ବ୍ରହ୍ମପୁର: ସରିଛି ୨୦୨୪ ସାଧାରଣ ନିର୍ବାଚନ। ନିର୍ବାଚନରେ ଦଳବଦଳ ପରେ କିଛି ନେତା ବିଜୟୀ ହୋଇଥିବା ବେଳେ ଆଉ କେତେଜଣ ଶୋଚନୀୟ ପରାଜୟର ସମ୍ମୁଖୀନ ହୋଇଛନ୍ତି। ବିଜେଡି ଛାଡ଼ି ବିଜେପିରେ ଯୋଗ ଦେଇଥିବା କେ. ଅନୀଲ କୁମାର, ପୂର୍ଣ୍ଣଚନ୍ଦ୍ର ସେଠୀ ଓ ସିଦ୍ଧାନ୍ତ ମହାପାତ୍ର ବିଧାୟକ ଭାବେ ନିର୍ବାଚିତ ହୋଇଛନ୍ତି। ଅନ୍ୟ ପଟେ ବିଜେପି ଛାଡ଼ି ବିଜେଡିରେ ଯୋଗ ଦେଇଥିବା ଭୃଗୁ ବକ୍ସିପାତ୍ରଙ୍କୁ ବଡ଼ଧରଣର କ୍ଷତି ସହିବାକୁ ପଡ଼ିଛି। ସେହିପରି ହିଞ୍ଜିଳି ନେତା ରଜନୀକାନ୍ତ ପାଢ଼ୀ ମଧ୍ୟ ବିଜେପି ଛାଡ଼ି କଂଗ୍ରେସରେ ଯୋଗ ଦେଇଥିଲେ। ସେ ମଧ୍ୟ ନିର୍ବାଚନରେ ପରାଜିତ ହୋଇଛନ୍ତି।

Advertisment

୨୦୨୪ ନିର୍ବାଚନ ପୂର୍ବରୁ ଗଞ୍ଜାମ ଜିଲ୍ଲାରେ ବହୁ ନେତା ଦଳବଦଳ କରିଥିଲେ। ବ୍ରହ୍ମପୁର ବିଜେଡି ନେତା ଅନୀଲଙ୍କୁ ଟିକେଟ ମିଳିବା ଆଶା କ୍ଷୀଣ ହେବା ପରେ ସେ ବିଜେପିରେ ଯୋଗ ଦେଇଥିଲେ। ବିଜେପିରୁ ବ୍ରହ୍ମପୁର ବିଧାୟକ ପ୍ରାର୍ଥୀ ହେବା ସହ ତାଙ୍କ ନିକଟତମ ପ୍ରତିନ୍ଦ୍ବନ୍ଦ୍ବୀ ତଥା ବିଜେଡି ବିଧାୟକ ପ୍ରାର୍ଥୀ ଡା. ରମେଶ ଚନ୍ଦ୍ର ଚ୍ୟାଉପଟ୍ଟନାୟକଙ୍କୁ ୧୮ହଜାର ୭୦୯ ଭୋଟ ବ୍ୟବଧାନରେ ପରାସ୍ତ କରିଛନ୍ତି। ସେହିପରି ଖଲ୍ଲିକୋଟର ବରିଷ୍ଠ ବିଜେଡି ନେତା ପୂର୍ଣ୍ଣଚନ୍ଦ୍ର ବିଜେପିରେ ଯୋଗ ଦେଇ ଏବେ ବିଧାୟକ ହୋଇଛନ୍ତି। ସେ ବିଜେଡି ବିଧାୟକ ପ୍ରାର୍ଥୀ ସୂର୍ଯ୍ୟମଣି ବୈଦ୍ୟଙ୍କୁ ୨୩ହଜାର ୫୭ ଭୋଟ୍‌ରେ ପରାସ୍ତ କରିଛନ୍ତି। ୨୦୦୯ ଓ ୨୦୧୪ରେ ବିଜେଡି ଟିକେଟରେ ବ୍ରହ୍ମପୁର ସାଂସଦ ଭାବେ ନିର୍ବାଚିତ ସିଦ୍ଧାନ୍ତ ବିଜେପିରେ ଯୋଗ ଦେଇ ଦିଗପହଣ୍ଡି ବିଧାୟକ ଭାବେ ନିର୍ବାଚିତ ହୋଇଛନ୍ତି। ସେ ତାଙ୍କ ନିକଟତମ ପ୍ରତିଦ୍ବନ୍ଦ୍ବୀ ତଥା ବିଜେଡି ବିଧାୟକ ପ୍ରାର୍ଥୀ ବିପ୍ଳବ ପାତ୍ରଙ୍କୁ ୧୬ହଜାର ୮୪୭ ଭୋଟ ବ୍ୟବଧାନରେ ପରାସ୍ତ କରିଛନ୍ତି। ଅନ୍ୟପଟେ ବିଜେପି ଛାଡ଼ି ବିଜେଡିରେ ଯୋଗ ଦେଇଥିବା ବରିଷ୍ଠ ନେତା ଭୃଗୁଙ୍କୁ ବଡ଼ ଝଟ୍‌କା ଲାଗିଛି। ସେ ୨୦୧୯ରେ ବିଜେପି ଟିକେଟରୁ ବ୍ରହ୍ମପୁର ସାଂସଦ ପ୍ରାର୍ଥୀ ଭାବେ ଲଢ଼େଇ କରି ବିଜେଡି ପ୍ରାର୍ଥୀ ଚନ୍ଦ୍ରଶେଖର ସାହୁଙ୍କ ଠାରୁ ୯୪ହଜାର ୮୪୪ ଭୋଟରେ ପରାସ୍ତ ହୋଇଥିଲେ। ୨୦୨୪ ନିର୍ବାଚନରେ ସେ ଦଳ ଛାଡ଼ି ବିଜେଡିରେ ଯୋଗ ଦେଇଥିଲେ। ବିଜେପି ପ୍ରାର୍ଥୀ ପ୍ରଦୀପ ପାଣିଗ୍ରାହୀଙ୍କ ଠାରୁ ସେ ୧ଲକ୍ଷ ୬୫ହଜାର ୪୬୭ ଭୋଟରେ ପରାସ୍ତ ହୋଇଛନ୍ତି। ସେହିପରି ବିଜେପି ଛାଡ଼ି କଂଗ୍ରେସରେ ଯୋଗ ଦେଇଥିବା ରଜନୀକାନ୍ତ ହିଂଜିଳିରୁ ଦଳୀୟ ଟିକେଟରେ ପ୍ରତିଦ୍ବନ୍ଦ୍ବିତା କରିଥିଲେ। କିନ୍ତୁ ସେ ପରାଜିତ ହୋଇଛନ୍ତି।