ଭୁବନେଶ୍ୱର: ‘ହିନ୍ଦୁସ୍ତାନୀ ସଂଗୀତ ସଭା’ର ତ୍ରୟୋଦଶତମ ବାର୍ଷିକ ଉତ୍ସବ ଆଜି ଜୟଦେବ ଭବନରେ ଉଦ୍ଘାଟିତ ହୋଇଛି। ଉପଦେଷ୍ଟା ଦେବେନ୍ଦ୍ର ନାରାୟଣ ଶତପଥୀଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ଅତିଥି ଭାବେ ପୂର୍ବତନ ସ୍ୱତନ୍ତ୍ର ଶାସନ ସଚିବ(ଅର୍ଥ ବିଭାଗ) ପ୍ରଦୀପ କୁମାର ବିଶ୍ୱାଳ ଯୋଗ ଦେଇଥିଲେ।
ହିନ୍ଦୁସ୍ତାନୀ ଶାସ୍ତ୍ରୀୟ ସଙ୍ଗୀତର ପ୍ରଚାରପ୍ରସାର କରୁଥିବାରୁ ସେ ଅନୁଷ୍ଠାନକୁ ପ୍ରଂଶସା କରିଥିଲେ। ସଂପାଦକ ରଘୁନାଥ ସାହୁ ଅନୁଷ୍ଠାନର ଆଭିମୁଖ୍ୟ ସମ୍ବନ୍ଧରେ ଆଲୋକପାତ କରିଥିଲେ। ଉପସଭାପତି ସର୍ବେଶ୍ୱର ଶତପଥୀ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ। ଏହି ଅବସରରେ ଅନୁଷ୍ଠାନର ମୁଖପତ୍ର ‘ସଂଗୀତ ପ୍ରଭା’ ଉନ୍ମୋଚିତ ହୋଇଥିଲା। ପରେପରେ ଶାସ୍ତ୍ରୀୟ ସଙ୍ଗୀତ ସନ୍ଧ୍ୟା କାର୍ଯ୍ୟକ୍ରମ ଆରମ୍ଭ ହୋଇଥିଲା। ଗୁରୁ ଓ ଶିଷ୍ୟଙ୍କ ସମବେତ ‘ଧୃପଦ ଗାୟନ’ ଦର୍ଶକଙ୍କୁ ବିମୋହିତ କରିଥିଲା। ସେହିପରି ସ୍ୱସ୍ତିକ ବିଶ୍ୱାଳ, ସଞ୍ଜିବନୀ ନାଥ, ଗୁରୁ କୃଷ୍ଣଚନ୍ଦ୍ର ଦାଶ, ରଶ୍ମିରେଖା ଶର୍ମା, ଶୁଭ୍ରାଲିନ ରାଉତ, ହରିହର ରଥ ପ୍ରମୁଖ ଶାସ୍ତ୍ରୀୟ ସଂଗୀତ ଗାନ କରି ଦର୍ଶକଙ୍କୁ ମନ୍ତ୍ରମୁଗ୍ଧ କରିଥିଲେ। ବାଦ୍ୟଯନ୍ତ୍ରରେ ଗୁରୁ ସୁଶାନ୍ତ କୁମାର ଜେନା, ଚିତ୍ତରଞ୍ଜନ ମହାପାତ୍ର ଓ କୁଞ୍ଜବିହାରୀ ନାୟକ ସହଯୋଗ କରିଥିଲେ। କାର୍ଯ୍ୟକ୍ରମକୁ ସୁଦୀପ୍ତା ମହାପାତ୍ର ସଂଯୋଜନା କରିଥିଲେ। ଗୁରୁ କୃଷ୍ଣଚନ୍ଦ୍ର ଦାଶ ଧନ୍ୟବାଦ ଦେଇଥିଲେ।