ଉପବାସରେ ରହିଲେ ଚାଷୀ, ଆଲୋଚନା ପାଇଁ ସରକାର ପ୍ରସ୍ତୁତ: କୃଷି ମନ୍ତ୍ରୀ

ଆମରଣ ଅନଶନ କରିବେ ଆନ୍ନା ହଜାରେ

ନୂଆଦିଲ୍ଲୀ: କେନ୍ଦ୍ର ସରକାରଙ୍କ ନୂଆ କୃଷି ଆଇନ ବିରୋଧରେ ଆନ୍ଦୋଳନକୁ ଜୋରଦାର କରିବାକୁ ଯାଇ ଚାଷୀମ‌‌ାନେ ଆଜି ଦିନିକିଆ ଉପବାସ କରିଛନ୍ତି। ଦିଲ୍ଲୀ-ହରିଆଣା ସୀମା ସିଂଘୁରେ ଆନ୍ଦୋଳନରତ ଚାଷୀମାନେ ପୂର୍ବାହ୍ନ ୮ଟାରୁ ଅପରାହ୍ନ ୫ଟା ଯାଏ ‘ଉପବାସ ଅନଶନ’ କରିଥିଲେ। ଅନଶନରେ ୩୩ଟି କୃଷକ ସଂଗଠନର ନେତାମାନେ ସାମିଲ ହୋଇଥିଲେ। ଦିଲ୍ଲୀ ସମେତ ବିଭିନ୍ନ ସ୍ଥାନରୁ ହଜାର ହଜାର ସଂଖ୍ୟାରେ ଚାଷୀ ଆସି ଏଥିରେ ଯୋଗଦେଇଥିଲେ। ଏହାସହିତ ଆନ୍ଦୋଳନକୁ ସମର୍ଥନ ଜଣାଇ ଦେଶବ୍ୟାପି ଚାଷୀମ‌ାନେ ମଧ୍ୟ ଉପବାସ ଅନଶନ କରିଥିବାର ଖବର ମିଳିଛି।

ନୂଆ କୃଷି ଆଇନ ପ୍ରତ୍ୟାହାର ଦାବିରେ ଚାଷୀମାନେ ନିଜ ଜିଦ୍‌ରେ ଅଟଳ ରହିଥିବା ବେଳେ ସେମାନଙ୍କ ସହିତ ଆଲୋଚନା ପାଇଁ କେନ୍ଦ୍ର ସରକାର ପୁଣି ପ୍ରସ୍ତାବ ଦେଇଛନ୍ତି। ଏହି ପ୍ରସଙ୍ଗରେ କେନ୍ଦ୍ର କୃଷି ମନ୍ତ୍ରୀ ନରେନ୍ଦ୍ର ସିଂହ ତୋମାର ଆଜି ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହଙ୍କ ସହିତ ଆଲୋଚନା କରିଛନ୍ତି। ଏହାପରେ ସେ ଗଣମାଧ୍ୟମ ପ୍ରତିନିଧିଙ୍କୁ କହିଛନ୍ତି ଯେ ନୂଆ ଆଇନର ପ୍ରତିଟି ବିନ୍ଦୁ ଉପରେ ଚାଷୀମାନଙ୍କ ସହିତ ଆଲୋଚନା କରିବାକୁ ସରକାର ପ୍ରସ୍ତୁତ ଅଛନ୍ତି। ଏଥିପାଇଁ ସେମାନଙ୍କୁ ପ୍ରସ୍ତାବ ଦିଆଯାଇଛି। ଆଲୋଚନା ପାଇଁ ପରବର୍ତ୍ତୀ ତାରିଖ ସ୍ଥିର କରାଯିବାକୁ ସରକାର କୃଷକ ସଂଗଠନ ସହ ଯୋଗାଯୋଗରେ ଅଛନ୍ତି। ବିଭିନ୍ନ ରାଜ୍ୟର ୧୦ କୃଷକ ସଂଗଠନ କୃଷି ଆଇନକୁ ସମର୍ଥନ କରୁଛନ୍ତି। ତେବେ ନୂଆ ଆଇନକୁ ପ୍ରତ୍ୟାହାର କରିବାର ପ୍ରଶ୍ନ ଉଠୁନାହିଁ ବୋଲି କେନ୍ଦ୍ର ମନ୍ତ୍ରୀ ସ୍ପ‌ଷ୍ଟ କରିଦେଇଛନ୍ତି।

ଏଥିସହିତ ତୁରନ୍ତ ଚାଷୀଙ୍କ ସମସ୍ୟାର ସମାଧାନ କରାଯାଉ। ଚାଷୀଙ୍କ ଦାବିଗୁଡ଼ିକ ପ୍ରତି ସରକାର ଧ୍ୟାନ ଦେଇ ସମସ୍ୟାର ସମାଧାନ ନ କଲେ ଗାନ୍ଧୀବାଦୀ ନେତା ଆନ୍ନା ହଜାରେ ଆମରଣ ଅନଶନରେ ବସିବେ ବୋଲି ଚେତାବନୀ ଦେଇଛନ୍ତି। ଆଜି ସେ ଏ ସମ୍ପର୍କରେ ଏକ ପତ୍ର କେନ୍ଦ୍ର ମନ୍ତ୍ରୀ ତୋମାରଙ୍କୁ ଦେଇଛନ୍ତି। କହିଛନ୍ତି ଯେ ଗତ ବର୍ଷ ଜାନୁଆରିରେ ସେ ଚାଷୀଙ୍କ ପାଇଁ ଅନଶନରେ ବସିଥିଲେ। ଚାଷୀଙ୍କ ଆୟ ବୃଦ୍ଧି କରିବା ଲାଗି ସରକାର ପ୍ରତିଶ୍ରୁତି ଦେଇଥିଲେ। ମାତ୍ର ଏପର୍ଯ୍ୟନ୍ତ ପୂରଣ ହୋିନାହିଁ। ତେଣୁ ସେ ଖୁବଶୀଘ୍ର ଅନଶନ କରିବେ।
ଇତିମଧ୍ୟରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ୍‌ଙ୍କ ସମେତ ଆମ୍‌ ଆଦ୍‌ମି ପାର୍ଟିର ବିଧାୟକ ଓ ମନ୍ତ୍ରୀମାନେ ଉପବାସ ଅନଶନରେ ସାମିଲ ହୋଇଥିଲେ। ଆମ୍‌ ଆଦ୍‌ମି ପାର୍ଟି କାର୍ଯ୍ୟାଳୟରେ ଅନୁଷ୍ଠିତ ଉପବାସ ଅନଶନରେ ମୁଖ୍ୟମନ୍ତ୍ରୀ କେଜ୍ରିୱାଲଙ୍କ ସମେତ ଉପ ମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆ ଏବଂ ପ୍ରମୁଖ ମନ୍ତ୍ରୀମାନେ ଉପସ୍ଥିତ ଥିଲେ। ନୂଆ କୃଷି ଆଇନ କୃଷକ ବିରୋଧୀ ବୋଲି କେଜ୍ରିୱାଲ୍‌ କହିଛନ୍ତି।

ସମ୍ବନ୍ଧିତ ଖବର