ସାକ୍ଷୀଗୋପାଳ ମନ୍ଦିରରେ ଅଁଳା ନବମୀ, ରାଧାପାଦ ଦର୍ଶନ କଲେ ଲକ୍ଷାଧିକ ଭକ୍ତ

ସାକ୍ଷୀଗୋପାଳ: ପବିତ୍ର ଅଁଳା ନବମୀ ଅବସରରେ ଆଜି ସାକ୍ଷୀଗୋପାଳ ମନ୍ଦିରରେ ରାଜ୍ୟ ତଥା ରାଜ୍ୟ ବାହାରୁ ଆସିଥିବା ଲକ୍ଷାଧିକ ଭକ୍ତ ଶ୍ରୀଶ୍ରୀ ରାଧାରାଣୀଙ୍କ ପାଦ ଦର୍ଶନ କରିଛନ୍ତି। ପ୍ରଶାସନ ପକ୍ଷରୁ ନିର୍ମିତ ବ୍ୟାରିକେଡ୍‌ରେ ଧାଡ଼ିରେ ଆସି ଭକ୍ତମାନେ ସିଂହଦ୍ୱାର ନିକଟରେ ପହଞ୍ଚିଥିଲେ। ଭିଡ଼କୁ ଦୃଷ୍ଟିରେ ରଖି ଚଳିତ ବର୍ଷ ପ୍ରଶାସନ ପକ୍ଷରୁ ୨ଟି ଧାଡ଼ି କରାଯାଇଥିଲା। ଧାଡ଼ି ପ୍ରାୟ ଏକ କିଲୋମିଟର ବ୍ୟାପୀ ଚନ୍ଦନ ପୁଷ୍କରିଣୀ ପର୍ଯ୍ୟନ୍ତ ଲମ୍ବିଥିଲା। ଶ୍ରଦ୍ଧାଳୁମାନଙ୍କୁ ଧାଡ଼ିରେ ଯାଇ ଦର୍ଶନ କରିବା ପାଇଁ ୩ରୁ୪ ଘଣ୍ଟା ସମୟ ଲାଗିଥିଲା। ଏହି ଉପଲକ୍ଷେ ଆଜି ଠାକୁରାଣୀଙ୍କ ଓଡ଼ିଆଣୀ ବେଶ ହୋଇଥିଲା। ମା’ ନୂତନ ପାଟବସ୍ତ୍ର ପରିଧାନ କରିଥିଲେ। ସେହିପରି ଶ୍ରୀଶ୍ରୀ ସାକ୍ଷୀଗୋପାଳଙ୍କ ମନୋରମ ନଟବର ବେଶ ହୋଇଥିଲା। ପୁରୀ ଜିଲ୍ଲାପାଳ ବଲୱନ୍ତ ସିଂହ ଓ ଆରକ୍ଷୀ ଅଧୀକ୍ଷକ ଉମାଶଙ୍କର ଦାଶ ଦର୍ଶନ ବ୍ୟବସ୍ଥାର ତଦାରଖ କରିଥିଲେ।

୩୦ ମିନିଟ୍‌ ଦେବନୀତି ଓ ଦର୍ଶନ ବନ୍ଦ
ଆଜି ସକାଳ ୮ଟାରୁ ୮ଟା ୩୦ ମିନିଟ୍‌ ପର୍ଯ୍ୟନ୍ତ ଦେବନୀତି ଓ ଦର୍ଶନ ବନ୍ଦ ରହିଥିଲା। ସେବାୟତ ଓ ସେମାନଙ୍କର ପରିବାରବର୍ଗଙ୍କୁ ପ୍ରଶାସନ ଅଟକାଇବା, ମନ୍ଦିର ଦକ୍ଷିଣ ଦ୍ବାର ବନ୍ଦ ରଖିବା ଓ ଅରୁଣ ସ୍ତମ୍ଭ ନିକଟକୁ ଭକ୍ତ ଓ ଶ୍ରଦ୍ଧାଳୁମାନଙ୍କୁ ନଛାଡ଼ିବା ପ୍ରତିବାଦରେ ସେବାୟତମାନେ ଦେବନୀତି ବନ୍ଦ କରିଦେଇଥିଲେ। ଉପଜିଲ୍ଲାପାଳ ଭବତାରଣ ସାହୁ, ଅତିରିକ୍ତ ଆରକ୍ଷୀ ଅଧୀକ୍ଷକ ପ୍ରତାପ କୁମାର ସ୍ବାଇଁ ଓ ବିଡିଓ ସରୋଜ କୁମାର ଦତ୍ତ ପ୍ରମୁଖ ସେବାୟତ ସଂଘ ସଂପାଦକ ଦିବାକର ମହାପାତ୍ର, ବିଜୟ ମହାପାତ୍ର, ସଞ୍ଜୟ କୁମାର ନନ୍ଦ ଓ ମନ୍ଦିର ସୁପରଭାଇଜର୍‌ ବିଶ୍ୱନାଥ ମହାପାତ୍ରଙ୍କ ସହ ଆଲୋଚନା କରିବା ପରେ ସମସ୍ୟାର ସମାଧାନ ହୋଇଥିଲା।

ସମ୍ବନ୍ଧିତ ଖବର