୪ ଏକାଡେମିର କର୍ମକର୍ତ୍ତାଙ୍କ ନାମ ଘୋଷଣା: ହୃଷୀକେଶ ସାହିତ୍ୟ ଏକାଡେମି, ଅରୁଣା ସଙ୍ଗୀତ ନାଟକ ଏକାଡେମି ସଭାପତି

ଭୁବନେଶ୍ବର : ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ଅଧୀନରେ ଥିବା ଚାରିଟି ଏକାଡେମିର କର୍ମକର୍ତ୍ତାଙ୍କ ନାମ ଆଜି ଘୋଷଣା ହୋଇଛି। ସାହିତ୍ୟ ଏକାଡେମିର ସଭାପତି ଭାବେ ହୃଷୀକେଶ ମଲ୍ଲିକ, ଉପସଭାପତି ଭାବେ ସଂଗ୍ରାମ ଜେନା ଓ ସଚିବ ଭାବେ ପ୍ରବୋଧ କୁମାର ରାଉତଙ୍କୁ ମନୋନୀତ କରାଯାଇଛି। ସଙ୍ଗୀତ ନାଟକ ଏକାଡେମିର ସଭାପତି ଓ ଉପସଭାପତି ଭାବେ ଯଥାକ୍ରମେ ଅରୁଣା ମହାନ୍ତି ଓ ମନ୍ମଥ କୁମାର ଶତପଥୀଙ୍କୁ ଚୟନ କରାଯାଇଛି। ସେହିପରି ଲଳିତ କଳା ଏକାଡେମିର ଉପସଭାପତି ଭାବେ ଶ୍ରୀନିବାସ ପଢ଼ିହାରୀ, ସଚିବ ଭାବେ ପଞ୍ଚାନନ ସାମଲ ଏବଂ ଉର୍ଦ୍ଦୁ ଏକାଡେମିର ସଚିବ ପଦବି ପାଇଁ ସୟଦ ମୁସିର୍‌ ଆଲମଙ୍କ ନାମ ଘୋଷଣା କରାଯାଇଛି।

ସାହିତ୍ୟ ଏକାଡେମିର ତିନି, ସଙ୍ଗୀତ ନାଟକ ଏକାଡେମିର ଦୁଇ, ଲଳିତ କଳା ଏକାଡେମିର ଦୁଇ ଏବଂ ଉର୍ଦ୍ଦୁ ଏକାଡେମିର ଗୋଟିଏ ପଦବି ପାଇଁ ବିଭାଗ ପକ୍ଷରୁ ବିଜ୍ଞପ୍ତି ଜାରି ହୋଇଥିଲା। ମୋଟ୍‌ ୮ଟି ପଦବି ପାଇଁ ୨୨୭ ଆବେଦନ ଆସିଥିଲା। ଆବେଦନକାରୀଙ୍କ ମଧ୍ୟରୁ କର୍ମକର୍ତ୍ତା ଚୟନ ପାଇଁ ଉନ୍ନୟନ କମିସନର୍‌ଙ୍କ ଅଧ୍ୟକ୍ଷତାରେ ଏକ ଚୟନ କମିଟି ଗଠନ କରାଯାଇଥିଲା। ତିନିଟି ପର୍ଯ୍ୟାୟରେ କମିଟିର ବୈଠକ କରାଯାଇ ୮ଟି ପଦବି ପାଇଁ ୮ଟି ନାମ ସୁପାରିସ୍‌ କରାଯାଇଥିଲା। ଏହି ନାମ ସବୁକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ଅନୁମୋଦନ ଦେଇଛନ୍ତି।

ସୂଚନାଯୋଗ୍ୟ ଯେ ଲଳିତ କଳା ଏକାଡେମିର ସଭାପତି ଓ ସଙ୍ଗୀତ ନାଟକ ଏକାଡେମିର ସଚିବଙ୍କ କାର୍ଯ୍ୟକାଳ ଶେଷ ହୋଇ ନ ଥିବାରୁ ଏହି ଦୁଇଟି ପଦବି ବିଜ୍ଞପ୍ତି ବାହାରି ନ ଥିଲା। ସେହିପରି ଉର୍ଦ୍ଦୁ ଏକାଡେମିର ସଭାପତି ମୁଖ୍ୟମନ୍ତ୍ରୀ ଓ ଉପସଭାପତି ସଂସ୍କୃତି ମନ୍ତ୍ରୀ ରହିଛନ୍ତି।

ସମ୍ବନ୍ଧିତ ଖବର