୍ଷମ ହେବାକୁ ପଡ଼ିବ ତା’ଠାରୁ ଅଧିକ ମାନସିକ ସ୍ତରରେ ଦୃଢ଼ ହେବାକୁ ପଡ଼ିବ ବୋଲି ସେ କହିଥିଲେ।

ବକ୍ତୃତାମାଳା ପ୍ରାରମ୍ଭରେ ଉନ୍ନୟନ କମିସନର ତଥା ଅତିରିକ୍ତ ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର ଅନୀଲ କୁମ୍ବଲେଙ୍କ ପରିଚୟ ପ୍ରଦାନ କରି କହିଥିଲେ ଯେ, ଶ୍ରୀ କୁମ୍ବଲେ ଜଣେ ମେକାନିକାଲ ଇଞ୍ଜିନିୟର ଭାବେ ଶିକ୍ଷା ଅର୍ଜନ କରି କ୍ରିକେଟ୍ ବ୍ୟତୀତ ଫଟୋଗ୍ରାଫି ଓ ବନ୍ୟଜନ୍ତୁ ସଂରକ୍ଷଣ କ୍ଷେତ୍ରରେ ଉଲ୍ଲେଖନୀୟ କାର୍ଯ୍ୟ କରିଛନ୍ତି। ଏହି ଅବସରରେ ଅର୍ଥ ଓ ଅବକାରୀ ମନ୍ତ୍ରୀ ନିରଞ୍ଜନ ପୂଜାରୀ ତାଙ୍କୁ ସ୍ମାରକୀ ପ୍ରଦାନ କରି ସମ୍ବର୍ଦ୍ଧିତ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ମୁଖ୍ୟ ଶାସନ ସଚିବ ଅସିତ ତ୍ରିପାଠୀ, ସମସ୍ତ ବିଭାଗର ପ୍ରମୁଖ ଶାସନ ସଚିବ, କମିସନରଙ୍କ ସମେତ ଭିଡିଓ କନଫରେସିଂ ଜରିଆରେ ଜିଲ୍ଲାପାଳମାନେ ସାମିଲ ହୋଇଥିଲେ।

ସମ୍ବନ୍ଧିତ ଖବର