ସ୍ଥାୟୀ ନିଯୁକ୍ତି ଦାବି: ଭୋଟ ବର୍ଜନ କରିବେ ଏଏନ୍‌ଏମ୍‌

ଭୁବନେଶ୍ୱର : ୬ ବର୍ଷ ପରେ ନିୟମ ଅନୁଯାୟୀ ସ୍ଥାୟୀ ନିଯୁକ୍ତି ଦାବିରେ ଜାତୀୟ ସ୍ବାସ୍ଥ୍ୟ ମିସନ ଅଧୀନରେ କାମ କରୁଥିବା ଏଏନ୍‌ଏମ୍‌ କର୍ମୀମାନେ ଲୋୟର ପିଏମ୍‌ଜିରେ ଧାରଣା ଆରମ୍ଭ କରିଛନ୍ତି। ଦାବି ପୂରଣ ହେବା ଯାଏଁ ଧାରଣା ଜାରି ରହିବ ବୋଲି ସଂଘ ପକ୍ଷରୁ ଚେତାବନୀ ଦିଆଯାଇଛି। ଦାବି ପୂରଣ ନ ହେଲେ ରାଜ୍ୟର ପାଖାପାଖି ୧୮ଶହ କର୍ମଚାରୀ ସପରିବାର ଭୋଟ୍‌ ବର୍ଜନ କରିବେ ବୋଲି ରାଜ୍ୟ ଏନ୍‌ଏଚ୍‌ଏମ୍‌ ଏ ଏନ୍‌ ଏମ୍‌ ସଂଘ ସାଧାରଣ ସମ୍ପାଦିକା ସସ୍ମିତା ଚୌହାନ କହିଛନ୍ତି। ବଜାର ଦର ହୁ ହୁ ହୋଇ ବଢ଼ୁଥିବା ବେଳେ ମାସିକ ମାତ୍ର ୮ ହଜାର ୬୫୩ ଟଙ୍କାରେ କର୍ମୀମାନେ ଖଟୁଛନ୍ତି। ସଂଘ ପକ୍ଷରୁ ବାରମ୍ବାର ଦାବି ହେବା ପରେ ଜାନୁଆରି ମାସରେ ୬ ମାସ ମଧ୍ୟରେ ଦାବି ପୂରଣ ପାଇଁ ପ୍ରତିଶ୍ରୁତି ମିଳିଥିଲେ ମଧ୍ୟ ପୂରଣ ହୋଇ ନାହିଁ। ଏଣୁ ସଂଘ ଏଭଳି ନିଷ୍ପତ୍ତି ନେଇଛି ବୋଲି ସେ କହିଛନ୍ତି। ଅନ୍ୟମାନଙ୍କ ମଧ୍ୟରେ ସଭାନେତ୍ରୀ ପ୍ରଣେତା ନାୟକ, ଉପସଭାନେତ୍ରୀ ଅନ୍ନପୂର୍ଣ୍ଣା ଦାଶ, ଦୁଲାରୀ ଟପ୍ନୋ ପ୍ରମୁଖ ନେତୃତ୍ବ ନେଉଛନ୍ତି।

ସମ୍ବନ୍ଧିତ ଖବର