ବିଜେପିର ୩ ବିଧାନସଭା ପ୍ରାର୍ଥୀ ଘୋଷଣା: ପୁରୁଣାଙ୍କୁ ପୁଣି ଭରସା କଲା ଦଳ

ହିନ୍ଦୋଳକୁ ନେଇ ଛିଣ୍ଡୁନି ଅଙ୍କକଷା

ଢେଙ୍କାନାଳ: ‌ଢେଙ୍କନାଳ ଜିଲ୍ଲାର ୪ଟି ବିଧାନସଭା ଆସନରୁ ଯେଉଁ ୩ଟି ଆସନରେ ବିଜେଡି ତା’ର ପ୍ରାର୍ଥୀଙ୍କ ନାମ ଘୋଷଣା କରିଛି, ଆଜି ବିଜେପି ମଧ୍ୟ ସେହି ୩ଟି ଆସନ ପାଇଁ ପ୍ରାର୍ଥୀଙ୍କ ନାମ ଘୋଷଣା କରିଛି। ହିନ୍ଦୋଳ ଆସନ ପାଇଁ ଉଭୟ ଦଳର ଅଙ୍କ ଛିଣ୍ଡୁ ନଥିବାରୁ ନାମ ଘୋଷଣା ହୋଇନି। କାହାକୁ ପ୍ରାର୍ଥୀ କରିବେ ତା’କୁ ନେଇ ଉଭୟ ଦଳ ମଧ୍ୟରେ ଘଣ୍ଟାଚକଟା ଚାଲିଛି। ଢେଙ୍କାନାଳ ବିଧାନସଭା ଆସନ ପାଇଁ ପୂର୍ବତନ ବିଧାୟକ କୃଷ୍ଣଚନ୍ଦ୍ର ପାତ୍ର, କାମାକ୍ଷାନଗର ଆସନ ପାଇଁ ଶତ୍ରୁଘ୍ନ ଜେନା, ପର୍ଜଙ୍ଗ ନିର୍ବାଚନମଣ୍ଡଳୀ ପାଇଁ ବିଭୂତି ଭୂଷଣ ପ୍ରଧାନଙ୍କ ନାମ ଆଜି ବିଜେପି ଘୋଷଣା କରିଛି।
ଶ୍ରୀ ପାତ୍ର ୨୦୦୦ ମସିହାରେ ବିଜେପି-ବିଜେଡି ମେଣ୍ଟରେ ପ୍ରଥମଥର ପାଇଁ ବିଜୟୀ ହୋଇଥିଲେ। ୨୦୦୪ ମସିହାରୁ ବିଜେପି ତାଙ୍କୁ ୪ଟି ପର୍ଯ୍ୟାୟରେ କ୍ରମାଗତ ଭାବେ ଟିକେଟ୍‌ ଦେଇଆସୁଥିଲେ ମଧ୍ୟ ପ୍ରତ୍ୟେକଥର ସେ ଦଳକୁ ନିରାଶ କରିଛନ୍ତି। ଚଳିତଥର ପୁଣି ତାଙ୍କୁ  ଦଳ ଚୟନ କରଥିବା ବେଳେ ନୂଆ ମୁହଁକୁ ଗୁରୁତ୍ୱ ଦେଇ ନାହିଁ।

୨୦୦୯ରେ ସୀମା ନିର୍ଦ୍ଧାରଣ ପରେ ପର୍ଜଙ୍ଗ ନୂତନ ବିଧାନସଭା ନିର୍ବାଚନମଣ୍ଡଳୀର ମାନ୍ୟତା ପାଇଥିଲା। ସେହିବର୍ଷ ବିଭୂତି ଭୂଷଣ ପ୍ରଧାନ ବିଜେପି ପ୍ରାର୍ଥୀ ହୋଇ ହାରିଥିଲେ। ସେତେବେଳେ ବିଜେଡି  ପ୍ରାର୍ଥୀ ଡ. ନୃସିଂହ ଚରଣ ସାହୁ ବିଜୟୀ ହୋଇଥିଲେ। ଏହାପରଠାରୁ ୨୦୧୯ ମସିହା ନିର୍ବାଚନ ପର୍ଯ୍ୟନ୍ତ ଡ. ସାହୁଙ୍କ ବିପକ୍ଷରେ  ଶ୍ରୀ ପ୍ରଧାନ ଲଢ଼େଇ କରି ସଫଳତା ପାଇପାରିନାହାନ୍ତି। ଚଳିତଥର ମଧ୍ୟ ସେହି ପୁରୁଣା ବିରୋଧୀଙ୍କ ସହ ଲଢେଇ ପାଇଁ ଦଳ ତାଙ୍କୁ ପୁନର୍ବାର ଟିକେଟ୍‌ ଦେଇଛି। ସେହିପରି କାମାକ୍ଷାନଗର ବିଧାନସଭାକ୍ଷେତ୍ରରେ ଶତ୍ରୁଘ୍ନ ଜେନା ୨୦୦୪ରେ ସ୍ୱାଧୀନ ପ୍ରାର୍ଥୀ, ୨୦୦୯ରେ କଂଗ୍ରେସ ଟିକେଟ୍‌ରେ ନିର୍ବାଚନ ଲଢ଼ି ବିଫଳ ହୋଇଥିଲେ। ୨୦୧୯ରେ ଶ୍ରୀ ଜେନା ବିଜେପିରେ ସାମିଲ ହୋଇ ଟିକେଟ୍‌ ନେବାସହ ନିର୍ବାଚନକୁ ଓହ୍ଲାଇଥିଲେ। ସେତେବେଳେ ବିଜେଡି ପ୍ରାର୍ଥୀ ପ୍ରଫୁଲ୍ଲ କୁମାର ମଲ୍ଲିକ ତାଙ୍କ ସହିତ ପ୍ରତିଦ୍ୱନ୍ଦ୍ବିତା କରି ଜିତାପଟ ନେଇଥିଲେ। ଚଳିତଥର ମଧ୍ୟ ଦଳ ଶ୍ରୀ ମଲ୍ଲିକଙ୍କ ସହ ଲଢେଇ ପାଇଁ ତାଙ୍କୁ ମଇଦାନ ଛାଡ଼ିଦେଇଛି।

୩ଟି ନିର୍ବାଚନମଣ୍ଡଳୀରେ ବିଜେପି ଗତ ନିର୍ବାଚନର ପ୍ରାର୍ଥୀମାନଙ୍କୁ ଏଥର ପ୍ରାର୍ଥୀ କରିଛି।  ୨୦୧୯ ନିର୍ବାଚନରେ ଉପରୋକ୍ତ ୩ ଜଣ ପ୍ରାର୍ଥୀ ନିର୍ବାଚନ ଲଢ଼ି ପରାଜିତ ହୋଇଛନ୍ତି। ସେମାନଙ୍କୁ ପୁଣି ଟିକେଟ୍‌ ମିଳିବା ପରେ ବିଜେପି ପ୍ରାର୍ଥୀମାନେ କହିଛନ୍ତି ଯେ, ତୃଣମୂଳସ୍ତରରୁ ସଂଗଠନ କରିଛୁ । ଦଳ ଆମକୁ ସୁଯୋଗ ଦେଇଥିବାରୁ ଏଠାରୁ ପଦ୍ମ ଫୁଟାଇବା ଆମର ଦାୟିତ୍ୱ। ଦେଶରେ ବିକାଶର ମଙ୍ଗ ଧରିଥିବା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଆଦର୍ଶରେ ଚଳିତଥର ଆମେ ସାମିଲ ହୋଇ ନିଜ ନିଜ ଅଞ୍ଚଳର ବିକାଶ ଆମେ କରିବୁ ବୋଲି କହିଛନ୍ତି।

ସମ୍ବନ୍ଧିତ ଖବର