ଠାକୁରମୁଣ୍ଡା: ଅଣ୍ଟା ବ୍ୟଥା ଉପଶମ ପାଇଁ ମଣିଷଙ୍କୁ ଦେଲେ ପ୍ରାଣୀଙ୍କ ପାଇଁ ଉଦ୍ଦିଷ୍ଟ ଇଞ୍ଜେକସନ୍। ଏହି କାରନାମା କରିଥିବା ନକଲି ଡାକ୍ତର (କ୍ବାକ୍) କେନ୍ଦୁଝର ଜିଲ୍ଲା ଆନନ୍ଦପୁର କଣ୍ଟିପାଳ ଗ୍ରାମର ବିଶ୍ବନାଥ ବେହେରା (୬୫)କୁ ଧରିବା ପାଇଁ ମୟୂରଭଞ୍ଜ ଜିଲ୍ଲା ମହୁଲଡ଼ିହା ଥାନା ପୁଲିସ ଧରପଗଡ଼ ଆରମ୍ଭ କରିଛି। ଠକ ଡାକ୍ତରଠାରୁ ଚିକିତ୍ସିତ ହୋଇଥିବା ମହୁଲଡ଼ିହା ଗ୍ରାମର ଶ୍ରୀକାନ୍ତ ମହାନ୍ତଙ୍କ ଅଭିଯୋଗ ଆଧାରରେ ପୁଲିସ କେସ୍ ନଂ ୨୨/୨୨, ଆଇପିସି ୪୧୭, ୩୩୭, ୩୦୭ରେ ଏକ ମାମଲା ରୁଜୁ କରିଛି। ମହୁଲଡ଼ିହା ଥାନା ଏଏସ୍ଆଇ ସନ୍ତୋଷ ନାୟକ ଓ ପୁରୁଷୋତ୍ତମ ନାୟକ ଆନନ୍ଦପୁର ପୁଲିସ ସହାୟତାରେ ଗତକାଲି ବିଳମ୍ବିତ ରାତିରେ ଅଭିଯୁକ୍ତ ଘରେ ଚଢ଼ଉ କରିଥିଲେ ମଧ୍ୟ ତା’ ପୂର୍ବରୁ ଚମ୍ପଟ୍ ମାରିଛି ବିଶ୍ବନାଥ।
ଏପ୍ରିଲ ୧୬ ତାରିଖରେ ଆନନ୍ଦପୁର କଣ୍ଟିପାଳ ଗ୍ରାମର ବିଶ୍ବନାଥ ବେହେରା ମହୁଲଡିହା ଗାଁ’କୁ ଆସି କାହାର କଣ ରୋଗ ସମସ୍ୟା ଅଛି, ଲୋକଙ୍କୁ ପଚାରି ବୁଝିଥିଲା। ନିଜକୁ ଠାକୁରମୁଣ୍ଡା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରର ଡାକ୍ତର ବୋଲି ଦର୍ଶାଇବାରୁ ଗ୍ରାମର ଶ୍ରୀକାନ୍ତ ମହାନ୍ତ (୫୦)ଙ୍କ ପତ୍ନୀ ତାଙ୍କୁ ଘରକୁ ଡାକିନେଇଥିଲେ। ଶ୍ରୀକାନ୍ତଙ୍କ ଅଣ୍ଟା ବ୍ୟଥା ହେଉଥିବାରୁ ବିଶ୍ୱନାଥ ତାଙ୍କୁ ୩ଟି ଇଞ୍ଜେକସନ୍ (ମେଲୋକ୍ସିକାମ/ MELOXICAM) ଦେଇଥିଲା। ଚିକିତ୍ସା ବାବଦ ଟଙ୍କା ମାଗିବାରୁ ଶ୍ରୀକାନ୍ତଙ୍କ ପୁଅ ଇଞ୍ଜେକସନ୍ ଖୋଳରେ ପଶୁଙ୍କ ପାଇଁ ଉଦ୍ଦିଷ୍ଟ ଥିବା ଲେଖା ଦେଖି ପୂର୍ବତନ ସମିତିସଭ୍ୟ ରଞ୍ଜନ କୁମାର ମହାନ୍ତଙ୍କୁ ଡାକି ଦେଖାଇଥିଲେ। ଏହାକୁ ନେଇ ବିଶ୍ବନାଥ ଓ ଗ୍ରାମବାସୀଙ୍କ ମଧ୍ୟରେ ବାକ୍ବିତଣ୍ଡା ହୋଇ କଥା ଥାନା ପର୍ଯ୍ୟନ୍ତ ଯାଇଥିଲା। ଶେଷରେ ପୂର୍ବତନ ସମିତିସଭ୍ୟଙ୍କ ସହ ବିଶ୍ବନାଥ ଥାନାକୁ ଯାଇ ସେଠାରେ କାହାର କିଛି କ୍ଷତି ଘଟିଲେ ନିଜେ ଦାୟୀ ରହିବେ ବୋଲି ଲେଖି ପଳାଇ ଆସିଥିଲା।
ମେଲୋକ୍ସିକାମ୍ ଇଞ୍ଜେକସନ୍ ପଶୁଙ୍କ ପାଇଁ ଉଦ୍ଦିଷ୍ଟ। ଏହି ଇଞ୍ଜେକସନ୍ ନେଇଥିବା ଶ୍ରୀକାନ୍ତ ମହାନ୍ତଙ୍କୁ ଆଜି ଆମ ଠାକୁରମୁଣ୍ଡା ପ୍ରତିନିଧି ଭେଟିଥିଲେ। ଇଞ୍ଜେକସନ୍ର ପାର୍ଶ୍ବ ପ୍ରତିକ୍ରିୟା ତାଙ୍କ ଶରୀରରେ ପରିଲକ୍ଷିତ ହୋଇନଥିଲେ ମଧ୍ୟ ଦୁର୍ବଳ ଲାଗୁଥିବା କହିଥିଲେ ଶ୍ରୀକାନ୍ତ। ସେହିପରି ଗଉଡ଼ିଆବାହାଳି ଗ୍ରାମର ୮୦ ବର୍ଷୀୟ ବୃଦ୍ଧ ଦୈତାରୀ ମହାନ୍ତଙ୍କୁ ଅଣ୍ଟାବ୍ୟଥା ପାଇଁ ୧୦ଟି ଟାବ୍ଲେଟ୍ ଓ ୩ଟି ଇଞ୍ଜେକସନ୍ ଦେଇ ୪୦୦ ଟଙ୍କା ଠକି ନେଇଛି ବିଶ୍ବନାଥ। ତାଙ୍କୁ କଟକରୁ ଆସିଥିବା କହିଥିଲା ଠକ ଚିକିତ୍ସକ ବିଶ୍ବନାଥ। ଇଞ୍ଜେକ୍ସନ ନେବା ପରେ ଦୈତାରୀଙ୍କୁ ଝାଡ଼ା ଓ ଜ୍ବର ହୋଇଥିବା କହିଛନ୍ତି। ତେବେ ଠାକୁରମୁଣ୍ଡା ଭଳି ଦୁର୍ଗମ ଅଞ୍ଚଳରେ କ୍ବାକ୍ମାନଙ୍କ ପ୍ରାଦୁର୍ଭାବ କିଛି ନୂଆ କଥା ନୁହେଁ। ଏବେ ବି ଗାଁ ଗହଳିରେ ଚିକିତ୍ସା ବ୍ୟବସ୍ଥା କ୍ବାକ୍ମାନଙ୍କ ଦ୍ୱାରା କବଳିତ। ସରକାରୀ କଳ ଓ ସ୍ବାସ୍ଥ୍ୟ ବିଭାଗ ଏହାକୁ ନ ମାନିଲେ ବି ଆଜିର ଦିନରେ ଏହା ବାସ୍ତବ ସତ୍ୟ।