ପୁରୀ : ଶ୍ରୀମନ୍ଦିରରେ ଭକ୍ତଙ୍କୁ ସେବାୟତଙ୍କ ସହ ମିଶି ଶୋଷଣ କରିବ ଖୋଦ୍ ଶ୍ରୀମନ୍ଦିର ପ୍ରଶାସନ। ଏ ପ୍ରସଙ୍ଗରେ ସୁପ୍ରିମ୍କୋର୍ଟଙ୍କ ନିର୍ଦ୍ଦେଶକୁ ବି ଦଳିଚକଟି ଦିଆଯାଇଛି। ନିଜ ମର୍ଜିରେ ଭକ୍ତଙ୍କଠାରୁ ଦାନ ଗ୍ରହଣ କରିବାକୁ ଧାର୍ଯ୍ୟ ହୋଇଥିବା ବେଳେ ସେଥି ପାଇଁ ଅଫିସରମାନେ ସୁପ୍ରିମ୍କୋର୍ଟଙ୍କୁ ଚକ୍ମା ଦେଖାଇଛନ୍ତି। ଦେଶର ସର୍ବୋଚ୍ଚ ନ୍ୟାୟାଳୟଙ୍କ ନିର୍ଦ୍ଦେଶକୁ ଅବମାନନା କରିଥିବାରୁ ଏହା ବିରୋଧରେ ଅଦାଲତ ଅବମାନନା ମାମଲା ପାଇଁ ପ୍ରସ୍ତୁତି ଆରମ୍ଭ ହୋଇଥିବା ଜଣାଯାଇଛି। ଶ୍ରୀମନ୍ଦିର ସଂସ୍କାର ନେଇ ସୁପ୍ରିମକୋର୍ଟରେ ଦାଖଲ ମାମଲାର ଶୁଣାଣି କରି ସୁପ୍ରିମକୋର୍ଟ ଅନ୍ତରୀଣ ନିର୍ଦ୍ଦେଶ ଦେଇଥିଲେ। ସେଥିରେ ୧୨ଟି ପଏଣ୍ଟ କାର୍ଯ୍ୟକାରୀ କରିବାକୁ ଥିଲା ଆଦେଶ। ଏହି ୧୨ଟି ପଏଣ୍ଟରୁ ଗୋଟିଏ ଥିଲା ଶ୍ରୀମନ୍ଦିରରେ ପ୍ରଚଳିତ ଅନ୍ନଦାନ ଭୋଗ ଆଟିକା ବ୍ୟବସ୍ଥା ଉଚ୍ଛେଦ। ଏହି ନାମରେ କୌଣସି ଦାନ ଭକ୍ତଙ୍କଠାରୁ ଗ୍ରହଣ କରାଯିବ ନାହିଁ ବୋଲି ସୁପ୍ରିମ୍କୋର୍ଟ ନିର୍ଦ୍ଦେଶ ଦେଇଥିଲେ। ଏହାକୁ କାର୍ଯ୍ୟକାରୀ କରିବା ପାଇଁ ମନ୍ଦିର ପ୍ରଶାସନ ତତ୍କାଳ ପଦକ୍ଷେପ ମଧ୍ୟ ନେଇଥିଲା। ହେଲେ ସିଧାସଳଖ ବାଧା ଦେଇଥିଲେ ଏହି ଦାନରୁ ଲାଭ ପାଉଥିବା ସେବକମାନେ। ଉଠିଥିଲା ଆପତ୍ତି। ମାତ୍ର ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ଥିବାରୁ ମନ୍ଦିର ପ୍ରଶାସନ ଅଡ଼ୁଆରେ ପଡ଼ିଥିଲା। ସୁପ୍ରିମକୋର୍ଟଙ୍କୁ ଚକ୍ମା ଦେଇ ଦାନ ସଂଗ୍ରହ ପାଇଁ ହେଲା ନୂଆ ବ୍ୟବସ୍ଥା। ପ୍ରସ୍ତୁତ ହେଲା ଗଳାବାଟ।
କେମିତି ଭକ୍ତଙ୍କୁ ଲୁଟ୍ କରାଯିବ ସେଥି ପାଇଁ ପ୍ରଶାସନ ଓ ଲାଭଖୋର ସେବକମାନେ ମିଶି ଯୋଜନା କରିଛନ୍ତି। ଏବେ ଅନ୍ନଦାନ ଭୋଗ ଆଟିକା ନାମରେ ଦାନ ନିଆଯିବନି। ଏହାର ନାମ ବଦଳାଇ କରାଯିବ ‘ରାଜଭୋଗ ଡୋନେସନ୍ ସ୍କିମ୍’। ଏହି ଯୋଜନାରେ ଅନ୍ନଦାନ ଭୋଗ ଆଟିକା ଅଫିସ୍ରେ ଦାନ ସଂଗ୍ରହ କରାଯିବ। ଭକ୍ତମାନେ ସେଠାରେ ଦାନ ଦେବେ। ସେହି ଅଫିସ୍ଗୁଡ଼ିକ ହଟିବନି। କମ୍ପ୍ୟୁଟରାଇଜ୍ଡ୍ କରିବ ପ୍ରଶାସନ। ସେଠାରେ ସେବକମାନେ ଭକ୍ତଙ୍କୁ ନେଇ ପହଞ୍ଚିବେ, ଶ୍ରୀମନ୍ଦିର ପ୍ରଶାସନର କର୍ମଚାରୀ ଦାନ ଆଦାୟ କରିବେ। ଏହା ପରେ ସେହି ଦାନ ସେବାୟତ ଓ ପ୍ରଶାସନ ମଧ୍ୟରେ ଭାଗବଣ୍ଟା ହେବ। ଅନ୍ନଦାନ ଆଟିକା ଭୋଗ କାର୍ଯ୍ୟାଳୟ ବୋର୍ଡରେ କେବଳ ରାଜଭୋଗ ଡୋନେସନ୍ ସ୍କିମ୍ ଲେଖାଯିବ। ଏପରି ପ୍ରସ୍ତାବକୁ ଏବେ ପରିଚାଳନା କମିଟି ଅନୁମୋଦନ କରିଛି। ଅନୁମୋଦିତ ପ୍ରସ୍ତାବ ରାଜ୍ୟ ସରକାରଙ୍କ ନିକଟକୁ ପଠାଯିବ ଏବଂ ରାଜ୍ୟ ସରକାର ଏହାକୁ ଅନୁମୋଦନ କରିବା ପରେ ଶ୍ରୀମନ୍ଦିର ପ୍ରଶାସନ ମାଧ୍ୟମରେ ସେବାୟତମାନେ ପୂର୍ବ ଭଳି ଭକ୍ତଙ୍କୁ ଶୋଷଣ କରିବାକୁ ସୁଯୋଗ ପାଇଯିବେ। ସେଥିପାଇଁ ଅଫିସରମାନେ କ୍ଷେତ୍ର ପ୍ରସ୍ତୁତି କରିଛନ୍ତି। ସୁପ୍ରିମକୋର୍ଟଙ୍କ ଦ୍ବାରା ନିୟୋଜିତ ଆମିକସ୍ କ୍ୟୁରିଙ୍କୁ ବି ରାଜଭୋଗ ଡୋନେସନ୍ ସ୍କିମ୍ କଥା ବୁଝାଇ ଦେଇଛନ୍ତି।
ହେଲେ ଏହି ସ୍କିମ୍ ସିଧାସଳଖ ସୁପ୍ରିମକୋର୍ଟଙ୍କ ଆଦେଶର ଉଲ୍ଲଙ୍ଘନ। ଯାହାକୁ ଏବେ ବୁଦ୍ଧିଜୀବୀ ଧରିଛନ୍ତି। ଇତିମଧ୍ୟରେ ଏକ ସ୍ବତନ୍ତ୍ର ଆବେଦନ ସୁପ୍ରିମକୋର୍ଟରେ ଦାଖଲ କରାଯିବାକୁ ପ୍ରସ୍ତୁତି ହୋଇଛି। ସେପଟେ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶକୁ ଅବମାନନା କରି ଦାନ ଆଦାୟ କରିବାକୁ ପରିଚାଳନା କମିଟି ନିଷ୍ପତ୍ତି ନେଇଥିବାରୁ କମିଟି ଅଧ୍ୟକ୍ଷଙ୍କ ସମେତ ସମସ୍ତ ସଦସ୍ୟ, ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଓ ରାଜ୍ୟ ସରକାରଙ୍କ ବିରୋଧରେ ଅଦାଲତ ଅବମାନନା ମାମଲା ରୁଜୁ କରାଯିବାକୁ ଆବେଦନ ଦାଖଲ ହୋଇଥିବା ଜଣାପଡ଼ିଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2019/04/jag.jpg)