ଯାଜପୁର: ଜାତୀୟ ସ୍ତରର ପ୍ରବେଶିକା ପରୀକ୍ଷାରେ ଓଡିଆ ପୁଅ କମାଲ କରିଛନ୍ତି। କମନ ‘ଲ’  ଆଡମିସନ୍ ଟେଷ୍ଟ ବା କ୍ଲାଟ ପରୀକ୍ଷାରେ ଯାଜପୁର ଜିଲ୍ଲା ବିଂଝାରପୁର ବ୍ଲକ୍ ଅରେଇ ବରମପୁର ଗ୍ରାମର ପୁଅ ସଫଳତା ପାଇଛନ୍ତି। ଏହି ଗ୍ରାମର ରାଜୀବ ମହାନ୍ତି ଓ ମମତା ସାମଲଙ୍କ ପୁଅ ଅନମୋଲ ସାଇ ଟପର ହୋଇଛନ୍ତି। ଖାଲି ଓଡିଶା ନୁହଁ ସେ ଝାଡଖଣ୍ଡ, ଛତିଶଗଡ ଓ ବିହାର ରାଜ୍ୟକୁ ନେଇ ମୋଟ ଫଳାଫଳରେ ପ୍ରଥମ ହୋଇଛନ୍ତି। ଏଥି ସହିତ ଭାରତୀୟ ସ୍ତରରେ ୩୯ ନମ୍ବର ରାଙ୍କରେ ରହିଛନ୍ତି। ଏହି ସଫଳତା ପଛରେ ପରିବାର, ଶିକ୍ଷକଙ୍କ ହାତ ରହିଛି। ଆଗାମୀ ଦିନରେ ସେ ଜଣେ କର୍ପୋରେଟ ଲୟର ହେବାକୁ ଲକ୍ଷ୍ୟ ରଖିଛନ୍ତି।

Advertisment

ଅନମୋଲଙ୍କ ଏହି ସଫଳତା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଟ୍ୟୁଇଟ କରି  ଶୁଭେଚ୍ଛା ଜଣାଇଛନ୍ତି। ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ସାଧାରଣ ଆଇନ ପ୍ରବେଶିକା ପରୀକ୍ଷା ୨୦୨୨ରେ ରାଜ୍ୟରେ ପ୍ରଥମ ସ୍ଥାନ ଅଧିକାର କରିଥିବା ଯାଜପୁର ଜିଲ୍ଲାର ଅନମୋଲ ସାଇଙ୍କୁ ମୋର ଶୁଭେଚ୍ଛା ଜଣାଉଛି। ଆଗାମୀ ଦିନରେ ତାଙ୍କର ଆହୁରି ସଫଳତା ସହ ଉଜ୍ଜ୍ଵଳ ଭବିଷ୍ୟତ କାମନା କରୁଛି।