ଅଞ୍ଜନା ମିଶ୍ର ଗଣଦୁଷ୍କର୍ମ ମାମଲା : ସିବିଆଇ ଆଗରେ ବିବନ କହିଲା ସେଇ କାଳରାତିର କାହାଣୀ

ଭୁବନେଶ୍ବର : ବହୁ ଚର୍ଚ୍ଚିତ ଅଞ୍ଜନା ମିଶ୍ର ଗଣଦୁଷ୍କର୍ମ ମାମଲାରେ ସିବିଆଇ ତଦନ୍ତକାରୀ ଟିମ୍ ଆଗରେ ସତ ଉଗାରିଛି ମୁଖ୍ୟ ଅଭିଯୁକ୍ତ ବିବନ ଓରଫ୍ ବିବେକାନନ୍ଦ ବିଶ୍ବାଳ। ଦୁଇ ଦିନିଆ ସିବିଆଇ ରିମାଣ଼୍ଡରେ ଥିବା ବିବନକୁ ଗୁରୁବାର ଝାଳବୁହା ଜେରା କରାଯାଇଛି। କେମିତି ସହଯୋଗୀମାନଙ୍କ ସହ ମିଶି ଏଭଳି ଜଘନ୍ୟ ଅପରାଧ ଘଟାଇଲା, ୨୨ ବର୍ଷ ତଳର ସେହି କଳାରାତିର କାହାଣୀ କହିବା ଆରମ୍ଭ କରିଛି ବିବନ। କାର୍‌ରେ ଅପହରଣ କରିବାଠାରୁ ଆରମ୍ଭ କରି ଲୋମଟାଙ୍କୁରା ଅପରାଧ ଘଟାଇବା ପର୍ଯ୍ୟନ୍ତ ସବୁ ଗୋଟି ଗୋଟି କରି ବର୍ଣ୍ଣନା କରିଛି। ବିବନର ବୟାନ ରେକର୍ଡ କରାଯାଇଛି। ଅପରାଧ ଘଟଇବା ପରେ ବିବନ ୩ ଦିନ ଧରି ବାରଙ୍ଗ ଅଞ୍ଚଳରେ ଲୁଚିଥିଲା। ଏହା ପରେ ଟ୍ରେନ୍‌ ଯୋଗେ ମଧ୍ୟପ୍ରଦେଶ ପଳାଇଥିଲା। ସେଠାରେ କିଛି ବର୍ଷ ରହିବା ପରେ ମହାରାଷ୍ଟ୍ର ଚାଲି ଯାଇଥିଲା। ତେବେ ଗତ ୫ ବର୍ଷ ହେଲା ବିବନ ପରିବାର ସହ ନିୟମିତ ଯୋଗଯୋଗରେ ରହୁଥିଲା। ଜେରା ବେଳେ ସେ ଏହି କଥା କହିଥିବା ଜଣାପଡ଼ିଛି।

ଟିଆଇ ପରେଡରେ ବିବନକୁ ଅଞ୍ଜନା ଚିହ୍ନଟ କରିବା ପରେ ଆଜିର ଏହିସବୁ ସ୍ବୀକାରୋକ୍ତି ସିବିଆଇକୁ ଚାର୍ଜସିଟ୍ ଦାଖଲ କରିବାରେ ବେଶ୍ ସହାୟକ ହେବ। ବିବନକୁ ଧରି ତଦନ୍ତକାରୀ ଟିମ୍ ଘଟଣାସ୍ଥଳରେ ଖୁବଶୀଘ୍ର କ୍ରାଇମ୍ ସିନ୍ ରିକ୍ରିଏସନ୍ କରାଇବ। ରାତିରେ ଘଟଣା ଘଟିଥିବାରୁ ବିଳମ୍ବିତ ରାତି କିମ୍ବା ଭୋରରୁ ଏହି ସିନ୍ ରିକ୍ରିଏସନ୍ ହୋଇପାରେ ବୋଲି ଜଣାପଡ଼ିଛି।

ଗୁରୁବାର ଦିନ ସାଢେ ୧୧ଟାରେ ସିବିଆଇ ତଦନ୍ତକାରୀ ଟିମ୍ ଝାରପଡ଼ା ଜେଲରେ ପହଞ୍ଚିଥିଲା। ୧୧ଟା ୪୫ରେ ବିବନକୁ ପୁଲିସ ଭ୍ୟାନରେ କଡ଼ା ସୁରକ୍ଷା ବଳୟ ଭିତରେ ନିଆ ଯାଇଥିଲା। ପ୍ରଥମେ କ୍ୟାପିଟାଲ ହସ୍ପିଟାଲରେ ସ୍ବାସ୍ଥ୍ୟ ପରୀକ୍ଷା କରା ଯାଇଥିଲା। ଏହା ପରେ ସିବିଆଇ ଅଫିସକୁ ନେଇ ୫ ଜଣିଆ ଟିମ୍ ସେଠାରେ ମାରାଥନ୍ ଜେରା ଚଳାଇଛନ୍ତି। ୪ ଓ ୫ ତାରିଖ ମାତ୍ର ଦୁଇ ଦିନ ପାଇଁ ରିମାଣ୍ଡ ଅନୁମତି ମିଳିଥିବାରୁ ଏହି ସମୟ ସିବିଆଇ ପାଇଁ ବେଶ୍ ଗୁରୁତ୍ବପୂର୍ଣ୍ଣ। ୨୨ ବର୍ଷ ପରେ ବିବନ ଧରା ପଡ଼ିଥିବାରୁ ତା ବିରୋଧରେ ସିବିଆଇ ଯଥେଷ୍ଟ ପ୍ରମାଣ ଯୋଗାଡ଼ କରିବାକୁ ଦିନରାତି ଏକ କରି ଦେଇଛି। ବିବନକୁ ଘଟଣାସ୍ଥଳ ଓ ଘରକୁ ନେଇ ଅଧିକ ତନାଘନା କରିବ ବୋଲି ଜଣାପଡ଼ିଛି। ଆବଶ୍ୟକ ପଡ଼ିଲେ ସିବିଆଇ ବିବନକୁ ପୁଣି ରିମାଣ୍ଡରେ ନେଇପାରେ ବୋଲି ଜଣାପଡିଛି।

ସୂଚନାଯୋଗ୍ୟ ଯେ ଗତକାଲି ଝାରପଡା ଜେଲରେ ବିବନର ଟିଆଇ(ଚିହ୍ନଟ) ପରେଡ୍ ଅନୁଷ୍ଠିତ ହୋଇଥିଲା। ଅଞ୍ଜନା ଓ କାର ଡ୍ରାଇଭର ନୀଳକଣ୍ଠ ରାଉତ ଟିଆଇ ପରେଡରେ ବିବନକୁ ଚିହ୍ନଟ କରିଥିଲେ। ପୂର୍ବରୁ କମିସନରେଟ ପୁଲିସ ବିବନକୁ ପୁଣେ-ଲୋନାଵାଲା ରାସ୍ତାର ଆମ୍ବିଭ୍ୟାଲିରୁ ଗିରଫ କରିଥିଲା। ଗତ ୨୨ ତାରିଖରେ ସିବିଆଇ କୋର୍ଟରେ ହାଜର କରିବା ପରେ ବିବନକୁ ଜେଲ୍ ପଠାଇ ଦିଆ ଯାଇଥିଲା।

ସମ୍ବନ୍ଧିତ ଖବର