ସୀମା ଲଂଘିଲା ଏଏନ୍‌ଏମ୍‌ ସ୍ବାସ୍ଥ୍ୟକର୍ମୀଙ୍କ ଗୋଷ୍ଠୀ କନ୍ଦଳ : ବିଳମ୍ବିତ ରାତିରେ ଚିରିଲେ ବ୍ୟାନର୍ ଓ ପାଲ

ଭୁବନେଶ୍ବର : ଦୀର୍ଘ ୪୯ ଦିନ ହେବ ଲୋୟର୍ ପିଏମ୍‌ଜିରେ ଧାରଣାରେ ବସିଥିବା ଏଏନ୍‌ଏମ୍‌ ସ୍ବାସ୍ଥ୍ୟକର୍ମୀଙ୍କ ଗୋଷ୍ଠୀ କନ୍ଦଳ ଏବେ ସୀମା ଲଂଘିଛି। ବୁଧବାର ବିଳମ୍ବିତ ରାତିରେ ଗୋଟେ ଗୋଷ୍ଠୀର କିଛି ସ୍ବାସ୍ଥ୍ୟକର୍ମୀ ଅପରଗୋଷ୍ଠୀର ବ୍ୟାନର୍ ଚିରିବା ସହିତ ସେମାନଙ୍କ ପାଲକୁ ମଧ୍ୟ ଚିରି ଦେଇଛନ୍ତି। ଏପରିକି ଧାରଣାସ୍ଥଳରୁ ଉଠିଯିବା ପାଇଁ ଧମକ ଦିଆଯାଉଥିବା ଅଭିଯୋଗ କରିଛନ୍ତି ପୀଡ଼ିତ ଏଏନ୍‌ଏମ୍‌ ଗୋଷ୍ଠୀ।

ଏହି ଗୋଷ୍ଠୀ କନ୍ଦଳ ପଛରେ ଟଙ୍କା ହଡ଼ପ ମୂଳ ପ୍ରସଙ୍ଗ ବୋଲି ସୂଚନା ମିଳିଛି। କାରଣ ଟଙ୍କା ଆଦାୟକୁ ନେଇ ଗୋଟେ ଗୋଷ୍ଠୀ ସିବିଆଇ ତଦନ୍ତ ସହ ଦୋଷୀଙ୍କୁ ଧରିବା ପାଇଁ ଦାବି କରୁଥିବାବେଳେ ଅପର ଗୋଷ୍ଠୀ ଟଙ୍କା ଆଦାୟକୁ ସଂପୂର୍ଣ୍ଣ ମିଥ୍ୟା ବୋଲି କହିଛି। ଏପରିକି ୩ ଅଭିଯୁକ୍ତଙ୍କୁ ପୁଲିସ୍‌ ମିଛରେ ଫସାଇ ଗିରଫ କରିଛି ବୋଲି ସେମାନେ ଅଭିଯୋଗ କରିଛନ୍ତି।

ଏଏନ୍‌ଏମ୍ ସ୍ବାସ୍ଥ୍ୟକର୍ମୀଙ୍କ ଗୋଷ୍ଠୀ କନ୍ଦଳ ଆନ୍ଦୋଳନର ପ୍ରଥମ ଦିନରୁ ହିଁ ଆରମ୍ଭ ହୋଇ ଯାଇଥିଲା। ମୂଳ ଗୋଷ୍ଠୀ ନିଖିଳ ଓଡ଼ିଶା ଅଣନିଯୁକ୍ତି ତାଲିମପ୍ରାପ୍ତ ମହିଳା ସ୍ବାସ୍ଥ୍ୟକର୍ମୀ ସଂଘରେ ଟଙ୍କା ଆଦାୟ ଓ ବିଭିନ୍ନ ଆରୋପ ଲଗାଇ ଅଲଗା ହୋଇ ପ୍ରାୟ ଅଧାରୁ ଅଧିକ ଏଏନ୍‌ଏମ୍ ଏକ ନୂଆ ସଂଗଠନ ଗଢ଼ିଥିଲେ। ତେବେ ନୂଆ ସଂଗଠନରେ ମଧ୍ୟ ପୂର୍ବ ପରି ନୂଆ ଲିଡର୍‌ମାନେ ମଧ୍ୟ ଟଙ୍କା ହଡ଼ପ ଯୋଜନା ଆରମ୍ଭ କରିଥିଲେ। ପ୍ରଥମେ ଖାଇବା, ରହିବା ଓ ଯିବା ଆସିବାକୁ ଆଳ କରି ହଜାରେ ଟଙ୍କା, ପରେ ୫ ହଜାର ଟଙ୍କା ଆଦାୟ କରାଗଲା। ତେବେ ଏହାକୁ କେହି ବିରୋଧ କରୁ ନ ଥିବାରୁ ଅର୍ଥ ଳାଳସା ବଢ଼ି ଶେଷରେ ୧୫ ହଜାରରେ ପହଞ୍ଚିଥିଲା। ଏହାକୁ କିଛି ଏଏନ୍‌ଏମ୍ ବିରୋଧ କରିବାରୁ ସେମାନଙ୍କୁ ଜୋର୍ କରି ସେଠାରୁ ତଡ଼ି ଦିଆଯାଇଥିଲା। ତେବେ ଟଙ୍କା ଆଦାୟକୁ ନେଇ ପୁଲିସ୍ ପକ୍ଷରୁ କାର୍ଯ୍ୟାନୁଷ୍ଠାନ ନିଆଯିବା ପରେ ବିତାଡ଼ିତ ଏଏନ୍‌ଏମ୍‌ ଗୋଷ୍ଠୀ ଧାରଣାସ୍ଥଳକୁ ଆସି ଘଟଣାର ସିବିଆଇ ତଦନ୍ତ କରିଥିଲେ। ଯାହାକୁ ନେଇ ପୂର୍ବରୁ ବସିଥିବା ଗୋଷ୍ଠୀ ଉତ୍‌କ୍ଷିପ୍ତ ହୋଇ ଗତକାଲି ସେମାନଙ୍କ ବ୍ୟାନର ଚିରିବା ସହିତ ସେମାନଙ୍କ ପାଲ ଚିରି ଦେଇଛନ୍ତି। ଆଜି ମଧ୍ୟ ବିତାଡ଼ିତ ଏଏନ୍‌ଏମ୍‌ ଗୋଷ୍ଠୀ ଧାରଣାସ୍ଥଳରେ ବ୍ୟାନର ଓ ମୁଖା ପିନ୍ଧି ଟଙ୍କା ହଡ଼ପ କରିଥିବା ଏଏନ୍‌ଏମ୍‌ଙ୍କ ଗିରଫ ଓ ସିବିଆଇ ତଦନ୍ତ କରିଥିଲେ। ତେବେ ଗିରଫ ହୋଇଥିବା ୩ ଦଲାଲ୍‌ଙ୍କ ମଧ୍ୟରୁ ଜଣଙ୍କୁ ରିମାଣ୍ଡରେ ନେଇଥିବା ପୁଲିସ୍ ଅଧିକ କିଛି ସୂଚନା ପାଇନଥିବା ଜଣାପଡ଼ିଛି।

ସମ୍ବନ୍ଧିତ ଖବର