ଦଳ ନୁହେଁ, ବ୍ୟକ୍ତି ଦେଖି ଭୋଟ୍‌ ଦିଅ

ଜନଲୋକପାଳ ଓ କୃଷକଙ୍କ ପାଇଁ ଲଢ଼େଇ ଜାରି ରହିବ

ଫେବ୍ରୁଆରି ୨୫ରୁ ରାମଲୀଳା ମୈଦାନରେ ଆନ୍ଦୋଳନ

ଭୁବନେଶ୍ୱର : ଯେତେଦିନ ଯାଏ ଦଳଭିତ୍ତିକ ରାଜନୀତି ଚାଲିଥିବ ସେତେଦିନ ଯାଏ ଦେଶରୁ ଦୁର୍ନୀତି, ଭ୍ରଷ୍ଟାଚାର ଦୂର ହେବନି। ସମ୍ବିଧାନ ଅନୁଯାୟୀ ଦେଶ ଚାଲିଛି ବୋଲି କୁହାଯାଉଛି। ହେଲେ ସମ୍ବିଧାନରେ କେଉଁଠି ବି ଦଳ କି ସମୂହ ରାଜନୀତି ବିଷୟରେ ଉଲ୍ଲେଖ ନାହିଁ। ସମ୍ବିଧାନର ପରିଚ୍ଛେଦ ୮୪ରେ ସ୍ପଷ୍ଟ ଭାବେ ଲେଖା ଅଛି ଯେ ଜଣେ ବ୍ୟକ୍ତି ୨୫ବର୍ଷରୁ ଅଧିକ ହେଲେ ଲୋକସଭା ଏବଂ ୩୦ବର୍ଷରୁ ଅଧିକ ହେଲେ ରାଜ୍ୟସଭା ନିର୍ବାଚନ ଲଢ଼ିପାରିବ। ଯଦି ଦେଶର ସମ୍ବିଧାନରେ କେଉଁଠି ବି ଦଳ, ଚିହ୍ନ କି ପକ୍ଷଭିତ୍ତିକ ରାଜନୀତିର ସଂଜ୍ଞା ନାହିଁ ତେବେ ସେହି ଦେଶରେ କାହିଁକି ଦଳ ଓ ଚିହ୍ନକୁ ନେଇ ନିର୍ବାଚନ ଲଢ଼ା ହେବ? ଏନେଇ ଆମକୁ ସଚେତନ ହେବାକୁ ପଡ଼ିବ। ଦେଶର ଦଳଭିତ୍ତିକ ସରକାର ନୁହେଁ, ଜନତାର ସରକାର ହେବା ଦରକାର। ଏଥିପାଇଁ ଦଳ ନୁହେଁ ବ୍ୟକ୍ତିକୁ ଦେଖି ଭୋଟ୍‌ ଦେବାକୁ ହେବ ବୋଲି ବିଶିଷ୍ଟ ଗାନ୍ଧୀବାଦୀ, ସମାଜସେବୀ ତଥା ରାଷ୍ଟ୍ରୀୟ ଦୁର୍ନୀତି ବିରୋଧୀ ନେତା ଆନ୍ନା ହଜାରେ କହିଛନ୍ତି।

ଆଜି ଅପରାହ୍ଣରେ ହୋଟେଲ ସ୍ୱସ୍ତି ପ୍ରିମିୟମଠାରେ ନବନିର୍ମାଣ କୃଷକ ସଂଗଠନ ପକ୍ଷରୁ ‘ଓଡ଼ିଶା ନାଗରିକ ସମାଜ ସହ ଆଲୋଚନା’ ଶୀର୍ଷକ ଆୟୋଜିତ କାର୍ଯ୍ୟକ୍ରମରେ ଯୋଗ ଦେଇ ଆନ୍ନା ହଜାରେ କହିଲେ ଯେ, ବିନା ଦଳ ଓ ବିନା ଚିହ୍ନରେ ଯେପରି ଦେଶରେ ନିର୍ବାଚନ ହେବ ସେଥିପାଇଁ ମୋର ସଂଗ୍ରାମ ଆରମ୍ଭ ହୋଇଛି। ଦଳଭିତ୍ତିକ ରାଜନୀତି ଦ୍ୱାରା ରାଜନୈତିକ ଦଳଗୁଡ଼ିକ ଅହଂକାରୀ ହୋଇଗଲେଣି। ଆମେ ଯେତେଦିନ ଆମ ସମସ୍ୟା ନେଇ ସରକାର ପାଖକୁ ଯିବା ସେତେଦିନ ପର୍ଯ୍ୟନ୍ତ ଆମ ସମସ୍ୟାର ସମାଧାନ ହେବନି। କାରଣ ସେମାନେ ଦଳର ସ୍ୱାର୍ଥ ଦେଖନ୍ତି। ଲୋକଙ୍କ ସ୍ୱାର୍ଥ ନୁହେଁ। ତେଣୁ ମୁଁ କେବଳ ସମ୍ବିଧାନ ମାନିବାକୁ କହୁଛି। ସମ୍ବିଧାନ ଅନୁଯାୟୀ ଦେଶରେ ନିର୍ବାଚନ ହେଲେ ଆମେ ଆମେରିକା, ରୁଷିଆ ଭଳି ଦେଶଠୁ ଆଗେଇଯିବା। ହେଲେ ଏହାକୁ କେହି ମାନିବାକୁ ନାରାଜ। କୌଣସି ରାଜନୈତିକ ଦଳ କି ବ୍ୟକ୍ତି ଏହି ପ୍ରସଙ୍ଗ ଉଠାଇବାକୁ ଚାହୁଁନାହାନ୍ତି। ଏପରିକି ଭାରତୀୟ ନିର୍ବାଚନ କମିସନ ବି ସବୁ ଜାଣି ଚୁପ୍‌ ରହୁଛନ୍ତି। ମୁଁ ଏହା ମଧ୍ୟରେ ୫ଥର ନିର୍ବାଚନ କମିସନଙ୍କ ସହ ଆଲୋଚନା କଲିଣି କିନ୍ତୁ କମିସନର କହୁଛନ୍ତି ଆଜି କରିହେବନି। କିନ୍ତୁ କାହିଁକି ହେବନି କିଛି କହୁନାହାନ୍ତି।

ସେହିପରି ଜନ ଲୋକପାଳ ବିଲ୍‌କୁ ଅତ୍ୟନ୍ତ ଦୁର୍ବଳ ଭାବେ ଆଇନରେ ପରିଣତ କରାଯାଇଛି। କଂଗ୍ରେସ ଓ ବିଜେପି ସରକାର ଲୋକପାଳ ବିଲ୍‌କୁ ଦୁର୍ବଳ କରିଦେଇଛନ୍ତି। ମୋଦି ସରକାର ନିର୍ବାଚନ ପୂର୍ବରୁ ଯେପରି ପ୍ରତିଶ୍ରୁତି ଦେଇଥିଲା ନିର୍ବାଚନ ପରେ ତାହା ପୂରଣ କରିନି। ଅଚ୍ଛେ ଦିନ୍‌ କେଉଁଠି ଅଛି ଜାଣି ହେଉନି।

କୃଷକଙ୍କ ପ୍ରସଙ୍ଗରେ ଆନ୍ନା କହିଲେ ଯେ, ଏମିତି କୌଣସି ଗାଁ ନାହିଁ ଯେଉଁଠି କୃଷକ ନାହାନ୍ତି। ହେଲେ କୃଷକ ଆଜି ଅବହେଳିତ। କୃଷକକୁ ତା’ର ହକ୍‌ ମିଳିବା ଦରକାର। କୃଷକ ତା’ର ପରିଶ୍ରମ ଅନୁଯାୟୀ ମୂଲ୍ୟ ପାଇଲେ ଆତ୍ମହତ୍ୟା କରିବନି। ଯଦି କୃଷକକୁ ତା’ର ଖର୍ଚ୍ଚର ଦେଢ଼ଗୁଣା ସରକାର ପ୍ରଦାନ କରିବେ ତେବେ କୌଣସି କୃଷକ ଆତ୍ମହତ୍ୟା କରିବେନି। ଚାଷୀ ପେନସନ୍‌ ପାଇବା ତା’ର ଅଧିକାର। କାରଣ ସମ୍ବିଧାନରେ ଉଲ୍ଲେଖ ଅଛି ଯେ, ୬୦ବର୍ଷରୁ ଅଧିକ କୌଣସି ଚାଷୀର ପରିବାରରେ ଯଦି କେହି ଚାକିରିଆ ନ ଥିବେ ତେବେ ଉକ୍ତ ଚାଷୀ ଯେପରି ଭୋକରେ ନରହିବ ସେଥିପାଇଁ ସରକାର ପେନସନ୍‌ ଦେବେ। ଉଭୟ ରାଜ୍ୟ ଓ କେନ୍ଦ୍ର ସରକାରଙ୍କୁ ଚାଷୀଙ୍କୁ ଧ୍ୟାନ ଦେବାକୁ ହେବ ବୋଲି ଆନ୍ନା କହିଛନ୍ତି।

ଜନ ଲୋକପାଳ ବିଲ୍‌କୁ ସୁଦୃଢ଼ କରିବା ଏବଂ କୃଷକକୁ ତା’ର ଅଧିକାର ଦେବା ପାଇଁ ଆସନ୍ତା ଫେବ୍ରୁଆରି ୨୫ରୁ ଦିଲ୍ଲୀର ରାମଲୀଳା ମଇଦାନରେ ଆନ୍ଦୋଳନ ଆରମ୍ଭ ହେବ। ଯେତେଦିନ ପର୍ଯ୍ୟନ୍ତ କେନ୍ଦ୍ର ସରକାର ଏହି ଦୁଇଟି ପ୍ରସଙ୍ଗର ସ୍ଥାୟୀ ସମାଧାନ ନ କରିଛନ୍ତି ସେତେଦିନ ପର୍ଯ୍ୟନ୍ତ ଆନ୍ଦୋଳନ ଚାଲିବ। ଏଥିପାଇଁ ମୁଁ ୧୫ରୁ ୨୦ଟି ରାଜ୍ୟ ବୁଲିବା ସହ ଲୋକଙ୍କୁ ଜାଗ୍ରତ କରିବି ବୋଲି ଆନ୍ନା ହଜାରେ କହିଛନ୍ତି।

ଆଜିର ଏହି କାର୍ଯ୍ୟକ୍ରମରେ ନବନିର୍ମାଣ କୃଷକ ସଂଗଠନର ପ୍ରତିଷ୍ଠାତା ରାଷ୍ଟ୍ରୀୟ ସଂଯୋଜକ ଅକ୍ଷୟ କୁମାର ପ୍ରାରମ୍ଭିକ ସୂଚନା ଦେବା ସହ ଗୁରୁବାର ଜଗତସିଂହପୁରରେ ହେବାକୁ ଥିବା ‘ଜୟ କିଷାନ’ ମହାସମାବେଶ ବିଷୟରେ କହିଥିଲେ। ‘ସମ୍ବାଦ’ର ସମ୍ପାଦକ ସୌମ୍ୟରଞ୍ଜନ ପଟ୍ଟନାୟକ କାର୍ଯ୍ୟକ୍ରମ ପରିଚାଳନା କରିଥିବା ବେଳେ ବରିଷ୍ଠ ସାମ୍ବାଦିକ ରବି ଦାସ ଧନ୍ୟବାଦ ଦେଇଥିଲେ।

ଏହି ଆଲୋଚନାଚକ୍ରରେ ଓଡ଼ିଶା ବିଧାନସଭାର ବିରୋଧୀ ଦଳ ନେତା ନରସିଂହ ମିଶ୍ର, ପୂର୍ବତନ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ, ପୂର୍ବତନ ମନ୍ତ୍ରୀ ବିଜୟ ମହାପାତ୍ର, ପୂର୍ବତନ ରାଜ୍ୟସଭା ସାଂସଦ ବୈଷ୍ଣବ ପରିଡ଼ା, ରାଜ୍ୟସଭା ସାଂସଦ ଏ.ଭି ସ୍ୱାମୀ, ସମାଜବାଦୀ ପାର୍ଟିର ରବି ବେହେରା, ବିଶିଷ୍ଟ ସାହିତ୍ୟିକ ଦାଶ ବେନହୁର୍‌, ବିଶିଷ୍ଟ କଥାକାର ଗୌରହରି ଦାସ, ବରିଷ୍ଠ ସାମ୍ବାଦିକ ରଣଜିତ୍‌ ଗୁରୁଙ୍କ ସମେତ ବିଭିନ୍ନ ରାଜନୈତିକ ଦଳ, ସ୍ୱେଚ୍ଛାସେବୀ ଅନୁଷ୍ଠାନର ବ୍ୟକ୍ତିମାନେ ଯୋଗ ଦେଇଥିଲେ।

ସମ୍ବନ୍ଧିତ ଖବର