ସମ୍ବଲପୁର : ସମ୍ବଲପୁରର ଅଙ୍କିତ ବର୍ମା ଭାରତୀୟ ସିଭିଲ ସର୍ଭିସ୍‌ ପରୀକ୍ଷାରେ ୧୮୪ ର‍୍ୟାଙ୍କ ପାଇ ଉତ୍ତୀର୍ଣ୍ଣ ହୋଇଛନ୍ତି।

Advertisment

ସମ୍ବଲପୁର ଧନୁପାଲିର ପ୍ରତିଷ୍ଠିତ ଗହଣା ସୋ’ରୁମ୍ ଅଳଙ୍କାର ଜୁଏଲର୍ସ ପରିବାରର ବଡ଼ପୁଅ ଅଙ୍କିତ କମ୍ପ୍ୟୁଟର୍‌ ସାଇନ୍‌ସ ଇଂଜିନିୟରିଂ ଡିଗ୍ରି ହାସଲ ପରେ ପିତାଙ୍କ ପରାମର୍ଶରେ ସିଭିଲ୍‌ ସର୍ଭିସ୍ ପାଇଁ ପ୍ରସ୍ତୁତି କରିଥିଲେ। ୨୦୧୨ରେ ଇଂଜିନିୟରିଂ ଶେଷ କରିଥିଲେ। କ୍ୟାମ୍ପସ୍‌ ଚୟନରେ ଟିସିଏସ୍‌ରେ ନିଯୁକ୍ତି ପାଇଥିଲେ ବି ସେ ଚାକିରି ନକରି ନିଜ ପାରିବାରିକ ବ୍ୟବସାୟରେ ମନୋନିବେଶ କରିଥିଲେ। ତେବେ ୨୦୧୫ରୁ ଦିଲ୍ଲୀରେ ସିଭିଲ୍‌ ସର୍ଭିସ୍ ପାଇଁ ପ୍ରସ୍ତୁତି ଆରମ୍ଭ କରିଥିଲେ। ଚଳିତବର୍ଷ ନିଜ ଶେଷ ଉଦ୍ୟମରେ ଅଙ୍କିତ ସଫଳ ହୋଇଛନ୍ତି। ସର୍ବଭାରତୀୟସ୍ତରରେ ୧୮୪ ର‍୍ୟାଙ୍କ ସହ ସେ ଏକ ଭଲ ପଦବିରେ ଚାକିରି ପାଇବା ନିଶ୍ଚିତ କରିଛନ୍ତି।

ଏହି ସଫଳତା ପାଇଁ ଅଙ୍କିତ ନିଜ ବାପା, ମାଆ, ଆଇ, କାକା, ଭାଇ, ଭଉଣୀଙ୍କୁ ଶ୍ରେୟ ଦେଇଛନ୍ତି। ‘ସମ୍ବାଦ’ ହ କଥାବାର୍ତ୍ତା ବେଳେ ଅଙ୍କିତ କହିଲେ ଯେ ଶେଷ ଉଦ୍ୟମରେ ସଫଳ ହୋଇଥିବାରୁ ସେ ବହୁତ ଖୁସି। ସିଭିଲ୍‌ ସର୍ଭିସ୍ ଜରିଆରେ ନିଜ ଦେଶ ତଥା ରାଜ୍ୟର ସେବା କରିବାକୁ ଲକ୍ଷ୍ୟ ରଖିଛନ୍ତି। ସେଥିପାଇଁ ଓଡ଼ିଶା କ୍ୟାଡର୍‌କୁ ନିଜ ପ୍ରଥମ ପସନ୍ଦ ଦେଇଛନ୍ତି। କିନ୍ତୁ ଯେଉଁ ରାଜ୍ୟ ମିଳିଲେ ବି ସାଧାରଣ ଲୋକଙ୍କ ପାଇଁ କିଛି ଭଲ କାମ କରିପାରିଲେ ତାଙ୍କ ଚାକିରି ସାର୍ଥକ ହେବ। ସମ୍ବଲପୁର ସହର ଧନୁପାଲି ନିବାସୀ ଅଶୋକ ବର୍ମା ଏବଂ ବିନିତା ବର୍ମାଙ୍କ ବଡ଼ପୁଅ ଅଙ୍କିତ ମଦନାବତୀ ପବ୍ଲିକ୍ ସ୍କୁଲ୍‌ରୁ ଦଶମ ପାସ୍‌ କରିବା ପରେ ବିଶାଖାପାଟଣାରେ +୨ ଓ ଚେନ୍ନାଇର ଏସ୍‌ଆର୍‌ଏମ୍ ୟୁନିଭର୍ସିଟିରେ କମ୍ପୁଟର୍‌ ସାଇନ୍‌ସ ଡିଗ୍ରି ହାସଲ କରିଥିଲେ।