ଥ୍ରି ଇଡିଅଟ୍‌ସର ଅମୀର ଖାନ୍ ‘ଅନିଲ୍’, ବିଦେଶରେ ଚାକିରି ଛାଡ଼ି ଗାଁରେ ଖୋଲିଛନ୍ତି ସ୍କୁଲ୍

କୁନିକୁନି ଛାତ୍ର ଗଢୁଛନ୍ତି ରୋବଟ୍, ଆନ୍ଧ୍ରପ୍ରଦେଶ, ରାଜସ୍ଥାନ, ଚୀନରୁ ମିଳିଲାଣି ଆମନ୍ତ୍ରଣ

ବୟାଳିଶମୌଜା/କଟକ : ଦେଶବିଦେଶରେ ଉଚ୍ଚ ବେତନର ଚାକିରି ସୁଯୋଗକୁ ଖୁସିରେ ଏଡ଼ାଇ ଯାଇ ସେ ଗାଁରେ ଖୋଲିଛନ୍ତି ସ୍କୁଲ। ସ୍କୁଲରେ ଛୋଟ ପିଲାଙ୍କୁ ନିଆରା ଢଙ୍ଗରେ ଉପଯୋଗୀ ଶିକ୍ଷାଦାନ କରୁଛନ୍ତି। ତେଣୁ ତାଙ୍କୁ କୁହାଯାଉଛି ‘ଥ୍ରି ଇଡିଅଟ୍‌ସ’ ଫିଲ୍ମର ଅମୀର ଖାନ୍। ପ୍ରଥମେ ପ୍ରଥମେ ତାଙ୍କ କାର୍ଯ୍ୟକଳାପକୁ ଦେଖି ହସରେ ଉଡ଼ାଇ ଦେଉଥିବା ଲୋକେ ଖୁବ କମ୍‌ ଦିନ ଭିତରେ ତାଙ୍କର ସଫଳତାକୁ ଦେଖି ଏବେ ପ୍ରଶଂସା ଓ ସମ୍ମାନ ଦେବାକୁ ପଛାଉ ନାହାନ୍ତି। ତାଙ୍କ ସ୍କୁଲକୁ ଦେଖିବା ପାଇଁ ଦିଲ୍ଲୀ ଆଇଆଇଟି ପ୍ରତିନିଧିଦଳ ଆସିଥିବା ବେଳେ ଆନ୍ଧ୍ରପ୍ରଦେଶ ଓ ରାଜସ୍ଥାନ ସରକାର ତାଙ୍କୁ ଆମନ୍ତ୍ରଣ କରି ଶିକ୍ଷାଦାନର ନୂଆ କୌଶଳ ସଂପର୍କରେ ଅବଗତ ହୋଇଛନ୍ତି। ଚୀନ ସରକାର ବି ତାଙ୍କୁ ଆମନ୍ତ୍ରଣ କରିଛନ୍ତି। ଏଭଳି ସାଧନାରେ ନିଜକୁ ଉତ୍ସର୍ଗ କରିଥିବା ଯୁବ ଇଂଜିନିୟର ହେଉଛନ୍ତି କଟକ ଜିଲ୍ଲା ୪୨ ମୌଜା କୂଳସରିଚୁଆଁ ଅନ୍ତର୍ଗତ ବରାଳ ଗ୍ରାମର ଅନିଲ ପ୍ରଧାନ।

ଅନିଲ ପ୍ରତିଷ୍ଠା କରିଛନ୍ତି ‘ଅନ୍ତଃରାଷ୍ଟ୍ରୀୟ ଗ୍ରାମୀଣ ନବପ୍ରବର୍ତ୍ତନ ସର୍ବସାଧାରଣ ବିଦ୍ୟାଳୟ’। ଏଥିରେ ବର୍ତ୍ତମାନ ଷଷ୍ଠ ଶ୍ରେଣୀ ପର୍ଯ୍ୟନ୍ତ ରହିଥିବା ବେଳେ ପଢୁଛନ୍ତି ମୋଟ ୧୨୪ ଜଣ ଛାତ୍ରଛାତ୍ରୀ। ଏହି ସ୍କୁଲର ବିଶେଷତ୍ବକୁ ନେଇ ଚର୍ଚ୍ଚା ହେବା ପରେ ଏବେ ଅନ୍ୟ ସ୍କୁଲରୁ ପିଲାମାନେ ଆସି ଅବସର ସମୟ‌ରେ ଏଠି ପାଠ ପଢୁଛନ୍ତି। ସ୍କୁଲର କୁନିକୁନି ଛାତ୍ରଛାତ୍ରୀ ସ୍କୃ ଡ୍ରାଇଭରଠାରୁ ଆରମ୍ଭ କରି ଡି ପ୍ରିଣ୍ଟର, ସ୍ଲେଟ୍‌ ବୋର୍ଡ, ସାଇକେଲ ଜେନେରେଟର୍‌, ରୋବୋଟ୍‌, ଆଇ ପ୍ୟାଡ୍‌, କମ୍ପୁଟର, ମ୍ୟାଜିକ୍‌ ସିଷ୍ଟମ, ପ୍ରୋଜେକ୍ଟର ଆଦି ବ୍ୟବହାର କରୁଛନ୍ତି। ପିଲାମାନଙ୍କ ଦ୍ବାରା ଇନ୍‌ଫାନାଇଟ୍‌ ‌‌‌ୱେଲ, ଲାଇନ୍‌ ଫଲୋନ୍‌ ରୋବଟ୍‌, ଲିଗୋରୋବଟ୍‌, ଏଫ୍‌ ୱାନ୍‌ ରୋବଟ୍‌, ଏଗ୍ରି ଲ୍ୟାବ, ଡାଇଡ୍ରୋପୋନିକ୍ସ, ଇକୋ ପିଟ୍‌, ରକେଟ୍‌ ଆଦି ତିଆରି କୌଶଳ ଶିଖୁଛନ୍ତି। ଏହି ସ୍କୁଲର ଶ୍ରେଣୀଗୃହଗୁଡ଼ିକର ନାମ ବି ବେଶ ନିଆରା। କବାଡ୍‌ ସେ ଜୁଗାଡ୍‌, ଜୋର୍‌କା ଝଟ୍‌କା, ତୋଡ଼ ଫୋଡ଼ ଯୋଡ଼…ଆଦି ନାଁରେ ରହିଛି ବିଭିନ୍ନ ଶ୍ରେଣୀ ଗୃହର ନାମ। ଅଦରକାରୀ କୁହାଯାଉଥିବା ବିଭିନ୍ନ ପଦାର୍ଥକୁ କିପରି ବ୍ୟବହାର ଉପଯୋଗୀ କରିହେବ, ଏଠାରେ ପିଲାମାନଙ୍କୁ ତାହାର ତାଲିମ ଦିଆଯାଉଛି। ହାଇଡ୍ରୋପୋନିକ୍ସ ଦ୍ବାରା କିପରି ବିନା ମାଟିରେ ଚାଷ କରାଯାଉଛି, ଇକୋବ୍ରିକ ମାଧ୍ୟମରେ କିଭଳି ଅଖା, ପ୍ଲାଷ୍ଟିକ ବୋତଲ ଇତ୍ୟାଦି ଦ୍ବାରା ଘର କାନ୍ଥ ତିଆରି ହେଉଛି ତାହା ଏଠାରେ ଶିକ୍ଷା ଦିଆଯାଉଛି।

୨୩ ବର୍ଷ ବୟସ୍କ ଅନିଲଙ୍କ ବାପା ସୁଶାନ୍ତ ପ୍ରଧାନ ସିଆର୍‌ପିଏଫ୍‌ରେ କାମ କରୁଥିବା ବେଳେ ତାଙ୍କ ମା’ କେନ୍ଦ୍ରୀୟ ବିଦ୍ୟାଳୟର ଅବସରପ୍ରାପ୍ତ ଶିକ୍ଷୟିତ୍ରୀ। ଅନିଲ ଷଷ୍ଠ ଶ୍ରେଣୀ ପର୍ଯ୍ୟନ୍ତ ବୟାଳିଶମୌଜାର ସ୍କୁଲରେ ପାଠ ପଢ଼ିଥିଲେ। ପରେ ସେ ତାଙ୍କ ବାପାଙ୍କ ଚାକିରି ସ୍ଥାନ ଭୋପାଳକୁ ଚାଲି ଯାଇଥିଲେ। ସେଠାରେ ସେ ଦ୍ବାଦଶ ଶ୍ରେଣୀ ପର୍ଯ୍ୟନ୍ତ ପଢ଼ିବା ପରେ ବୁର୍ଲା ଭିମ୍‌ସାର୍‌ରେ ସିଭିଲ୍ ଇଞ୍ଜିନିୟରିଂରେ ନାମ ଲେଖାଇଥିଲେ। ପାଠପଢ଼ା ସମୟରେ ବି ସେ ଅନେକ ନୂଆ କଥା କରି ଦେଖାଉଥିଲେ। ବନ୍ଧୁମାନଙ୍କ ସହାୟତାରେ ରୋବୋସିକ୍ସ ଉପରେ ନୂଆ ନୂଆ ଜିନିଷ ପ୍ରସ୍ତୁତ କରିଥିଲେ। ଏସିଆର ପ୍ରଥମ ଷ୍ଟୁଡେଣ୍ଟ ରକେଟ୍‌ ପ୍ରସ୍ତୁତିରେ ଥିଲେ ସେ ମୁଖ୍ୟ ଡିଜାଇନର। ବିଜୁଳି ବ୍ୟବହାର କିଭଳି କମ୍ ହୋଇ ପାରିବ, ତାହାର ସେ ବିକଳ୍ପ ବାହାର କରିବା ସହିତ ହୀରାକୁଦ ଡ୍ୟାମ୍‌ରେ ଜମୁଥିବା ପଟୁ ମାଟି ନିରୀକ୍ଷଣ ପାଇଁ ସାଟେଲାଇଟ୍ ପ୍ରସ୍ତୁତ କରି ଉଚ୍ଚ ପ୍ରଶଂସିତ ହୋଇଥିଲେ। ଇଂଜିନିୟରିଂର ଦ୍ବିତୀୟ ବର୍ଷ ସମୟରେ ସେ ନିଜ ଅଞ୍ଚଳରେ ସ୍କୁଲ ନିର୍ମାଣ ପାଇଁ ମନ ବଳାଇଥିଲେ। ତାଙ୍କ ମା’ଙ୍କ ପ୍ରେରଣା ଆଉ ସହଯୋଗରେ ୨୦୧୫ରେ ସେ ମାତ୍ର ତିନି ଜଣ ପିଲାଙ୍କୁ ନେଇ ଆରମ୍ଭ କରିଥିଲେ ସ୍କୁଲ। ଅ‌ାଉ ଏବେ ମାତ୍ର ୪ ବର୍ଷ ଭିତରେ ଛାତ୍ରଛାତ୍ରୀଙ୍କ ସଂଖ୍ୟା ପହଞ୍ଚିଛି ୧୨୪ରେ। ସ୍କୁଲରେ ମାଗଣା ଶିକ୍ଷା ପ୍ରଦାନ କରୁଥିବା ଅନିଲ ପ୍ରାକୃତିକ ବିପର୍ଯ୍ୟୟ ସମୟରେ ଇଣ୍ଟରନେଟ୍ ସେବା ବ୍ୟାହତ ହେଲେ କିଭଳି ‌ସାଟେଲାଇଟ ନେଟ୍‌ୱର୍କିଂ ସ୍ଥାପନ ହେବ ସେ ଦିଗରେ ଉଦ୍ୟମ ଜାରି ରଖିଛନ୍ତି। ଜଳ, ବାୟୁ ପ୍ରଦୂଷଣ ବନ୍ଦ କରିବାକୁ ମଧ୍ୟ ସେ ପ୍ରକଳ୍ପ ପ୍ରସ୍ତୁତିରେ ଲାଗି ପଡ଼ିଛନ୍ତି। ଅନିଲଙ୍କ ନାମ ଲିମ୍‌କା ବୁକ୍ସରେ ସ୍ଥାନ ପାଇଥିବାବେଳେ ଅନେକ ଅନୁଷ୍ଠାନ ତାଙ୍କୁ ସମ୍ବର୍ଦ୍ଧିତ ଆଉ ସମ୍ମାନିତ କରିଛନ୍ତି। ‌

ଅନିଲଙ୍କ କହିବା ଅନୁଯାୟୀ ସେ ନିଜ ଅଞ୍ଚଳରେ ଶିକ୍ଷା ବ୍ୟବସ୍ଥାକୁ ଏକ ନୂଆ ଦିଗ ଦେବାକୁ ଉଦ୍ୟମ ଜାରି ରଖିବେ। କିନ୍ତୁ ଏ ଦିଗରେ ସରକାରୀ ପ୍ରୋତ୍ସାହନ ମିଳିଲେ ସେ ଅଧିକ ସଫଳ ହୋଇପାରିବେ। ଆଗାମୀ ଦିନରେ ସେ ଏହି ସ୍କୁଲର ଛାତ୍ରଛାତ୍ରୀଙ୍କୁ ‘ନାସା’କୁ ନେବା ପାଇଁ ଲକ୍ଷ୍ୟ ରଖିଛନ୍ତି ବୋଲି ଅନିଲ କହିଛନ୍ତି।

ସମ୍ବନ୍ଧିତ ଖବର