ନବନିର୍ମାଣ କର୍ମକର୍ତାଙ୍କୁ ଆନ୍ନାଙ୍କ ମାର୍ଗଦର୍ଶନ : ସମାଜ ପାଇଁ ଯୁବଶକ୍ତି ତ୍ୟାଗ କରିବା ଜରୁରୀ

ଭୁବନେଶ୍ୱର : ଯୁବଶକ୍ତି ହେଉଛନ୍ତି ରାଷ୍ଟ୍ରଶକ୍ତି। ଯୁବଶକ୍ତି ବଦଳିଲେ ଜାଗ୍ରତ ହେଲେ ଦେଶର ଭବିଷ୍ୟତ ଉଜ୍ଜ୍ୱଳ ହେବ। ମାତ୍ର ସମାଜର ଭଲ କରିବାକୁ ହେଲେ ତ୍ୟାଗ କରିବାକୁ ପଡ଼ିବ। ତେବେ ତ୍ୟାଗ କରିବା କ୍ଷେତ୍ରରେ ଆନ୍ନା ହଜାରେକୁ ନକଲ ନ କରି ନିଜ ନିଜ କ୍ଷେତ୍ରରେ ତ୍ୟାଗ କର ବୋଲି ବିଶିଷ୍ଟ ଗାନ୍ଧୀବାଦୀ ନେତା ଆନ୍ନା ହଜାରେ ଆହ୍ଵାନ ଦେଇଛନ୍ତି।

ତିନି ଦିନିଆ ଓଡ଼ିଶା ଗସ୍ତରେ ଆଜି ଭୁବନେଶ୍ୱରରେ ପହଞ୍ଚିଥିବା ଆନ୍ନା ହଜାରେଙ୍କୁ ନବନିର୍ମାଣ କୃଷକ ସଂଗଠନର ଶହ ଶହ କର୍ମକର୍ତା ଏକ ବିଶାଳ ବାଇକ୍‌ ଶୋଭାଯାତ୍ରାରେ ପାଛୋଟି ନେଇଥିଲେ। ପରେ କସ୍ତୁରବା ନାରୀ ମହଲରେ ନବନିର୍ମାଣ କର୍ମକର୍ତାଙ୍କ ଉଦ୍ଦେଶ୍ୟରେ ଆୟୋଜିତ ଏକ ମାର୍ଗଦର୍ଶନ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥିଭାବେ ଯୋଗଦେଇ ଆନ୍ନା କହିଲେ, ମାତ୍ର ୨୫ବର୍ଷ ବୟସରେ ସମାଜରେ ଲୋକଙ୍କ ସ୍ୱାର୍ଥପରତା ଦେଖି ଏଭଳି ହତାଶ ହୋଇ ପଡ଼ିଥିଲି ଯେ ଆତ୍ମହତ୍ୟା କରିବାକୁ ଭାବିଥିଲି। ଏହି ସମୟରେ ସ୍ୱାମୀ ବିବେକାନନ୍ଦଙ୍କ ଏକ ପୁସ୍ତକ ମୋର ନଜରକୁ ଆସିଥିଲା। ଏହି ପୁସ୍ତକ ମୋ ଜୀବନର ଗତିପଥ ବଦଳାଇ ଦେଇଥିଲା। ଏହାପରେ ସବୁକିଛି ତ୍ୟାଗ କରି ସମାଜ ଓ ମାନବ ସେବା ପାଇଁ ଜୀବନକୁ ଉତ୍ସର୍ଗ କରିଥିଲି।

ସେ ଆହୁରି କହିଲେ ଯେ ବିବାହ କରିଥିଲେ ଚାରିକାନ୍ଥ ଭିତରେ ମୋର ସବୁକିଛି ସୀମିତ ରହିଥାନ୍ତା। ମାତ୍ର ଆଜି ପୂରା ଦେଶ ମୋ ପରିବାର। ଛୋଟ ପରିବାର ନୁହେଁ, ବଡ଼ ପରିବାର ଆନନ୍ଦ ଦେଇଥାଏ। ତେଣୁ ଯୁବପିଢ଼ି ନିଜର ଏକ ବଡ଼ ପରିବାର କରିବାକୁ ଚେଷ୍ଟା କରନ୍ତୁ। ନିଜ ପାଇଁ ବଞ୍ଚୁଥିବା ଲୋକଙ୍କୁ କେହି ମନେ ରଖି ନ ଥାନ୍ତି। ମାତ୍ର ଅନ୍ୟ ପାଇଁ ବଞ୍ଚୁଥିବା ଲୋକ ସମାଜରେ ସବୁବେଳ ପାଇଁ ଅମର ହୋଇ ରହିଥାଏ। ଜୀବନରେ ସଫଳ ହେବା ପାଇଁ ଆନ୍ନା ଯୁବପିଢ଼ିଙ୍କୁ ୫ଟି ଗୁରୁତ୍ୱପୂର୍ଣ୍ଣ ଉପଦେଶ ଦେଇଥିଲେ। ଶୁଦ୍ଧ ଆଚାର, ବିଚାର, ନିଷ୍କଳଙ୍କ ଜୀବନ, ତ୍ୟାଗ ଓ ଅପମାନ ସହିବାର ଶକ୍ତି ରହିବା ଦରକାର। ଗାଳି ଓ ଅପମାନ ଦେଉଥିବା ବ୍ୟକ୍ତିକୁ ପ୍ରତ୍ୟୁତ୍ତର ନ ଦେଇ କାମରେ କରି ଦେଖାଅ। ଯାହାଫଳରେ ସେ ଆପେ ଆପେ ଚୁପ୍‌ ହୋଇଯିବ।

ସେ ଆହୁରି ମଧ୍ୟ କହିଥିଲେ ଯେ, ଗାନ୍ଧୀଜୀ ଦେଶକୁ ଇଂରେଜମାନଙ୍କ କବଳରୁ ଦେଶକୁ ସ୍ୱାଧୀନତା ଦେଇଛନ୍ତି ସତ। ମାତ୍ର ଲୋକତନ୍ତ୍ର ଆଜି ପର୍ଯ୍ୟନ୍ତ ବି ଆସିପାରି ନାହିଁ। ଗୋରା ଯାଇଛନ୍ତି କିନ୍ତୁ କଳା ଏବେ ଶାସନ କରୁଛନ୍ତି। ଆଜିର ଶିକ୍ଷା ବ୍ୟବସ୍ଥା କେବଳ ଡିଗ୍ରି ଓ ଚାକିରି ପାଇଁ ଉଦ୍ଦିଷ୍ଟ। ଏଥିରେ ସମାଜ ସେବାର କୌଣସି ସ୍ଥାନ ନାହିଁ। ସମାଜ ଗଠନରେ ନାରୀମାନଙ୍କ ମଧ୍ୟ ଯଥେଷ୍ଟ ଭୂମିକା ରହିଛି। ନାରୀଙ୍କୁ ଆଗକୁ ବଢ଼ାଇବାରେ ପୁରୁଷମାନଙ୍କର ମଧ୍ୟ ଯଥେଷ୍ଟ ଗୁରୁ ଦାୟିତ୍ୱ ରହିଛି ବୋଲି ଆନ୍ନା କହିଥିଲେ।

ସଂଗଠନର ରାଷ୍ଟ୍ରୀୟ ସଂଯୋଜକ ଅକ୍ଷୟ କୁମାରଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ନବନିର୍ମାଣ କୃଷକ ସଂଗଠନର ରାଜ୍ୟ ସଂଯୋଜକ ଶେଷଦେବ ନନ୍ଦ, ସହ ସଂଯୋଜକ ଉମାକାନ୍ତ ଭାରତ ଓ ନିମାଇଁ ରାୟ, ବିଶିଷ୍ଟ କବି ଶୈଳଜ ରବି ଓ ମହାନଦୀ ବଞ୍ଚାଅ ଆନ୍ଦୋଳନର ଆବାହକ ସୁଦର୍ଶନ ଦାସ ପ୍ରମୁଖ ଉପସ୍ଥିତ ଥିଲେ। ଏଥିରେ ସଂଗଠନର ବିଭିନ୍ନ ଜିଲ୍ଲାରୁ ବହୁ କର୍ମକର୍ତା ଯୋଗ ଦେଇଥିଲେ।

ସମ୍ବନ୍ଧିତ ଖବର