ଧାରଣାରତ ଦୁଇ ଏଏନଏମ କର୍ମୀଙ୍କ ଆତ୍ମାହୁତି ଉଦ୍ୟମ; କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି

ଭୁବନେଶ୍ୱର: ଭୁବନେଶ୍ୱର ଲୋୟର ପିଏମଜିରେ ଧାରଣାରେ ବସିଥିବା ବେଳେ ୨ ଏଏନଏମ କର୍ମୀ ଆତ୍ମାହୁତି ଉଦ୍ୟମ କରିଥିବା ଜଣାଯାଇଛି। ନିଜ ଦେହରେ କିରୋସିନ ଢାଳି ନିଆଁ ଲଗାଇବାକୁ ଆତ୍ମହୁତି ଉଦ୍ୟମ କରୁଥିବା ବେଳେ ଏଏନଏମ କର୍ମୀଙ୍କୁ ଉଦ୍ଧାର କରାଯାଇଛି। ଛଟେଇ ପ୍ରତିବାଦରେ ଦୀର୍ଘ ୧୯ ଦିନ ଧରି ଧାରଣାରେ ବସିଛନ୍ତି ଶତାଧିକ ସ୍ୱାସ୍ଥ୍ୟ କର୍ମୀ, ମାତ୍ର ସରକାରଙ୍କ ପକ୍ଷରୁ ସେମାନଙ୍କ ଦାବି ପୂରଣ ନେଇ ଆଲୋଚନା କରିବାକୁ କେହି ଆସୁ ନ ଥିବା ହେତୁ ଆତ୍ମାହୁତି ଭଳି ଚରମ ପନ୍ଥା ଆପଣାଇଥିଲେ ଦୁଇ ଏଏମଏମ୍ କର୍ମୀ।

ସୂଚନାଯୋଗ୍ୟ, ମହାମାରୀ କରୋନା ସହିତ ମହାଲଢେଇ ପାଇଁ ଏମାନଙ୍କୁ ଯୋଦ୍ଧା ସଜେଇ ଠିକା ନିଯୁକ୍ତି ଦିଆଯାଇଥିଲା। କୋଭିଡ କେୟାର ସେଣ୍ଟରରେ କରୋନା ଆକ୍ରାନ୍ତଙ୍କ ଚିକିତ୍ସା ଓ ଦେଖାଶୁଣା ପାଇଁ ଏଏନଏମ ଓ ସ୍ୱାସ୍ଥ୍ୟ କର୍ମଚାରୀଙ୍କୁ ୯୦ ଦିନିଆ ଚୁକ୍ତିଭିତ୍ତିକ ନିଯୁକ୍ତି ଦେଇଥିଲେ ରାଜ୍ୟ ସରକାର। ହେଲେ ପରେ ଏମାନଙ୍କୁ ଛଟେଇ କରିଦିଆଯାଇଥିଲା । ସ୍ଥାୟୀ ନିଯୁକ୍ତି ଓ ବକେୟା ଦରମା ଦାବିରେ ଏଏନଏମ କର୍ମୀ ଏବେ ରାଜରାସ୍ତାରେ ଅନଶନରେ ବସିଛନ୍ତି।

ଗତ ନଭେମ୍ବର ୨୭ରୁ ସ୍ଥାୟୀ ନିଯୁକ୍ତି ଦାବିରେ ଲୋୟର୍ ପିଏମ୍‌ଜିରେ ଧାରଣାରେ ବସିଥିବା ଏଏନ୍ଏମ୍ ସ୍ବାସ୍ଥ୍ୟକର୍ମୀଙ୍କ ଆନ୍ଦୋଳନ ଆଜି ୧୯ଦିନରେ ପହଞ୍ଚିଛି। ହେଲେ ବର୍ତ୍ତମାନ ପର୍ଯ୍ୟନ୍ତ ସରକାରଙ୍କ ତରଫରୁ କେହି ବି ସମସ୍ୟା ଶୁଣିବାକୁ ତାଙ୍କ ପାଖକୁ ଆସିନଥିବା ସ୍ବାସ୍ଥ୍ୟକର୍ମୀମାନେ କହିଛନ୍ତି। ପ୍ରଥମେ ମହାମାରୀ କରୋନା ସହିତ ଲଢ଼େଇ କରିବାକୁ ଆଗକୁ ଠେଲିଦେଇ ସରକାର ବର୍ତ୍ତମାନ ତାଙ୍କୁ ଅଣଦେଖା କରୁଛନ୍ତି। ରାସ୍ତାକଡ଼ରେ ଶୀତ କାକରରେ ପଡ଼ି ଏଏନ୍ଏମ୍ ସ୍ବାସ୍ଥ୍ୟକର୍ମୀ ସଂଘର୍ଷ କରୁଥିବା ବେଳେ ସରକାରଙ୍କ ନିରବତା ସେମାନଙ୍କୁ ଆଶ୍ଚର୍ଯ୍ୟ କରିଛି ବୋଲି ସ୍ବାସ୍ଥ୍ୟକର୍ମୀମାନେ କହିଛନ୍ତି।

ସମ୍ବନ୍ଧିତ ଖବର