ଚନ୍ଦାହାଣ୍ଡି : ନବରଂଗପୁର ଜିଲ୍ଲା ଚନ୍ଦାହାଣ୍ଡି ବ୍ଲକ୍ ଅନ୍ତର୍ଗତ ବିଭିନ୍ନ ଜଂଗଲରେ ବେଧଡକ ଚାଲିଛି ବନ୍ୟଜନ୍ତୁ ଶିକାର। ଶିକାର ପରେ ମାଂସକୁ ଖୋଲାଖୋଲି ବିକ୍ରି କରାଯାଉଛି। ଶିକାରୀଙ୍କ ଉପରେ ଅଙ୍କୁଶ ଲଗାଇବାରେ ବନ ବିଭାଗ ବିଫଳ ହେଉଥିବା ଅଞ୍ଚଳବାସୀ ଅଭିଯୋଗ କରିଛନ୍ତି। ଆଜି ଏକ କୁଟ୍ରାକୁ ଶିକାର କରି କିଛି ଗ୍ରାମବାସୀ କାନ୍ଧରେ ବୋହି ନେଉଥିବାର ଭିଡିଓ ଭାଇରାଲ ହୋଇଛି। ବ୍ଲକର ଫଟିକି ପଞ୍ଚାୟତ ଅନ୍ତର୍ଗତ ଏକ ଗ୍ରାମକୁ ଚାଲି ଆସିଥିବା କୁଟ୍ରାକୁ ଗ୍ରାମବାସୀ ଶିକାର କରି ନେଉଥିବା ବେଳେ କେହି ଜଣେ ଭିଡିଓ କରି ଏହାକୁ ଛାଡ଼ିଛନ୍ତି। ଯାହା କି ଚନ୍ଦାହାଣ୍ଡି ଅଞ୍ଚଳରେ ମୋବାଇଲ୍ରୁ ମୋବାଇଲ୍କୁ ଘୂରି ବୁଲୁଛି। ଏହି ଘଟଣା ପରେ ଏଠାରେ ବେଧଡ଼କ ବନ୍ୟଜନ୍ତୁ ଶିକାର ହେଉଥିବା ସ୍ପଷ୍ଟ ହୋଇଯାଇଛି। ଏହା ପୂର୍ବରୁ ମଧ୍ୟ ଚନ୍ଦାହାଣ୍ଡି ବ୍ଲକର ଦଳବେଡା ଗ୍ରାମ ପଂଚାୟତ ଅନ୍ତର୍ଗତ ବରାଗୁଡା ଗ୍ରାମର ଲୋକେ ପଶୁ ଶିକାରକୁ ବିରୋଧ କରି ବନ ବିଭାଗର ଦ୍ୱାରସ୍ଥ ହୋଇଥିଲେ। ଗ୍ରାମବାସୀ ବାରହା ଗୋଡ଼ ଧରି ଚନ୍ଦାହାଣ୍ଡି ବନ ବିଭାଗ କାର୍ଯ୍ୟାଳୟରେ ପହଞ୍ଚି ଏତଲା ଦେଇଥିଲେ। ଶିକାରୀମାନେ ବାରହା ମାଂସ ବାଣ୍ଟୁଥିବା ସମୟରେ ବରାଗୁଡା ଗ୍ରାମବାସୀ ପହଞ୍ଚି ସେମାନଙ୍କ ଠାରୁ ଦୁଇଟି ଗୋଡ ଛଡାଇ ଆଣିଥିଲେ। ଚନ୍ଦାହାଣ୍ଡିର ଫଟିକି ଏବଂ ଦଳବେଡ଼ା ଅଞ୍ଚଳକୁ ଲାଗି ଝରିଗାଁ ସଂରକ୍ଷିତ ଜଂଗଲ ରହିଛି। ଏଠାରେ ଅବାଧରେ ପଶୁ ଶିକାର କରାଯାଉଥିବା ଅଭିଯୋଗ ହେଉଛି। ତେବେ ବନ ବିଭାଗ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁ ନଥିବାରୁ ଦିନକୁ ଦିନ ଶିକାର ବଢ଼ିବାରେ ଲାଗିଛି ବୋଲି ଅଭିଯୋଗ ହେଉଛି।
ଚାଲିଛି ବେଧଡ଼କ ପଶୁ ଶିକାର
କୁଟ୍ରା ଶିକାର କରି କାନ୍ଧରେ ନେବାର ଭିଡିଓ ହେଲା ଭାଇରାଲ
/sambad/media/post_attachments/wp-content/uploads/2018/01/chanda-deer-8.jpg-ff.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)