ଆଇନଜୀବୀଙ୍କ ଉପରୁ ଅଙ୍କୁଶ ହଟିଲା, ୫୪ ଜଣଙ୍କ ସସ୍‌ପେଣ୍ଡ୍‌ ବଳବତ୍ତର

କଟକ/ସମ୍ବଲପୁର : ସମ୍ବଲପୁର ବାର୍ ଆସୋସିଏସନ୍‌ର ସମସ୍ତ ସଭ୍ୟଙ୍କ ଲାଇସେନ୍ସ ସସ୍‌ପେଣ୍ଡ୍‌ ନେଇ ଡିସେମ୍ବର ୧୨ରେ ଜାରି ନିର୍ଦ୍ଦେଶନାମାକୁ ବାର୍ କାଉନସିଲ ଅଫ୍ ଇଣ୍ଡିଆ (ବିସିଆଇ) ପକ୍ଷରୁ ପ୍ରତ୍ୟାହାର କରାଯାଇଛି। ସମ୍ବଲପୁର ଅଦାଲତ ପରିସରରେ ହୋଇଥିବା ଘଟଣାରେ ସଂପୃକ୍ତ ୫୪ ଜଣ ଆଇନଜୀବୀଙ୍କୁ ଚିହ୍ନଟ କରାଯାଇ ସେମାନଙ୍କ ଲାଇସେନ୍ସ ସସ୍‌ପେଣ୍ଡ କରାଯାଇଥିବା ପ୍ରସଙ୍ଗକୁ ବିଚାରକୁ ନେଇ ବିସିଆଇ ଏ ନେଇ ସାନି ନିର୍ଦ୍ଦେଶନାମା ଜାରି କରିଛି। ଏଥିରେ ଉଲ୍ଲେଖ କରାଯାଇଛି ଯେ ସମ୍ବଲପୁର ଘଟଣାରେ ଡିସେମ୍ବର ୧୨ରେ ୨୯ ଜଣ, ୧୩ରେ ୧୪ଜଣ ଓ ୧୬ ତାରିଖରେ ୧୧ଜଣ ଆଇନଜୀବୀଙ୍କ ଲାଇସେନ୍ସ ସସ୍‌ପେଣ୍ଡ ପାଇଁ ନିର୍ଦ୍ଦେଶ ଦିଆଯାଇଛି। ଏହି ଆଇନଜୀବୀମାନଙ୍କୁ ଛାଡ଼ି ସମ୍ବଲପୁର ଅଦାଲତରେ ଓକିଲାତି କରୁଥିବା ଅନ୍ୟ ସମସ୍ତ ଆଇନଜୀବୀଙ୍କୁ କାର୍ଯ୍ୟ କରିବାକୁ ଅନୁମତି ଦିଆଯାଇଛି। ବିସିଆଇ ପକ୍ଷରୁ ଡିସେମ୍ବର ୧୬ରେ ଜାରି ନିର୍ଦ୍ଦେଶନାମାରେ ଏଭଳି କଥା ସ୍ପଷ୍ଟ କରାଯାଇଛି।

Law Trend

ବିସିଆଇରେ ଓଡ଼ିଶାର ପ୍ରତିନିଧି ବରିଷ୍ଠ ଆଇନଜୀବୀ ଦେବୀ ପ୍ରସାଦ ଧଳଙ୍କ ଡିସେମ୍ବର ୧୫ର ଚିଠିରେ ରହିଥିବା ଅନୁରୋଧକୁ ବିଚାରକୁ ନେଇ ଆଜି ଏହି ନିର୍ଦ୍ଦେଶନାମା ବିସିଆଇ ତରଫରୁ ଜାରି କରାଯାଇଛି।

ସସ୍‌ପେଣ୍ଡ ହୋଇଥିବା ୫୪ ଜଣ ଆଇନଜୀବୀ ବିସିଆଇ ସଚିବଙ୍କ ନିକଟରେ ନିଜ ସ୍ପଷ୍ଟୀକରଣ ‌୨୦୨୩, ଫେବ୍ରୁଆରି ୧୫ ସୁଦ୍ଧା ଦାଖଲ କରିବେ। ଏହାପରେ ଏହି ପ୍ରସଙ୍ଗରେ ବିଚାର କରାଯିବ। ଏଥିସହିତ ବିସିଆଇ ତରଫରୁ ଏକ ଫ୍ୟାକ୍ଟ ଫାଇଣ୍ଡିଂ କମିଟି ଗଠନ କରାଯାଇଛି। ବିସିଆଇ କୋ-ଚେୟାରମ୍ୟାନ୍ ବରିଷ୍ଠ ଆଇନଜୀବୀ ଦେବୀ ପ୍ରସାଦ ଧଳ, ରାଜ୍ୟ ଆଇନଜୀବୀ ପରିଷଦ ସ୍ବତନ୍ତ୍ର କମିଟି ସଦସ୍ୟ ବରିଷ୍ଠ ଆଇନଜୀବୀ ମାନସ ରଂଜନ ମହାପାତ୍ର ଓ ବରିଷ୍ଠ ଆଇନଜୀବୀ ଯଶୋବନ୍ତ ଦାଶ ଏହି କମିଟିରେ ସଦସ୍ୟ ରହିଛନ୍ତି। ୨୦୨୩, ଜାନୁଆରି ୧୫ ସୁଦ୍ଧା କମିଟି ବିସିଆଇ ନିକଟରେ ରିପୋର୍ଟ ଦାଖଲ କରିବ। ସମ୍ବଲପୁରରେ ହୋଇଥିବା ସମଗ୍ର ଘଟଣା ପଛରେ ବାସ୍ତବରେ ରହିଥିବା ଆଇନଜୀବୀ ଓ କେଉଁମାନଙ୍କ ପ୍ରରୋଚନାରେ ଏପରି ‌କରାଯାଇଥିଲା, ସେମାନଙ୍କୁ ଖୋଜି ବାହାର କରିବାକୁ କମିଟିକୁ ଦାୟିତ୍ବ ଦିଆଯାଇଛି। ଏଥିସହିତ ହାଇକୋର୍ଟର କେତେକ ଆଇନଜୀବୀ ସମ୍ବଲପୁର ଓ ଅନ୍ୟ ବାର୍ ଆସୋସିଏସନର ଆଇନଜୀବୀଙ୍କୁ ଉସ୍‌କାଇଥିବା ଘଟଣା ବିସିଆଇ ନଜରକୁ ଆସିଛି।

ମିଳିଥିବା ରିପୋର୍ଟରେ ରାଜ୍ୟର ବିଭିନ୍ନ ବାର୍ ଆସୋସିଏସନର କର୍ମକର୍ତ୍ତାଙ୍କୁ ନେଇ ଏହି ଆଇନଜୀବୀମାନେ ଏକ ବୈଠକ ଡାକିଥିଲେ। ଅଦାଲତରେ ଏପରି ଘଟଣା ପାଇଁ ପ୍ରରୋଚନା ଦେବାରେ ଏହି ଆଇନଜୀବୀମାନେ ସକ୍ରିୟ ଅଂଶ ଗ୍ରହଣ କରିଥିଲେ। ଏହି ପ୍ରସଙ୍ଗରେ ସତ ଖୋଜି ବାହାର କରି ବିସିଆଇ ସଚିବଙ୍କ ନିକଟରେ ରିପୋର୍ଟ ଦାଖଲ କରିବାକୁ ହାଇକୋର୍ଟ ରେଜିଷ୍ଟ୍ରାର ଜେନେରାଲଙ୍କୁ ଅନୁରୋଧ କରାଯାଇଥିବା ନେଇ ଆଜିର ନିର୍ଦ୍ଦେଶନାମାରେ ସ୍ପଷ୍ଟ କରାଯାଇଛି। ରି‌ପୋର୍ଟ ମିଳିବା ପରେ ବିସିଆଇ ଏହି ପ୍ରସଙ୍ଗରେ ଉପଯୁକ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବ ବୋଲି ଉଲ୍ଲେଖ କରାଯାଇଛି।

ଏଠାରେ ଉଲ୍ଲେଖ ଯୋଗ୍ୟ ଯେ ସମ୍ବଲପୁର ବାର୍ ଆସୋସିଏସନର ସମସ୍ତ ସଭ୍ୟଙ୍କ ଲାଇସେନ୍ସ ସସ୍‌ପେଣ୍ଡ୍‌ ନେଇ ଡିସେମ୍ବର ୧୨ରେ ଜାରି ନିର୍ଦ୍ଦେଶନାମାରେ ପରିବର୍ତ୍ତନ କରିବା ପାଇଁ ବାର୍ କାଉନସିଲ ଅଫ୍ ଇଣ୍ଡିଆରେ ଓଡ଼ିଶାର ପ୍ରତିନିଧି ତଥା ବିସିଆଇ ଟ୍ରଷ୍ଟ ମ୍ୟାନେଜିଂ ଟ୍ରଷ୍ଟି ବରିଷ୍ଠ ଆଇନଜୀବୀ ଶ୍ରୀ ଧଳ ଅନୁରୋଧ କରିଥିଲେ।

ସମ୍ବନ୍ଧିତ ଖବର