ଡାଆଣୀ ଓ ଗୁଣିଆ ସନ୍ଦେହରେ ବର୍ଷକୁ ୫୩ ମୁଣ୍ଡ ଗଡ଼ୁଛି
ଗୁଣିଗାରେଡ଼ି ଓ କୁସଂସ୍କାର ଦୂରୀକରଣ କର୍ମଶାଳା : ପ୍ରୋତ୍ସାହନ ଦେଉଥିବା ବ୍ୟକ୍ତି ଆଇନ ପରିସରକୁ ଆସି ପାରୁନାହାନ୍ତି
ଭୁବନେଶ୍ୱର: ଦେଶରେ ଡାଆଣୀ ଓ ଗୁଣିଆ ସନ୍ଦେହରେ ବର୍ଷକୁ ପ୍ରାୟ ୫୩ଜଣଙ୍କୁ ହତ୍ୟା କରାଯାଉଛି। ଯାହାକି ପ୍ରାକୃତିକ ବିପର୍ଯ୍ୟୟ, ନକ୍ସଲ ହତ୍ୟାରେ ପ୍ରାଣ ହରାଉଥିବା ଲୋକ ସଂଖ୍ୟାଠାରୁ ଢେର୍ ଅଧିକ। ମୟୂରଭଞ୍ଜ, କେନ୍ଦୁଝର, ସୁନ୍ଦରଗଡ଼, ଗଞ୍ଜାମ ଓ ରାୟଗଡ଼ା ଜିଲ୍ଲା ଏ କ୍ଷେତ୍ରରେ ଆଗରେ ରହିଛି। ଏହାକୁ ରୋକିବାକୁ ହେଲେ ଦଣ୍ଡ ବ୍ୟବସ୍ଥାକୁ କଡ଼ାକଡ଼ି ଭାବେ ଲାଗୁ କରିବା ଆବଶ୍ୟକ। ଏହାସହ ଶିକ୍ଷା ବ୍ୟବସ୍ଥାରେ ଏଭଳି କୁସଂସ୍କାର ସଂପର୍କରେ ସଚେତନଧର୍ମୀ ପାଠ୍ୟକ୍ରମ ସାମିଲ କରାଯିବାର ଆବଶ୍ୟକତା ରହିଛି। ଆଜି ‘ମମତା’ ପକ୍ଷରୁ ସିୱାଇଏସ୍ଡି ପରିସରରେ ଅନୁଷ୍ଠିତ ଗୁଣିଗାରେଡ଼ି ଓ କୁସଂସ୍କାର ଦୂରୀକରଣ ସଂପର୍କିତ କର୍ମଶାଳାରେ ଅତିଥିମାନେ ଏଭଳି ମତ ଦେଇଛନ୍ତି।
Sambad is now on WhatsApp
Join and get latest news updates delivered to you via WhatsApp
କର୍ମଶାଳାରେ ଅତିଥି ଭାବେ ଯୋଗ ଦେଇ ରାଜ୍ୟ ସୂଚନା କମିସନର୍ ଶଶିପ୍ରଭା ବିନ୍ଧାଣୀ କହିଲେ, ଗୁଣିଗାରେଡ଼ି ଓ ଅନ୍ଧବିଶ୍ବାସକୁ ପ୍ରୋତ୍ସାହନ ଦେଉଥିବା ଲୋକମାନେ ଆଇନର ପରିସରକୁ ଆସି ପାରୁ ନାହାନ୍ତି। ଏଥିପାଇଁ ତୁରନ୍ତ ପଦକ୍ଷେପ ଗ୍ରହଣ କରାଯିବା ସହ ଆଇନକୁ କଡ଼ାକଡ଼ି ଲାଗୁ କରିବା ଆବଶ୍ୟକ। ଲୋକଙ୍କ ପାଖରେ ଠିକ୍ ସୂଚନା ପହଞ୍ଚି ପାରିଲେ, ସେମାନଙ୍କ ଭ୍ରାନ୍ତ ଧାରଣା ଦୂର ହୋଇପାରିବ। ଆଇନ ଓ ପୀଡ଼ିତଙ୍କ ମଧ୍ୟରେ ଥିବା ବ୍ୟବଧାନକୁ ହ୍ରାସ କରାଯାଇ ପାରିଲେ ଏହି ସମସ୍ୟା ଅନେକାଂଶରେ ଦୂର ହୋଇପାରିବ ବୋଲି ସେ କହିଥିଲେ। ଆମେରିକାର କାଲିଫର୍ଣ୍ଣିଆ ବିଶ୍ବବିଦ୍ୟାଳୟର ନୃତତ୍ତ୍ବ ବିଜ୍ଞାନ ଅଧ୍ୟାପିକା ଅନ୍ନପୂର୍ଣ୍ଣା ପାଣ୍ଡେ ଅନ୍ୟତମ ଅତିଥି ଭାବେ ଯୋଗଦେଇ କହିଲେ, ଗୁଣିଗାରେଡ଼ି କେବଳ ଓଡ଼ିଶା କିମ୍ବା ଭାରତର ସମସ୍ୟା ନୁହେଁ, ଆଫ୍ରିକା ମହାଦେଶରେ ମଧ୍ୟ ଏଭଳି ଅନେକ ଘଟଣା ସାମ୍ନାକୁ ଆସୁଛି। ବିଶ୍ବସ୍ତରରେ ବିଭିନ୍ନ ବିଶ୍ବବିଦ୍ୟାଳୟ ଏ ସଂପର୍କରେ ଗବେଷଣା କରୁଛନ୍ତି। ଗୁଣିଗାରେଡ଼ି ସଂପର୍କିତ ଘଟଣାରେ ଯେଉଁମାନେ ପୀଡ଼ିତ ଓ କାହିଁକି ସେମାନଙ୍କୁ ଟାର୍ଗେଟ୍ କରାଯାଉଛି, ତାହାର ତର୍ଜମା ଆବଶ୍ୟକ। କେବଳ ଯେ ଗ୍ରାମାଞ୍ଚଳରେ ଏହି ସମସ୍ୟା ଦେଖାଦେଉଛି, ତା’ ନୁହେଁ; ସହରାଞ୍ଚଳରେ ମଧ୍ୟ ଏଭଳି ଘଟଣା ଘଟୁଛି। ତେବେ ଏହାକୁ ଭିନ୍ନ ଦୃଷ୍ଟିରେ ଦେଖାଯାଉଛି। ତୃଣମୂଳସ୍ତରରେ ଗୁଣିଗାରେଡ଼ି, ଗୁଣିଆ ଓ ଡାଆଣୀମାନଙ୍କ କାହାଣୀର ମୌଳିକ ଆଧାର ଓ କାରଣ ଜାଣିପାରିଲେ ତାହାର ପ୍ରତିକାର ହୋଇପାରିବ ବୋଲି ଶ୍ରୀମତୀ ପାଣ୍ଡେ କହିଥିଲେ।
ବୈଜ୍ଞାନିକ ଚର୍ଚାର ସଂପାଦକ ଦେବେନ୍ଦ୍ର ସୂତାର କହିଲେ, ଜମି, ସଂପତ୍ତି ହଡ଼ପ, ଯୌନ ଶୋଷଣ କରିବାରେ ବିଫଳତା, ଅସହିଷ୍ଣୁତା ଓ ଅନ୍ଧବିଶ୍ବାସ ଆଦି ଗୁଣିଗାରେଡ଼ି ଓ ଡାଆଣୀ ସନ୍ଦେହର ମୁଖ୍ୟ କାରଣ। ତେବେ ଏହାକୁ ନିୟନ୍ତ୍ରଣ କରିବାକୁ ହେଲେ ଏହାକୁ ଏକ ସାମାଜିକ ଆନ୍ଦୋଳନରେ ପରିଣତ କରିବାକୁ ହେବ। ଏହି ଆନ୍ଦୋଳନ ସାମାଜିକ, ସାଂସ୍କୃତିକ ଓ ଶିକ୍ଷା ଆଦି କ୍ଷେତ୍ରରେ ଜାତୀୟସ୍ତରରେ ହେବା ଦରକାର। ପ୍ରତି ଘଟଣାର ମୌଳିକ ଆଧାରକୁ ଖୋଜି ବାହାର କରି ଲୋକଲୋଚନକୁ ଆଣିପାରିଲେ ଏହାର ବାସ୍ତବ ସମାଧାନ ହୋଇପାରିବ ବୋଲି ସେ କହିଥିଲେ। ଗୁଣିଗାରେଡ଼ି ଓ ଡାଆଣୀ ପ୍ରଥା ଦୂର କରିବା ପାଇଁ ଶିକ୍ଷାବିତ୍, ସ୍ବେଚ୍ଛାସେବୀ ସଂଗଠନର ପ୍ରତିନିଧି ଓ ଆଦର୍ଶବାଦୀଙ୍କୁ ନେଇ ଏକ କାର୍ଯ୍ୟକାରୀ କମିଟି ଗଠନ କରାଯାଇଛି। ଆସନ୍ତା ୧ବର୍ଷର କାର୍ଯ୍ୟ ଯୋଜନା ପ୍ରସ୍ତୁତ ହୋଇଛି। ଏହି କର୍ମଶାଳାରେ ପୂର୍ବତନ ସୂଚନା କମିସନର୍ ଜଗଦାନନ୍ଦ, ଓଡ଼ିଶା ଆଦର୍ଶ ବିଶ୍ବବିଦ୍ୟାଳୟ ସଂଗଠନର ଉପଦେଷ୍ଟା ବିଜୟ ସାହୁ, ମମତାର ତରୁଲତା ଦ୍ବିବେଦୀ, ଶ୍ରୀ ମିଶ୍ର, ବିଶିଷ୍ଟ ନୃବିଜ୍ଞାନୀ ଲୋନା ନାୟକ, ଏନ୍ସିଇଆରଟିର ଜ୍ୟୋତ୍ସ୍ନା ନାୟକ, ପିଆଇବିର ପୂର୍ବତନ ଅଧିକାରୀ ସୁଧାଂଶୁ ଶେଖର ଧଡ଼ା, ଆଇନାର ସଂପାଦିକା ସ୍ନେହ ମିଶ୍ର ଓ ସମାଜର ମୁଖ୍ୟ ସଂଯୋଜକ ସୁରେଶ ମନ୍ତ୍ରୀ ପ୍ରମୁଖ ଉପସ୍ଥିତ ଥିଲେ।