କଟକ: ବରଗଡ଼ ଜିଲ୍ଲାପାଳଙ୍କୁ ହାଇକୋର୍ଟରୁ ଆଶ୍ବସ୍ତି ମିଳିଛି। ଜିଲ୍ଲାପାଳଙ୍କୁ ହାଇକୋର୍ଟରେ ହାଜର କରିବା ପାଇଁ ପୂର୍ବରୁ ଜଣିକିଆ ଖଣ୍ଡପୀଠ ବରଗଡ଼ ଏସ୍‌ପିଙ୍କୁ ନିର୍ଦ୍ଦେଶ ଦେଇଥିବା ବେଳେ ତାହା ଉପରେ ହାଇକୋର୍ଟଙ୍କ ଦୁଇ ଜଣିଆ ଖଣ୍ଡପୀଠ ଅଙ୍କୁଶ ଜାରି କରିଛନ୍ତି। ଏକ ପରିବାର ପେନସନ୍ ସଂପର୍କିତ ମାମଲାର ଶୁଣାଣି କରି ମାର୍ଚ୍ଚ ୨୨ରେ ଜଣିକିଆ ବିଚାରପତିଙ୍କୁ ନେଇ ଗଠିତ ଖଣ୍ଡପୀଠ ବରଗଡ଼ ଜିଲ୍ଲାପାଳଙ୍କୁ ହାଜର କରିବା ପାଇଁ ବରଗଡ଼ ଏସପିଙ୍କୁ ନିର୍ଦ୍ଦେଶ ଦେଇଥିଲେ। ଜଣିକିଆ ବିଚାରପତିଙ୍କ ନିର୍ଦ୍ଦେଶ ବିରୋଧରେ ରାଜ୍ୟ ସରକାର ଦାୟର କରିଥିବା ରିଟ୍ ଅପିଲକୁ ହାଇକୋର୍ଟ ବିଚାର ପାଇଁ ଗ୍ରହଣ କରି ଶୁଣାଣି କରିଛନ୍ତି। ପେନସନ ନିୟମ ଅନୁସାରେ ପ୍ରତିପକ୍ଷ ପରିବାର ପେନସନ୍ ପାଇବେ ବା ନାହିଁ ସେ ନେଇ ପରବର୍ତ୍ତୀ ଶୁଣାଣି ସମୟରେ ନିରପେକ୍ଷ ଓ ନିର୍ଦ୍ଦିଷ୍ଟ ଆଭିମୁଖ୍ୟ ସରକାର ରଖିବେ ବୋଲି ହାଇକୋର୍ଟ କହିଛନ୍ତି। ମୁଖ୍ୟ ବିଚାରପତି ଜଷ୍ଟିସ ଚକ୍ରଧାରୀ ଶରଣ ସିଂହ ଓ ଜଷ୍ଟିସ ଏମ.ଏସ.ରମଣଙ୍କୁ ନେଇ ଗଠିତ ଖଣ୍ଡପୀଠ ରାଜ୍ୟ ସରକାରଙ୍କ ତରଫରୁ ଦାୟର ରିଟ୍ ଅପିଲର ଶୁଣାଣି କରି ଏହି ନିର୍ଦ୍ଦେଶ ଦେଇଛନ୍ତି। ଏପ୍ରିଲ ୧୮କୁ ମାମଲାର ପରବର୍ତ୍ତୀ ଶୁଣାଣି ପାଇଁ ଧାର୍ଯ୍ୟ କରାଯାଇଛି।

Advertisment

ମାମଲାର ବିବରଣୀରୁ ପ୍ରକାଶ ଯେ ଏକଦା ରାଜସ୍ବ ନିରୀକ୍ଷକ ଭାବେ କାର୍ଯ୍ୟ କରୁଥିବା ସରକାରୀ କର୍ମଚାରୀଙ୍କ ମୃତ୍ୟୁ ପରେ ତାଙ୍କ ପତ୍ନୀ ସୁରେଶ୍ବରୀ ମିଶ୍ର ପରିବାର ପେନସନ ପ୍ରସଂଗ ନେଇ ୨୦୧୭ରେ ରାଜ୍ୟ ପ୍ରଶାସନିକ ଟ୍ରିବୁନାଲ (ସ୍ୟାଟ୍)ରେ ମାମଲା ଦାୟର କରିଥିଲେ। ସ୍ୟାଟ୍ ଉଚ୍ଛେଦ ପରେ ମାମଲା ଶୁଣାଣି ପାଇଁ ହାଇକୋର୍ଟକୁ ଆସିଥିଲା। ମାର୍ଚ୍ଚ ୧୧ରେ ହାଇକୋର୍ଟର ଜଣିକିଆ ବିଚାରପତିଙ୍କୁ ନେଇ ଗଠିତ ଖଣ୍ଡପୀଠରେ ମାମଲାର ଶୁଣାଣି ସମୟରେ ବରଗଡ଼ ଜିଲ୍ଲାପାଳଙ୍କ ପକ୍ଷରୁ ଦାଖଲ ତଥ୍ୟରୁ ସ୍ପଷ୍ଟ ହୋଇଥିଲା ଯେ ସଂପୃକ୍ତ ସରକାରୀ କର୍ମଚାରୀ ୨୦୦୦ ଜୁଲାଇ ୨୫ରେ ଏକ ଫୌଜଦାରୀ ମାମଲାରେ ଦୋଷୀ ସାବ୍ୟସ୍ତ ହୋଇଥିବାରୁ ପେନସନ୍ ପାଇବା ପାଇଁ ଯୋଗ୍ୟ ନୁହନ୍ତି। ତେଣୁ ସଂପୃକ୍ତ କର୍ମଚାରୀଙ୍କ ମୃତ୍ୟୁ ପରେ ତାଙ୍କ ପତ୍ନୀ ମଧ୍ୟ ସମାନ କାରଣରୁ ପରିବାର ପେନସନ ପାଇବା ପାଇଁ ଯୋଗ୍ୟ ନୁହନ୍ତି। କିନ୍ତୁ ନିମ୍ନ ଅଦାଲତରେ ଦୋ‌ଷୀ ସାବ୍ୟସ୍ତ ହେବା ପରେ ସଂପୃକ୍ତ ସରକାରୀ କର୍ମଚାରୀଙ୍କୁ ଚାକିରିରୁ ବହିଷ୍କାର ପାଇଁ ଉପଯୁକ୍ତ ନିର୍ଦ୍ଦେଶନାମା ସରକାରୀ ସ୍ତରରେ ଜାରି କରାଯାଇ ନଥିଲା। ମାର୍ଚ୍ଚ ୨୦ରେ ମାମଲାର ଶୁଣାଣି ସମୟରେ ସରକାରଙ୍କ ତରଫରୁ ଦାଖଲ ତଥ୍ୟକୁ ନେଇ ହାଇକୋର୍ଟ ଅସନ୍ତୋଷବ୍ୟକ୍ତ କରିବା ସହିତ ବରଗଡ଼ ଜିଲ୍ଲାପାଳଙ୍କୁ ବ୍ୟକ୍ତିଗତ ହାଜିରା ପାଇଁ ନିର୍ଦ୍ଦେଶ ଦେଇଥିଲେ। କିନ୍ତୁ ମାର୍ଚ୍ଚ ୨୨ରେ ମାମଲାର ଶୁଣାଣି ସମୟରେ ବରଗଡ଼ ଜିଲ୍ଲାପାଳ ବ୍ୟକ୍ତିଗତ ଭାବେ ହାଜର ହୋଇ ନଥିଲେ। ଫଳରେ ପରବର୍ତ୍ତୀ ତାରିଖରେ ଜିଲ୍ଲାପାଳଙ୍କୁ ହାଜର କରିବା ପାଇଁ ବରଗଡ଼ ଏସପିଙ୍କୁ ହାଇକୋର୍ଟ ନିର୍ଦ୍ଦେଶ ଦେଇଥିଲେ।