ପୁନଃନିଯୁକ୍ତି ଦାବିରେ କୋଭିଡ୍ କେୟାର୍ ହୋମ୍‌ରେ ନିଯୁକ୍ତ ଏଏନଏମ କର୍ମୀଙ୍କ ସିଡିଏମଓ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା

ବିଳମ୍ବିତ ରାତି ପର୍ଯ୍ୟନ୍ତ ଧାରଣା ଜାରି, ଦାବି ପୂରଣ ନହେଲେ ଅହୋରାତ୍ର ଅନଶନ ଚେତାବନୀ

ବାରିପଦା : କରୋନା ସମୟରେ କୋଭିଡ୍ କେୟାର୍ ହୋମ୍‌ରେ ନିଯୁକ୍ତି ପାଇଥିଲେ। କରୋନା ମହାମାରୀରେ ଜୀବନକୁ ଖାତିର ନକରି ସେବା କଲୁ। ମାତ୍ର କାମ ସରିଲେ ଆଉ ପଚାରୁନାହାନ୍ତି। ୩ ମାସ କାଳ କାମ କରିଥିଲେ ମଧ୍ୟ ଦରମା ପାଇନାହୁଁ। ଏବେବି କରୋନା ସରିନାହିଁ। ତେଣୁ ସେମାନଙ୍କ ନିଯୁକ୍ତିକୁ ବୃଦ୍ଧି କରାଯାଉ। ଏହି ଦାବିରେ ଆଜି ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ(ସିଡିଏମଓ)ଙ୍କ କାର୍ଯ୍ୟାଳୟରେ ସମ୍ମୁଖରେ ଶତଶଧିକ ଏଏନଏମ କର୍ମୀମାନେ ଧାରଣା ଦେଇଥିଲେ। ବିଳମ୍ବିତ ରାତି ପର୍ଯ୍ୟନ୍ତ ଏହି ଧାରଣା ଜାରି ରହିଥିଲା। ସନ୍ଧ୍ୟାରେ ହୋଇଥିବା ବର୍ଷା ସତ୍ତ୍ବେ ଏଏନଏମ କର୍ମୀମାନେ ଓଦା ହୋଇ ଧାରଣାରେ ବସିରହିଥିଲେ। ଭାରପ୍ରାପ୍ତ ସିଡିଏମଓ ଡ. ଏନ ଆର ଦାସଙ୍କ ସମେତ ବହୁ ବରିଷ୍ଠ ଅଧିକାରୀ ସେମାନଙ୍କୁ ବୁଝାଇବାକୁ ଚେଷ୍ଟା କରିଥିଲେ ମଧ୍ୟ କୌଣସି ନିଷ୍କର୍ସ ବାହାରିନଥିଲା। କୌଣସି ଆଇନଶୃଙ୍ଖଳା ପରିସ୍ଥିତିକୁ ନିୟନ୍ତ୍ରଣ କରିବା ପାଇଁ ବାରିପଦା ଏସଡିପିଓ କେ କେ ହରିପ୍ରସାଦ, ବାରିପଦା ଟାଉନ ଥାନା ଆଇଆଇସି ବୀରେନ୍ଦ୍ର ସେନାପତିଙ୍କ ନେତୃତ୍ବରେ ପୁଲିସ୍ ମୁତୟନ ଅଛନ୍ତି।

ଉଲ୍ଲେଖଯୋଗ୍ୟଯେ କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ଜିଲ୍ଲାରେ ହୋଇଥିବା କୋଭିଡ୍ କେୟାର ସେଣ୍ଟର, କୋଭିଡ୍ କେୟାର୍ ହୋମ(ସିସିଏଚ), ହୋମ ଆଇସୋଲେସନ, ଟିଏମସି ଗୁଡ଼ିକରେ ଚିକିତ୍ସାରେ ସହାୟତା କରିବା ନିମନ୍ତେ ରାଜ୍ୟ ସରକାରଙ୍କ ଆଦେଶନାମା ଅନୁଯାୟୀ ଜିଲ୍ଲାରେ ୪୦୪ ଜଣ ଏନଏନଏମ କର୍ମୀ ଚୁକ୍ତିଭିତ୍ତିକ ନିଯୁକ୍ତି ପାଇଥିଲେ। ଏମାନଙ୍କୁ ୩ ମାସ ପାଇଁ ନିଯୁକ୍ତି ଦିଆଯାଇଥିଲା। ମାତ୍ର ବର୍ତ୍ତମାନ ପରିସ୍ଥିତିରେ ଜିଲ୍ଲାରେ କୋଭିଡ୍ କେୟାର୍ ହୋମ୍ ବନ୍ଦ ହୋଇଯାଇଥିବାରୁ ଏମାନଙ୍କ ନିଯୁକ୍ତି ସ୍ବତଃଫୂର୍ତ୍ତ ଭାବେ ସମାପ୍ତ ହୋଇଥିବା ଜିଲ୍ଲାପ୍ରଶାସନ ପକ୍ଷରୁ ପ୍ରକାଶ। ତେବେ ଏହି କର୍ମୀମାନଙ୍କୁ ସେମାନଙ୍କର ୩ ମାସର ଦରମା ତୁରନ୍ତ ପ୍ରଦାନ କରାଯିବ ବୋଲି କୁହାଯାଇଛି। ମାତ୍ର ଆଜି ଧାରଣାରେ ବସିଥିବା ଏନଏନଏମ ମାନଙ୍କ ମଧ୍ୟରୁ ଅଧିକାଂଶ ଏପର୍ଯ୍ୟନ୍ତ ଦରମା ପାଇନଥିବା ଅଭିଯୋଗ ହୋଇଛି।

କାର୍ଯ୍ୟରୁ ଛଟେଇ କରିଦିଆଯାଇଥିବା ଏଏନଏମମାନଙ୍କୁ ଜାତୀୟ ସ୍ୱାସ୍ଥ୍ୟ ମିସନ ଓ ଭାରତୀୟ ସ୍ୱାସ୍ଥ୍ୟ ଷ୍ଟାଣ୍ଡାର୍ଡସ ୨୦୧୨ ଅନୁଯାୟୀ ଜିଲ୍ଲାରେ ବିଭିନ୍ନ ଚିକିତ୍ସାଳୟଗୁଡ଼ିକରେ ଖାଲିପଡ଼ିଥିବା ପଦବୀଗୁଡ଼ିକରେ ସ୍ଥାୟୀ ନିଯୁକ୍ତି ପ୍ରଦାନ ସହ ଗ୍ରାମାଞ୍ଚଳରେ ବିଭିନ୍ନ ସ୍ୱାସ୍ଥ୍ୟସେବା , ସଚେତନତା କାର୍ଯ୍ୟକ୍ରମ, ବିଭିନ୍ନ ସରକାରୀ ଆବାସିକ ବିଦ୍ୟାଳୟରେ, ଅର୍ବାନ ମହିଳା ହଷ୍ଟେଲ ଏବଂ ମହିଳା ଓ ଶିଶୁ ବିଭାଗ ଅଧୀନରେ କାର୍ଯ୍ୟକରୁଥିବା ମହିଳା ଛାତ୍ରୀ ନିବାସ ଆଦିରେ ନିଯୁକ୍ତି ପ୍ରଦାନ କରାଯିବା, ୩ ମାସର ବକେୟା ଦରମା ପ୍ରଦାନ କରାଯିବା ଏବଂ ଜିଲ୍ଲାରେ କୋଭିଡ୍ -୧୯ ସଂକ୍ରମଣ ସମାପ୍ତ ହୋଇ ଯାଇଛି ଓ ଆଗକୁ ହେବାର କୌଣସି ସମ୍ଭାବନା ନାହିଁ ବୋଲି ଜିଲ୍ଲାବାସୀଙ୍କୁ ବିଜ୍ଞପ୍ତି ଜାରି ମାଧ୍ୟମରେ ଅବିଳମ୍ବେ ଅବଗତ କରାଇବା ଦାବି ହୋଇଛି। ଦାବି ସମ୍ପର୍କରେ ବିଚାର କରାନଗଲେ ଆବଶ୍ୟକସ୍ଥଳେ ମୟୂରଭଞ୍ଜ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଆତ୍ମାହୁତି ଦେବାକୁ ପ୍ରସ୍ତୁତ ଥିବା ଧାରଣାରତ ଏନଏନଏମଙ୍କ ପକ୍ଷରୁ କୁହାଯାଇଛି। ଆଜିର ଧାରଣାରେ ଦିପୀକା ମଣ୍ଡଳ, ଶୁଭଦର୍ଶିନୀ ଲେଙ୍କା, ସରିତା ଘୋଷ, ଅନିମା ଦାସ, ରୁନୀ ଦାସ, ଲକ୍ଷ୍ମୀ ମୁର୍ମୁ, ମିନତୀ ମହାନ୍ତ, ସୁଭଦ୍ରା ବାରିକ, ଶୁଭ୍ରାରାଣୀ ଦାସ, ମିନତୀ ଗିରି, ନିରୂପମା ପାଣି, ପ୍ରଭାସିନୀ ସାହୁ, ମାନସୀ ବେହେରା, ସଂଯୁକ୍ତା ମହାନ୍ତ, ତୃପ୍ତିଲତା ମହାନ୍ତ, ବନ୍ଦନା ମହାନ୍ତ, ସୁଚିସ୍ମିତା ଦାସ, ଗୀତାଞ୍ଜଳୀ ନାୟକ ଓ ଜୟନ୍ତୀ ସାହୁ ପ୍ରମୁଖ ସାମିଲ ହୋଇଥିଲେ ।

ସମ୍ବନ୍ଧିତ ଖବର