ଭୁବନେଶ୍ବର : ୧୯୯୯ ମହାବାତ୍ୟା ପରେ ନିୟମିତ ବ୍ୟବଧାନରେ ଓଡ଼ିଶାକୁ ବାତ୍ୟା ମାଡ଼ ହୋଇଛି। ୨୦ ବର୍ଷ ମଧ୍ୟରେ ୯ଟି ବାତ୍ୟାର ସମ୍ମୁଖୀନ ହୋଇଛି। ଏମିତିକି ଗତ ୩ ବର୍ଷ ମଧ୍ୟରେ ୬ଟି ବାତ୍ୟାର ସମ୍ମୁଖୀନ ହୋଇଛନ୍ତି ଓଡ଼ିଶାବାସୀ। ମାତ୍ର ରାଜ୍ୟ ସରକାର ଉଚିତ ପଦକ୍ଷେପ ଦ୍ବାରା ବହୁ ମୂଲ୍ୟବାନ ଜୀବନକୁ ବଞ୍ଚାଇବାରେ ଆମେ ସଫଳ ହୋଇଛୁ। ଏକ୍ଷେତ୍ରରେ କେବଳ ସରକାର ନୁହନ୍ତି, ବରଂ ଜନସାଧାରଣଙ୍କର ବି ସହଯୋଗ ଲୋଡ଼ା। ପ୍ରତିଟି ବ୍ୟକ୍ତି ସଚେତନ ହେଲେ ଆମେ ଜଳବାୟୁ ପରିବର୍ତନ ଲଢ଼େଇରେ ସଫଳ ହୋଇପାରିବ ବୋଲି ଦୈନିକ ସମ୍ବାଦପତ୍ର ‘ଧରିତ୍ରୀ’ର ୪୮ତମ ବାର୍ଷିକ ଉତ୍ସବ ଉପଲକ୍ଷେ ଆୟୋଜିତ ୟୁଥ୍ କନ୍‌କ୍ଲେଭ୍‌ରେ ଯୋଗଦେଇ ଉନ୍ନୟନ କମିସନର ତଥା ଅତିରିକ୍ତ ମୁଖ୍ୟ ଶାସନ ସଚିବ ପ୍ରଦୀପ କୁମାର ଜେନା କହିଛନ୍ତି।

Advertisment

ୟୁନିସେଫ୍ ଓଡ଼ିଶା ମୁଖ୍ୟ ମୋନିକା ନେଲ୍‌ସନ ଅଧିବେଶନରେ ଯୋଗଦେଇ ଜଳବାୟୁ ପରିବର୍ତନ ରୋକିବା ଦିଗରେ ପଦ‌କ୍ଷେପ ଗ୍ରହଣ କରିବାକୁ ଆହ୍ବାନ ଦେଇଥିଲେ। ଅସ୍ତରଙ୍ଗର ସୌମ୍ୟରଞ୍ଜନ ବିଶ୍ୱାଳ ଯୋଗଦେଇ ଅଲିଭ୍ ରିଡ୍‌ଲେଙ୍କ ସୁରକ୍ଷା ଦିଗରେ ପଦକ୍ଷେପ ନେବାର ଆବଶ୍ୟକତା ରହିଛି ବୋଲି ମତବ୍ୟକ୍ତ କରିଛନ୍ତି। ଏହି ଅଧିବେଶନରେ କୋଲକାତାସ୍ଥିତ ବ୍ରିଟିଶ ଡେପୁଟି ହାଇକମିସନର ନିକ୍ ଲୋ ଭାଗନେଇ ଜଳବାୟୁ ପରିବର୍ତନ ଲଢ଼େଇରେ ଯୁବପିଢ଼ି ସାମିଲ ହେବାକୁ ଆହ୍ୱାନ ଦେଇଥିଲେ।
ସମ୍ମିଳନୀର ଦ୍ବିତୀୟ ଅଧିବେଶନରେ ଭାରତୀୟ ପାଣିପାଗ ବିଭାଗ(ଆଇଏମ୍‌ଡି) ମହାନିର୍ଦ୍ଦେଶକ ମୃତ୍ୟୁଞ୍ଜୟ ମହାପାତ୍ର କହିଲେ ଅଙ୍ଗାରକାମ୍ଳ ଭାଗ ବଢ଼ୁଥିବାରୁ ଜଳବାୟୁ ପରିବର୍ତନ କରାଉଛି। ତେଣୁ ଦୁଇଟି ଉପାୟରେ ମାଇକ୍ରୋ ଓ ମାକ୍ରୋସ୍ତରରେ ସମସ୍ତେ ପଦକ୍ଷେପ ନେଲେ ଏହାକୁ ନିୟନ୍ତ୍ରଣରେ ରଖାଯାଇ ପାରିବ। ଏଦିଗରେ ପବ୍ଲିକ୍ ଟ୍ରାନ୍ସପୋର୍ଟ ବ୍ୟବହାର, ପ୍ଲାଷ୍ଟିକ ବ୍ୟବହାରକୁ ରୋକିବା ଓ ଜଙ୍ଗଲ ସଂରକ୍ଷଣ ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି। ଅନ୍ୟମାନଙ୍କ ମଧ୍ୟରେ ଓଡ଼ିଶାର ଜଳ ମାନବ ରଞ୍ଜନ କୁମାର ପଣ୍ଡା, ଜାତିସଂଘ ପାଣିପାଗ ପରିବର୍ତନର ଯୁବପରାମର୍ଶଦାତା ଗୋଷ୍ଠୀର ସଦସ୍ୟ ଅର୍ଚ୍ଚନା ସୋରେଙ୍ଗ ବକ୍ତା ଭାବେ ଯୋଗଦେଇଥିଲେ। କାର୍ଯ୍ୟକ୍ରମର ପ୍ରଥମ ଅଧିବେଶନକୁ ବକୁଳ ଫାଉଣ୍ଡେସନର ପ୍ରତିଷ୍ଠାତା ସମ୍ପାଦକ ସୁଜିତ ମହାପାତ୍ର ଓ ଦ୍ୱିତୀୟ ଅଧିବେଶନକୁ ବରିଷ୍ଠ ସାମ୍ବାଦିକ ସମ୍ପଦ ପଟ୍ଟନାୟକ ସଂଚାଳନ କରିଥିଲେ। ‘ଧରିତ୍ରୀ’ର ମୁଖ୍ୟ କାର୍ଯ୍ୟନିର୍ବାହୀ ଆଦ୍ୟାଶା ସତପଥୀ ସ୍ୱାଗତ ଭାଷଣ ଦେଇଥିବା ବେଳେ ସମ୍ପାଦକ ତଥାଗତ ସତପଥୀ ଧନ୍ୟବାଦ ଦେଇଥିଲେ।