ଅଞ୍ଜନା ଗଣଦୁଷ୍କର୍ମ ମାମଲା : ଆଖି ବୁଜିଲା ମୁଖ୍ୟ ଅଭିଯୁକ୍ତ ପଦିଆ ସାହୁ, ଅନ୍ୟତମ ଅଭିଯୁକ୍ତ ବିବନ ବିଶ୍ୱାଳ ଏବେ ବି ଫେରାର୍

ଭୁବନେଶ୍ବର/କଟକ : ବହୁଚର୍ଚ୍ଚିତ ଅଞ୍ଜନା ମିଶ୍ର ଗଣଦୁଷ୍କର୍ମ ମାମଲାରେ ଝାରପଡ଼ା ଜେଲରେ ଆଜୀବନ ସଜା କାଟୁଥିବା ମୁଖ୍ୟ ଆସାମୀ କଟକ ଚାଉଳିଆଗଞ୍ଜ ନୂଆବଜାର ଅଞ୍ଚଳର ପ୍ରଦୀପ କୁମାର ସାହୁ ଓରଫ୍ ପଦିଆର ମୃତ୍ୟୁ ହୋଇଛି। ଚିକିତ୍ସାଧୀନ ଅବସ୍ଥାରେ କ୍ୟାପିଟାଲ ହସ୍ପିଟାଲରେ ଆଜି ସନ୍ଧ୍ୟାରେ ପଦିଆର ମୃତ୍ୟୁ ହୋଇଥିବା ପୁଲିସ ସୂଚନା ଦେଇଛି। ମୃତଦେହକୁ କ୍ୟାପିଟାଲ ହସ୍ପିଟାଲ ଶବ ସଂରକ୍ଷଣ ଗୃହରେ ରଖାଯାଇଛି। ଆସନ୍ତାକାଲି ମାଜିଷ୍ଟ୍ରେଟଙ୍କ ଉପସ୍ଥିତିରେ ଶବ ବ୍ୟବଚ୍ଛେଦ ହେବ ବୋଲି ଜେଲ୍ କର୍ତ୍ତୃପକ୍ଷ ସୂଚନା ଦେଇଛନ୍ତି। ଏ ନେଇ ପଦିଆର ପରିବାର ଲୋକଙ୍କୁ ଖବର ଦିଆଯାଇଛି। ଜେଲ୍ କର୍ତ୍ତୃପକ୍ଷଙ୍କ ରିପୋର୍ଟ ଆଧାରରେ ଲକ୍ଷ୍ମୀସାଗର ଥାନା ପୁଲିସ ଏକ ଅପମୃତ୍ୟୁ ମାମଲା ରୁଜୁ କରିଛି। ଏହାକୁ ନେଇ ୨୧ ବର୍ଷ ତଳର ଘଟଣା ପୁଣି ଏବେ ଆଲୋଚନାର ବିଷୟ ପାଲଟିଛି।

ସୂଚନା ଅନୁଯାୟୀ, ୧୯୯୯ ମସିହା ଜାନୁଆରି ୯ ତାରିଖରେ ଅଞ୍ଜନା ମିଶ୍ରଙ୍କୁ ଗଣଦୁଷ୍କର୍ମ କରାଯାଇଥିଲା। ଏହି ଘଟଣାରେ କଟକ ମହିଳା ଥାନାରେ ଅଭିଯୋଗ ପରେ ପୁଲିସ ପଦିଆ ଓ ଧୀରେନ୍ଦ୍ର ମହାନ୍ତିଙ୍କୁ ସେଇ ମାସ ୨୬ ତାରିଖରେ ଗିରଫ କରିଥିଲା। ୧୯୯୯ ଫେବୃଆରିରେ ଓଡ଼ିଶା ଉଚ୍ଚନ୍ୟାୟାଳୟଙ୍କ ନିର୍ଦ୍ଦେଶ ଆଧାରରେ ସିବିଆଇ ଗଣଦୁଷ୍କର୍ମ ଘଟଣାର ତଦନ୍ତ ଭାର ଗ୍ରହଣ କରିଥିଲା। ସିବିଆଇ ଘଟଣାର ତଦନ୍ତ ଶେଷ କରି ୧୯୯୯ ମେରେ ଚାର୍ଜସିଟ୍‌ ଦାଖଲ କରିଥିଲା। ୨୦୦୨ ଏପ୍ରିଲ ୨୯ ତାରିଖରେ ଖୋର୍ଧା ସେସନ୍‌ସ କୋର୍ଟ ଅଭିଯୁକ୍ତଙ୍କୁ ଆଜୀବନ ସଜା ଶୁଣାଇଥିଲା। ଅଦାଲତ ୫ ହଜାର ଟଙ୍କା ଜରିମାନା ମଧ୍ୟ କରିଥିଲେ। ପଦିଆ ଝାରପଡ଼ା ଜେଲ୍‌ରେ ଥିବାବେଳେ ଧୀରେନ୍ଦ୍ର ଚୌଦ୍ବାର ସର୍କଲ୍‌ ଜେଲ୍‌ରେ ସଜା କାଟୁଛି। ତେବେ, ଝାରପଡ଼ା ଜେଲ୍‌ରେ ପଦିଆ ଥିବାବେଳେ ‘ଫନି’ ସମୟରେ ଏକ ଇଲେକ୍ଟ୍ରି ଖୁଣ୍ଟରେ ମରାମତି ପାଇଁ ଖୁଣ୍ଟକୁ ଚଢ଼ିଥିଲା। କିନ୍ତୁ କେହି ଖୁଣ୍ଟକୁ ହଠାତ୍‌ କରେଣ୍ଟ ଦେଇଦେବାରୁ ପଦିଆ ତଳକୁ ଖସିପଡ଼ିଥିଲା। ଅଣ୍ଟାତଳୁ ସବୁ ଅଙ୍ଗ ଅଚଳ ହୋଇଯାଇଥିଲା। ସେବେଠାରୁ ସେ ଗୁରୁତର ଅସୁସ୍ଥ ଅବସ୍ଥାରେ ଝାରପଡ଼ା ଜେଲ୍‌ ଓ ପରେ ଏମ୍‌ସ୍‌ରେ ଚିକିତ୍ସା ହେଉଥିଲା। ପୁଣି ତାକୁ ଝାରପଡ଼ା ଜେଲ୍‌କୁ ଫେରାଇ ଅଣାଯାଇଥିଲା। ଠିକ୍‌ରେ ଖାଇପାରୁ ନଥିବା ବେଳେ ସ୍ବାସ୍ଥ୍ୟ ଅବସ୍ଥା ବିଗିଡ଼ିଯିବାରୁ ଖାଦ୍ୟନଳୀ ସାହାଯ୍ୟରେ ଖାଦ୍ୟ ଦିଆଯାଉଥିଲା। ତା ସ୍ତ୍ରୀ ବାସନ୍ତୀ ସାହୁ ଗଲା ୩ ତାରିଖରେ ପୁଲିସ ଡିଜି ଶ୍ରୀ ଅଭୟଙ୍କୁ ଭେଟି ପଦିଆକୁ ଉପଯୁକ୍ତ ଚିକିତ୍ସା ଯୋଗାଇ ଦେବାକୁ ଦାବି କରିଥିଲେ। ୨ ମାସ ପର୍ଯ୍ୟନ୍ତ ପରିବାର ଲୋକଙ୍କୁ ଚିକିତ୍ସା ପାଇଁ ହସ୍ତାନ୍ତର କରିବାକୁ ଦାବି କରିଥିଲେ। କିନ୍ତୁ ସେ ଝାରପଡ଼ା ହସ୍‌ପିଟାଲ୍‌ରେ ରହି ଚିକିତ୍ସିତ ହେଉଥିଲା। ଗଲା ୨୦ ତାରିଖରେ ତାକୁ କ୍ୟାପିଟାଲ୍‌ ହସ୍‌ପିଟାଲ୍‌ରେ ଭର୍ତ୍ତି କରାଯାଇଥିଲା। ହସ୍‌ପିଟାଲ୍‌ର ଆଇସିୟୁ(ବେଡ୍‌ ନ˚ ୧୩)ରେ ଚିକିତ୍ସାଧୀନ ଅବସ୍ଥାରେ ଆଜି ଅପରାହ୍ନ ପ୍ରାୟ ୩ଟା ବେଳେ ମୃତ୍ୟୁ ହୋଇଥିଲା। ଆସନ୍ତାକାଲି ବ୍ୟବଚ୍ଛେଦ ପରେ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯିବ ବୋଲି ସୂଚନା ମିଳିଛି।

ଅନ୍ୟପଟେ, ଏହି ମାମଲାର ଅନ୍ୟତମ ଅଭିଯୁକ୍ତ ବିବନ ବିଶ୍ବାଳ ଏବେ ବି ଫେରାର୍ ରହିଛି। ବିବନ ସମ୍ପର୍କରେ ସିବିଆଇ କୌଣସି ସୁରାକ୍ ପାଇପାରି ନାହିଁ। ବିବନ ସମ୍ପର୍କରେ ସୂଚନା ଦେବା ଲାଗି ସିବିଆଇ ପକ୍ଷରୁ ପୁରସ୍କାର ରାଶି ମଧ୍ୟ ଘୋଷଣା କରାଯାଇଥିଲା। ଘଟଣାର ୨୧ ବର୍ଷ ବିତି ଯାଇଥିଲେ ବି ବିବନ କେଉଁଠି ତାହା ଆଜି ବି ସିବିଆଇ ପାଇଁ ଅସମାହିତ ପ୍ରଶ୍ନ ହୋଇ ରହିଛି।

ସମ୍ବନ୍ଧିତ ଖବର