ଏଏନ୍‌ଏମ୍ ସ୍ୱାସ୍ଥ୍ୟକର୍ମୀଙ୍କ ଅନଶନ : ୧୬ ଦିନରେ ୨୧ ଅସୁସ୍ଥ

ଭୁବନେଶ୍ବର : ସ୍ଥାୟୀ ନିଯୁକ୍ତି ଦାବିରେ ପ୍ରଥମେ ଆନ୍ଦୋଳନ ଓ ପରେ ଆମରଣ ଅନଶନରେ ବସିଥିବା ଏଏନ୍‌ଏମ୍ ସ୍ବାସ୍ଥ୍ୟକର୍ମୀଙ୍କ ସ୍ବାସ୍ଥ୍ୟାବସ୍ଥା ବିଗିଡ଼ିବାରେ ଲାଗିଛି। ଅନଶନର ଚତୁର୍ଥ ଦିନରେ ଭଦ୍ରକର ସସ୍ମିତା ପାଢ଼ୀ ଗୁରୁତର ଅସୁସ୍ଥ ହୋଇ ଏକ ଘରୋଇ ମେଡିକାଲ୍‌ରେ ଭର୍ତ୍ତି ହୋଇଛନ୍ତି। ଅନଶନର ପ୍ରଥମ ଦିନରେ ଏବଂ ଗତକାଲି ଅସୁସ୍ଥ ହୋଇଥିବା ସସ୍ମିତା ଶନିବାର ସକାଳେ ହଠାତ୍ ଛାତିରେ ଯନ୍ତ୍ରଣା ଅନୁଭବ କରିବା ସହ ବାରମ୍ବାର ଚେତା ହରାଇଥିଲେ। ତାଙ୍କୁ କ୍ୟାପିଟାଲ୍ ହସ୍ପିଟାଲ୍‌‌‌ରେ ଚିକିତ୍ସା କରାଯାଇଥିଲା। ମାତ୍ର ସ୍ବାସ୍ଥ୍ୟାବସ୍ଥାରେ ଉନ୍ନତି ପରିଲକ୍ଷିତ ନହେବାରୁ ତାଙ୍କୁ ଘରୋଇ ଡାକ୍ତରଖାନାକୁ ନିଆଯାଇଥିବା ଜଣାଯାଇଛି। ସେହିପରି ଗତକାଲି ଢେଙ୍କାନାଳର ଭାଗ୍ୟଶ୍ରୀ ବିଶ୍ବାଳ ଅସୁସ୍ଥ ହୋଇ ଡାକ୍ତରଖାନାରେ ଭର୍ତ୍ତି ହୋଇଥିଲେ। ୧୬ଦିନର ଏହି ଆନ୍ଦୋଳନ ମଧ୍ୟରେ ମୋଟ ୨୧ ଜଣ ଏଏନ୍‌ଏମ୍‌ ଅସୁସ୍ଥ ହେଲେଣି। ତଥାପି ସରକାର ତାଙ୍କ ଦୁଃଖ ଶୁଣୁନାହାନ୍ତି ବୋଲି ସେମାନେ ଅଭିଯୋଗ କରିଛନ୍ତି।

ବିଭିନ୍ନ ଦଳର ନେତା ସେମାନଙ୍କ ପାଖକୁ ଆସି ଖାଲି ସାନ୍ତ୍ବନା ଦେବା ବ୍ୟତୀତ ଦାବିକୁ ନେଇ କୌଣସି ତତ୍ପରତା ଦେଖାଉ ନାହାନ୍ତି। କରୋନା ସମୟରେ ଜୀବନକୁ ବାଜି ଲଗାଇ ସେମାନେ ଲୋକଙ୍କ ସେବା କରିବା ପରେ ବି ମନ୍ତ୍ରୀ ତାଙ୍କୁ ଦେଖା ନଦେଇ ଅନ୍ୟାୟ କରୁଛନ୍ତି। ୧୫ ହଜାର ସ୍ବାସ୍ଥ୍ୟକର୍ମୀଙ୍କ ନିଯୁକ୍ତି ପାଇଁ ସରକାର ଦେଇଥିବା ପ୍ରତିଶ୍ରୁତି ଭୁଲି ଯାଇଛନ୍ତି ବୋଲି ସେମାନେ କହିଛନ୍ତି। ତେଣୁ ସରକାର ସେମାନଙ୍କ ସହିତ ଆଲୋଚନା କରି ଦାବି ପୂରଣ ନକରିବା ପର୍ଯ୍ୟନ୍ତ ଆମରଣ ଅନଶନ ଜାରି ରହିବ ବୋଲି ସ୍ବାସ୍ଥ୍ୟକର୍ମୀମାନେ ସୂଚନା ଦେଇଛନ୍ତି। ଆଜି କ୍ରାନ୍ତିକାରୀ ଓଡ଼ିଶାର ଅଧ୍ୟକ୍ଷ ଗଙ୍ଗାଧର ପାଣିଗ୍ରାହୀ ଏଏନ୍ଏମ୍‌ମାନଙ୍କୁ ଭେଟିଥିବା ଜଣାପଡ଼ିଛି।

ସମ୍ବନ୍ଧିତ ଖବର