ଢେଙ୍କାନାଳ: ଭିଣୋଇ ଓ ସଂପର୍କୀୟ ଶଳା ସାଙ୍ଗ ହୋଇ ଜଙ୍ଗଲକୁ ଜନ୍ତୁ ଶିକାର ଲାଗି ଯାଇଥିଲେ। ଭୁଲ୍‌ ବୁଝାମଣା ଯୋଗୁଁ ବୁଦାମୂଳେ ଥିବା ଶଳାକୁ ଜନ୍ତୁ ଭାବି ଭିଣୋଇ ଗୁଳି ଚଳାଇବାରୁ ଘଟଣାସ୍ଥଳରେ ଶଳାର ମୃତ୍ୟୁ ଘଟିଛି। ଅଭିଯୁକ୍ତ ଭିଣୋଇକୁ ରବିବାର ସନ୍ଧ୍ୟାରେ ପୁଲିସ ଗିରଫ କରି କୋର୍ଟ ଚାଲାଣ କରିଛି। ମୃତକ ତଥା ସଂପର୍କୀୟ ଶଳା ସଦର ଥାନା ଭାପୁର ଫାଣ୍ଡି  ଅନ୍ତର୍ଗତ ଚାକୁଣ୍ଡାନାଳୀ ଗ୍ରାମର ଗୋବିନ୍ଦଚନ୍ଦ୍ର ନାଏକ (୫୦)। ଅଭିଯୁକ୍ତ ଭିଣୋଇ ରାସୋଳ ଥାନା ଆଳୁସିଂହ ଗ୍ରାମର ରମେଶ ନାଏକ (୫୩) ବୋଲି ଢେଙ୍କାନାଳ ଏସ୍‌ପି ଅଭିନବ ସୋନକର ଆଜି ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି। 

Advertisment

ସୂଚନା ଅନୁଯାୟୀ, ଗୋବିନ୍ଦଙ୍କର ନିକଟସ୍ଥ ଗ୍ରାମ ଫାଶଗାଁ ଶିବମନ୍ଦିର ନିକଟରେ ୪୦ ଏକର ଜମିରେ ଫାର୍ମ ହାଉସ୍‌ ରହିଛି। ସେଠାରେ ସେ ବିଭିନ୍ନ ଫଳଗଛ ସହ କୁକୁଡ଼ା, ବତକ ଚାଷ କରିଥିଲେ। ଗତକାଲି ରାତିରେ ଗୋବିନ୍ଦ ନିଜ ଫାର୍ମ ହାଉସ୍‌ରେ ଶୋଇଥିଲେ। ରାତି ସାଢେ ୨ଟାରେ ରମେଶ ଏକ ଦେଶୀ ବନ୍ଧୁକ ଧରି ଗୋବିନ୍ଦଙ୍କ ଫାର୍ମ ହାଉସ୍‌କୁ ଯାଇ ଜନ୍ତୁ ଶିକାର ଲାଗି ଜଙ୍ଗଲକୁ ଯିବାକୁ ଡାକିଥିଲେ। ଉଭୟ ଫାର୍ମ ହାଉସ୍‌ଠାରୁ ୫୦୦ ମିଟର ଦୂର ଜଙ୍ଗଲ ଭିତରେ ପହଞ୍ଚିବା ପରେ ବୁଦା ଭିତରେ ରହିଥିବା ବନ୍ୟପ୍ରାଣୀଙ୍କୁ ଘଉଡ଼ାଇବା ଲାଗି ଗୋବିନ୍ଦଙ୍କୁ କହିଥିଲେ ରମେଶ। ଜନ୍ତୁ ଘଉଡ଼ାଇବା ଲାଗି ଗୋବିନ୍ଦ ଯାଇଥିଲେ। ହେଲେ ଅନ୍ଧାରରେ ତାଙ୍କ ଉପସ୍ଥିତିକୁ ଠଉରାଇ ନ ପାରି ଡାଳପତ୍ର ହଲୁଥିବାରୁ ଜନ୍ତୁ ଆସୁଥିବା ଭାବି ତାହାକୁ ଲକ୍ଷ୍ୟ କରି ରମେଶ ଗୁଳି ଚଳାଇଥିଲେ। ଫଳରେ ଗୁଳିମାଡ଼ରେ ଗୋବିନ୍ଦ ସେହିଠାରେ ଟଳି ପଡ଼ିଥିଲେ। ଖବର ପାଇ ପରିବାର ଲୋକ ଭୋର ୪ଟାରେ ଗୋବିନ୍ଦଙ୍କୁ ରକ୍ତାକ୍ତ ଅବସ୍ଥାରେ ଉଦ୍ଧାର କରି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଥିବାବେଳେ ସେଠାରେ ତାଙ୍କୁ ମୃତ ଘୋଷଣା କରାଯାଇଥିଲା।

ଏ ସଂପର୍କରେ ମୃତକଙ୍କ ପୁଅ ଅଚ୍ୟୁତ ନାଏକଙ୍କ ଅଭିଯୋଗକ୍ରମେ ସଦର ଥାନାରେ ୧୪୨/୨୫ ଦଫା ୧୦୩(୧) ବିଏନ୍‌ଏସ୍‌ ୨୫/୨୭ ଆର୍ମର୍ସ  ଆକ୍ଟରେ ଏକ ମାମଲା ରୁଜୁ କରାଯାଇଛି। ଘଟଣାସ୍ଥଳରେ ପୁଲିସ, ସାଇଣ୍ଟିଫିକ୍‌ ଟିମ୍‌, ଡଗ୍‌ ସ୍କ୍ୱାଡ୍‌ ପହଞ୍ଚି ତଦନ୍ତ କରିଥିଲେ। ହିନ୍ଦୋଳ ଏସ୍‌ଡିପିଓଙ୍କ ତତ୍ତ୍ବାବଧାନରେ ପୁଲିସ ଟିମ୍‌ ଅଭିଯୁକ୍ତ ରମେଶକୁ ତାଙ୍କ ଘରୁ ଗିରଫ କରିଛି। ହତ୍ୟାରେ ବ୍ୟବହୃତ ବନ୍ଧୁକକୁ ସେ ଜଙ୍ଗଲ ଭିତରେ ଲୁଚାଇ ରଖିଥିବା ବେଳେ ପୁଲିସ ତାହାକୁ ଜବତ କରିଛି। ମୃତକଙ୍କ ଛାତି, ହାତ ଓ ପେଟରେ ଗୁଳି ବାଜିଥିଲା। ତେବେ ଏହି ଘଟଣା ପଛରେ ଅନ୍ୟ କିଛି କାରଣ ଅଛି କି ନାହିଁ, ସେ ସଂପର୍କରେ ମଧ୍ୟ ତଦନ୍ତ କରାଯିବ ବୋଲି ଏସ୍‌ପି ଶ୍ରୀ ସୋନକର ପ୍ରକାଶ କରିଛନ୍ତି। ସାମ୍ବାଦିକ ସମ୍ମିଳନୀରେ ହିନ୍ଦୋଳ ଏସ୍‌ଡିପିଓ ସତ୍ୟକୁମାର ନନ୍ଦ, ଟାଉନ ଥାନା ଅଧିକାରୀ ପ୍ରଭାତ ସାହୁ, ଅତିରିକ୍ତ ସଦର ଥାନା ଅଧିକାରୀ ପୂର୍ଣ୍ଣଚନ୍ଦ୍ର ରାଉତ, ଭାପୁର ଫାଣ୍ଡି ଅଧିକାରୀ ପ୍ରଦୀପ ପାତ୍ର ପ୍ରମୁଖ ଉପସ୍ଥିତ ଥିଲେ।