ବୁଲା ପଶୁଙ୍କ ସୁରକ୍ଷା ପାଇଁ ଜୀବ ମଙ୍ଗଳ ଯୋଜନା

ଗୋଶାଳା, ପଶୁ ଚିକିତ୍ସାଳୟର ଭିତ୍ତିଭୂମି ପାଇଁ ମିଳିବ ଅନୁଦାନ

ଭୁବନେଶ୍ବର : ବୁଲା ଏବଂ ବେସାହାରା ପ୍ରାଣୀଙ୍କ ସୁରକ୍ଷା ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ଆରମ୍ଭ ହୋଇଛି ଜୀବମଙ୍ଗଳ ଯୋଜନା। ଏହି ଯୋଜନାରେ ଗୋଶାଳା ପ୍ରତିଷ୍ଠା ସମେତ ବିଭିନ୍ନ ପ୍ରକାର ଚିକିତ୍ସା ବ୍ୟବସ୍ଥା ପାଇଁ ସ୍ବେଚ୍ଛାସେବୀ ସଙ୍ଗଠନଗୁଡ଼ିକୁ ୧୬ରୁ ୫୨ଲକ୍ଷ ଟଙ୍କା ପର୍ଯ୍ୟନ୍ତ ସରକାରୀ ଅନୁଦାନ ଦିଆଯିବ। ଜିଲ୍ଲା ଜୀବେ ନିଷ୍ଠୁରତା ନିରୋଧ ସମିତି, ଜୀବ ମଙ୍ଗଳ ସହିତ ଜଡ଼ିତ ସ୍ବେଚ୍ଛାସେବୀ ସଙ୍ଗଠନ, ରାଜ୍ୟ ଜୀବ ମଙ୍ଗଳ ପରିଷଦ ମିଳିତ ଭାବେ ଏହି କାର୍ଯ୍ୟ କରିବ ବୋଲି କହିଛନ୍ତି କୃଷି ମନ୍ତ୍ରୀ ଡ. ଅରୁଣ ସାହୁ। ଜୀବ ମଙ୍ଗଳ ସଂକ୍ରାନ୍ତରେ କୃଷି ଭବନରେ ଆୟୋଜିତ ରାଜ୍ୟ ସରକାରଙ୍କ ନୂତନ ଯୋଜନା କର୍ମଶାଳାରେ ସେ ଏହି ସୂଚନା ଦେଇଥିଲେ।

ମହାନଗର ନିଗମ, ପୌରପରିଷଦ ଏବଂ ଏନ୍‌ଏସିରେ ବିଭିନ୍ନ ବୁଲା ପଶୁ ପରିତ୍ୟକ୍ତ ଅବସ୍ଥାରେ ପଡ଼ି ରହୁଛନ୍ତି। ଦୁର୍ଘଟଣାରେ ଶିକାର ହୋଇ ସେମାନଙ୍କର ଅକାଳ‌ ମୃତ୍ୟୁ ହେଉଛି। ସେମାନଙ୍କ ବଞ୍ଚି ରହିବାର ଅଧିକାରକୁ ସମ୍ମାନ ଜଣାଇ ବୁଲା, ବେସାହାରା ପ୍ରାଣୀଙ୍କୁ ଚିକିତ୍ସା ସେବା, ଆଶ୍ରୟସ୍ଥଳ ପାଇଁ ଭିତ୍ତିଭୂମି ପ୍ରଦାନ ପାଇଁ ଏହି ଯୋଜନା ପ୍ରସ୍ତୁତ ହୋ‌ଇଛି। ଏହି ଯୋଜନାରେ ପ୍ରାଣୀ ଚିକିତ୍ସାଳୟ, କ୍ଲିନିକ, ପ୍ରାଣୀ ସ୍ବାସ୍ଥ୍ୟସେବା ଭିତ୍ତିଭୂମି, ଅପରେସନ ଥିଏଟର, ଯନ୍ତ୍ରପାତି, ପଶୁ ପରିବହନ ପାଇଁ ଯାନ, ଅସୁସ୍ଥ, ପରିତ୍ୟକ୍ତ ପଶୁଙ୍କ ଆଶ୍ରୟଗୃହ ପାଇଁ ଆର୍ଥିକ ସହାୟତା ପ୍ରଦାନ କରାଯିବ। ଯୋଗ୍ୟ ସ୍ବେଚ୍ଛାସେବୀ ସଙ୍ଗଠନ ସମୁଦାୟ ୫୦ଲକ୍ଷ ଟଙ୍କା ପର୍ଯ୍ୟନ୍ତ ସହାୟତା ପାଇପାରିବେ। ପଶୁ ଜନ୍ମ ନିୟନ୍ତ୍ରଣ କାର୍ଯ୍ୟକ୍ରମ, ପ୍ରାଣୀ ଚିକିତ୍ସା ହେଲ୍ପ ଲାଇନ୍‌ ସୁଦୃଢ଼ କରାଯିବ। ଭୁବନେଶ୍ବର, କଟକ, ପୁରୀ, ସମ୍ବଲପୁର, ଅନଗୁଳ, ଜଗତ୍‌ସିଂହପୁର, ବାରିପଦା, ବ୍ରହ୍ମପୁର, ବାଲେଶ୍ବର, ଭବାନୀପାଟନା, ରାଉରକେଲା ଏବଂ ଯାଜପୁରରେ ଏହା କାର୍ଯ୍ୟକାରୀ ହେବ। କର୍ମଶାଳାରେ ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ବିଭାଗ ଶାସନ ସଚିବ ଆର୍‌. ରଘୁପ୍ରସାଦ, ବିଭିନ୍ନ ସ୍ବେଚ୍ଛାସେବୀ ସଙ୍ଗଠନ, ପୌରପାଳିକା ପ୍ରତିନିଧି ଏବଂ ବିଭାଗୀୟ ଅଧିକାରୀ ଭିଡିଓ କନଫ୍ରେନ୍ସିଂରେ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର