‘କୃଷକ ଆତ୍ମହତ୍ୟା ପ୍ରସଙ୍ଗରେ ସରକାର ଅନ୍ଧ କିମ୍ବା ବଧିର ହୋଇଯାଇଛନ୍ତି’

ବିଶିଷ୍ଟ ସମାଜସେବୀ ତଥା ଦୁର୍ନୀତି ବିରୋଧୀ ନେତା ଆନ୍ନା ହଜାରେ କୃଷକଙ୍କ ହକ୍‌ ପାଇଁ ଲଢ଼େଇ ଏବଂ ଜନ ଲୋକପାଳ ବିଲ୍‌କୁ ସୁଦୃଢ କରିବା ପାଇଁ ଫେବ୍ରୁଆରି ୨୫ରୁ ରାମଲୀଳା ମଇଦାନରେ ଆନ୍ଦୋଳନ ଆରମ୍ଭ କରିବେ। ଏଥିପାଇଁ ଜଗତସିଂହପୁରେ ଆୟୋଜନ ହେଉଥିବା ‘ଜୟ କିଷାନ’ ମହା ସମାବେଶରେ ଯୋଗଦେବା ପାଇଁ ତିନି ଦିନିଆ ଓଡ଼ିଶା ଗସ୍ତରେ ଆସିଛନ୍ତି। ଭବିଷ୍ୟତରେ କୃଷକଙ୍କ ପାଇଁ କିପରି ଆନ୍ଦୋଳନ ହେବ ଏବଂ ଜନ ଲୋକପାଳ ବିଲ୍‌ ପାଇଁ ହେବାକୁ ଥିବା ଆନ୍ଦୋଳନର ରୂପରେଖ କିପରି ହେବ ସେନେଇ ଆନ୍ନା ହଜାରେଙ୍କ ସହ ସମ୍ବାଦ ପକ୍ଷରୁ ସ୍ୱତନ୍ତ୍ର ସାକ୍ଷାତକାର କରିଛନ୍ତି ସମ୍ବାଦ ରିପୋର୍ଟର ବିଶ୍ୱଜିତ ଦାଶ।

ପ୍ର: ଜନ ଲୋକପାଳ ବିଲ୍‌ ପାଇଁ ଆପଣ ୨୦୧୧ ମସିହାରେ ଆନ୍ଦୋଳନ ଆରମ୍ଭ କଲେ। ଏହା ସାରା ଦେଶରେ ହଇଚଇ ସୃଷ୍ଟି କଲା। କିନ୍ତୁ ଜନ ଲୋକପାଳ ବିଲ୍‌ରେ ଯାହା ଥିଲା ତାହାକୁ କେନ୍ଦ୍ର ସରକାର ଲୋକପାଳ ବିଲ୍‌ରେ ଲାଗୁ କଲେନି। ପୁଣି ଏବେ ଆନ୍ଦୋଳନ କରିବେ ବୋଲି କହୁଛନ୍ତି। ପୂର୍ବ ଆନ୍ଦୋଳନ ଭଳି ଏହା ପ୍ରଭାବଶାଳୀ ହେବ ନା ଆନ୍ନା ହଜାରେ ସକ୍ରିୟ ଅଛନ୍ତି ବୋଲି ଜଣାଇବାକୁ ଚାହୁଁଛନ୍ତି?
ଉ: ଜନ ଲୋକପାଳ ବିଲ୍‌ ନେଇ ମୁଁ ଯେଉଁ ଚିଠା ପ୍ରସ୍ତୁତ କରିଥିଲି ତାହାକୁ କଂଗ୍ରେସ ଓ ବିଜେପି ସରକାର ମିଳିତ ଭାବେ କାଟ୍‌ଛାଣ୍ଟ୍‌ କରିଛନ୍ତି। ଡ୍ରାଫ୍ଟରେ ଥିବା ୪୦ଟି ପଏଣ୍ଟ ଏଥିରେ ନାହିଁ। ତେଣୁ ମୁଁ ପୁଣି ଥରେ ରାମଲୀଳା ମଇଦାନରେ ଆନ୍ଦୋଳନ କରିବାକୁ ନିଷ୍ପତ୍ତି ନେଇଛି। ୨୦୧୧ରେ ଆରମ୍ଭ ହୋଇଥିବା ଆନ୍ଦୋଳନ ଠାରୁ ଏହା ଅଧିକ ଶକ୍ତିଶାଳୀ ହେବ। ଏହା ଯେପରି ସାରା ଦେଶରେ ବ୍ୟାପିବ ସେଥିିପାଇଁ ମୁଁ ୧୫ରୁ ୨୦ଟି ରାଜ୍ୟ ବୋଲି ଯୁବପିଢିଙ୍କୁ ଜାଗ୍ରତ କରିବି। ଏଥିରେ କଂଗ୍ରେସ ସରକାର ମୂଳ ଚିଠାରେ କ’ଣ ପରିବର୍ତ୍ତନ ଆଣିଥିଲେ, ବିଜେପି ସରକାର କ’ଣ ପରିବର୍ତ୍ତନ ଆଣିଛି, କିପରି ତରବରିଆ ଭାବେ ତିନିଦିନିରେ ଏହି ବିଲ୍‌ ଲୋକସଭା, ରାଜ୍ୟସଭାରେ ପାସ୍‌ ହେଲା ଏବଂ ରାଷ୍ଟ୍ରପତିଙ୍କ ଅନୁମୋଦନ ପାଇଲା ତାହାର ଖୁଲାସା କରିବି। ଜନ ଲୋକପାଳ ବିଲ୍‌ ସଂପୂର୍ଣ୍ଣ ଭାବେ ଲାଗୁ ନହେବା ପର୍ଯ୍ୟନ୍ତ ଏହି ଆନ୍ଦୋଳନ ଜାରି ରହିବ। ଏଥିରେ କୃଷକଙ୍କ ଅଧିକାର ପାଇଁ ବି ଆନ୍ଦୋଳନ ହେବ।

ପ୍ର: କଂଗ୍ରେସ ସରକାରକୁ ଆପଣ ନିନ୍ଦା କରୁଥିଲେ କିନ୍ତୁ ବିଜେପି ସରକାର ବିରୋଧରେ କିଛି କହୁନାହାନ୍ତି। ତିନି ବର୍ଷ ହେଲା ଚୁପ୍‌ କାହିଁକି ଥିଲେ? ଏହା ପଛରେ ରହସ୍ୟ କ’ଣ?
ଉ: ଏହାର ରହସ୍ୟ କିଛି ନାହିଁ। କଂଗ୍ରେସ ଦୁର୍ନୀତି ଓ ଭ୍ରଷ୍ଟାଚାରରେ ଭରି ଯାଇଥିଲା। ତେଣୁ ମୁଁ ଆନ୍ଦୋଳନ କଲି। ବିଜେପି ବି ଆଚ୍ଛେ ଦିନ୍‌ ଆସିବ ବୋଲି କହିଥିଲା ହେଲେ ଆଚ୍ଛେ ଦିନ୍‌ କାହିଁ? ମୁଁ ତ ଅନୁଭବ କରିପାରୁନି। ପ୍ରତ୍ୟେକ ସରକାରକୁ ସମୟ ଦେବା ଦରକାର। ସେଥିପାଇଁ ତିନି ବର୍ଷ ଅପେକ୍ଷା କଲି। ହେଲେ ଏହି ତିନି ବର୍ଷରେ ଦେଶରେ ସେମିତି କିଛି ପରିବର୍ତ୍ତନ ହୋଇନି। ତେଣୁ ଆନ୍ଦୋଳନ କରିବାକୁ ସ୍ଥିର କରିଛି। ମୁଁ ୨୦୧୧ରେ ଆରମ୍ଭ କରିଥିବା ଆନ୍ଦୋଳନରେ ଭ୍ରଷ୍ଟାଚାର କମିନି। କିନ୍ତୁ ଲୋକ ବିରୋଧ କରିବା ଶିଖିଛନ୍ତି।

ପ୍ର: ଆପଣ କହୁଛନ୍ତି ଦଳଭିତ୍ତିକ ରାଜନୀତି ନହେଉ। ଲୋକ ଦଳ ନୁହେଁ ବ୍ୟକ୍ତି ଦେଖି ଭୋଟ୍‌ ଦିଅନ୍ତୁ। ହେଲେ ଏହାର ସୁଫଳ କ’ଣ ମିଳିବ?
ଉ: ଦଳ ଭିତ୍ତିକ ରାଜନୀତି ଦ୍ୱାରା ଦେଶରେ ରାଜନୈତିକ ଦଳ ସରକାର ଗଠନ କରୁଛନ୍ତି। ଏହାଦ୍ୱାରା ଦଳଗୁଡ଼ିକ ଅହଂକାରୀ ହୋଇଗଲେଣି। ନିର୍ବାଚନ ପାଇଁ ଦେଶକୁ ଓ ଜନତାଙ୍କୁ ଲୁଟୁଛନ୍ତି। ତେଣୁ ଜନତାର ସରକାର ହେବା ଦରକାର। ଜନତା ଦେଶର ମାଲିକ। ମାଲିକ ଏବେ ଶୋଇଛି ବୋଲି ଚୋରି ହେଉଛି। ଉଦ୍ୟୋଗପତିଙ୍କୁ କୋଟି କୋଟି ଟଙ୍କା ଛାଡ଼ କରାଯାଉଛି ଆଉ ସାଧାରଣ ଲୋକଙ୍କ ତଣ୍ଟି ଚିପି ପଇସା ଅସୁଲ ହେଉଛି। ଏହାର ସମାଧାନ ପାଇଁ ଲୋକଙ୍କୁ ସ୍ୱର ଉଠାଇବାକୁ ହେବ। ଚରିତ୍ରଶୀଳ ଓ ଆଚାରଶୀଳ ଲୋକଙ୍କୁ ବାଛିକି ସଂସଦକୁ ପଠାଇବାକୁ ହେବ। ଏବେଠୁ ପ୍ରଚେଷ୍ଟା କଲେ ୧୨ବର୍ଷରେ ଏହା ସଫଳ ହେବ। ୧୨ବର୍ଷରେ ଭାରତ ସବୁଠୁ ବିକଶିତ ରାଷ୍ଟ୍ର ହେବ। ଦଳଭିତ୍ତିକ ରାଜନୀତି ଉଚ୍ଛେଦ ହେଲେ ଭାରତରୁ ଦୁର୍ନୀତି, ଭ୍ରଷ୍ଟାଚାର, ଜାତିପ୍ରଥା, ଶୋଷଣ, ଦାରଦ୍ର୍ୟତା ସବୁ ହଟିବ।

ପ୍ର:ଆପଣଙ୍କର ଏହି ଅଭିଯାନ ସଫଳ ହେବ ବୋଲି ଭାବୁଛନ୍ତି?
ଉ: ଗୋଟିଏ ଆନ୍ନା ନୁହେଁ ଶହ ଶହ ଆନ୍ନା ଚାହିଁଲେ ଏହି ଅଭିଯାନ ସଫଳ ହେବ। ଏଥିପାଇଁ ଆପଣଙ୍କ ମଧ୍ୟରୁ ଆନ୍ନା ହଜାରେକୁ ଖୋଜିବାକୁ ପଡ଼ିବ। ଆସନ୍ତୁ ମିଶିକି ଖୋଜିବା ଆଉ ସ୍ୱର ଉଠାଇବା। ଦେଖିବା କେମିତି ସଫଳ ହେବନି। ମୁଁ ଆଜି ପର୍ଯ୍ୟନ୍ତ ଏନେଇ ୬୦୦୦କିମି ବୁଲିଲିଣି, ୫୫୦ ସଭା କଲିଣି। କିନ୍ତୁ ଆଜି ଯାଏଁ କେହି କହିନାହାନ୍ତି ଆନ୍ନା ଭୁଲ୍‌ କହୁଛି। କାରଣ ଏହା ସମ୍ବିଧାନରେ ଅଛି। ନିର୍ବାଚନ କମିସନ ସବୁ ଜାଣି ନିଜର ଅକ୍ଷମତା ଦେଖାଉଛନ୍ତି। ୧୯୫୨ ମସିହାରେ ଯେତେବେଳେ ନିର୍ବାଚନ ହେଲା ସେତେବେଳେ ଯଦି ନିର୍ବାଚନ କମିସନର ଦଳ ଓ ଚିହ୍ନକୁ ବିରୋଧ କରିଥାନ୍ତେ ତେବେ ଆଜି ଏହି ପରିସ୍ଥିତି ସୃଷ୍ଟି ହୋଇନଥାନ୍ତା। ମୋ ଅଭିଯାନ ସଂପୂର୍ଣ୍ଣ ରୂପ ନେବାକୁ ୧୨ବର୍ଷ ଲାଗିବ। ଏହାପରେ ଆପଣ ମାନେ ଅନୁଭବ କରିପାରିବେ। ମୋ ଦାବି ପରେ ନିର୍ବାଚନ କମିସନ ଗତ ବିହାର ନିର୍ବାଚନରେ ବାଲାଟ୍‌ ପେପରରେ ପ୍ରାର୍ଥୀଙ୍କ ନାମ, ଫଟୋ ଓ ଦଳୀୟ ଚିହ୍ନ ରଖିଥିଲେ। ମୁଁ ଦଳୀୟ ଚିହ୍ନ ହଟାଇବାକୁ କହିଛି। କେବଳ ପ୍ରାର୍ଥୀଙ୍କ ନାମ ଓ ଫଟୋ ରହୁ। ଲୋକ ଫଟୋ ଦେଖି ଭୋଟ୍‌ ଦିଅନ୍ତୁ, ଚିହ୍ନ ଦେଖି ନୁହେଁ।

ପ୍ର: ଦେଶରେ କୃଷକ ଆତ୍ମହତ୍ୟା ବଢ଼ିବାରେ ଲାଗିଛି। ସରକାର ଧାନର ସର୍ବନିମ୍ନ ମୂଲ୍ୟ ବଢ଼ାଉ ନାହାନ୍ତି କି ଚାଷୀ ଆତ୍ମହତ୍ୟା କିପରି ନ ହେବ ସେନେଇ କିଛି ଯୋଜନା କରୁନାହାନ୍ତି। ବରଂ ଚାଷୀ ଆତ୍ମହତ୍ୟାକୁ ସ୍ୱୀକାର କରୁନାହାନ୍ତି। ଏହାର ସମାଧାନ କିପରି ହେବ।
ଉ: ଚାଷୀ ଆତ୍ମହତ୍ୟା ପ୍ରସଙ୍ଗରେ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ଅନ୍ଧ ଓ ବଧିର ପାଲଟି ଯାଇଛନ୍ତି। ସବୁ ଦେଖୁଛନ୍ତି, ଶୁଣୁଛନ୍ତି। କିନ୍ତୁ କିଛି ନ ଜାଣିବାର ବାହନା କରୁଛନ୍ତି। ୨୨ ବର୍ଷରେ ଦେଶରେ ୧୨ଲକ୍ଷ କୃଷକ ଆତ୍ମହତ୍ୟା କଲେଣି। ଏହାର ସମାଧାନ ପାଇଁ ସାରା ଦେଶର ଚାଷୀଙ୍କୁ ସଂଗଠିତ ହେବାକୁ ହେବ। ଚାଷୀ ଏକାଠି ହେଲେ ସରକାର ଦୋହଲିଯିବ। କୃଷକ କଲ୍ୟାଣ ପାଇଁ ସରକାର ଯୋଜନା କରିବାକୁ ବାଧ୍ୟ ହେବେ। ମୁଁ ଟିକେ ବିଳମ୍ବରେ କୃଷକଙ୍କ ଲଢ଼େଇ ପାଇଁ ଆନ୍ଦୋଳନ କଲି ବୋଲି ଭାବୁଛି। କିଛି ବର୍ଷ ପୂର୍ବରୁ ଆନ୍ଦୋଳନରେ ସାମିଲ୍‌ ହୋଇଥିଲେ ଅଧିକ କିଛି ହୋଇପାରିଥାନ୍ତା ବୋଲି ଭାବୁଛି।

ସମ୍ବନ୍ଧିତ ଖବର