ଜୟପୁର: ରାଜନୀତିକୁ ଘୃଣା କରି ନେତାଙ୍କଠାରୁ ଦୂରେଇ ରହୁଛନ୍ତି ସାହିତ୍ୟିକ। ଯାହା ସମାଜ ପାଇଁ ବଡ଼ ବିପଦ। ସାହିତ୍ୟ-ରାଜନୀତି ଅଙ୍ଗାଅଙ୍ଗୀ ଭାବେ ଜଡ଼ିତ। ନିଜ ରଚନା ମାଧ୍ୟମରେ ସାହିତ୍ୟିକ ଦେଶ ଓ ରାଜ୍ୟର ସାମ୍ପ୍ରତିକ ସ୍ଥିତିକୁ ନେଇ କଲମ ଚାଳନା କରନ୍ତୁ। ସରକାରଙ୍କୁ ପରାମର୍ଶ ଦେବା ସହିତ ରାଜନୀତିକୁ ନିୟନ୍ତ୍ରଣରେ ରଖନ୍ତୁ। ଜୟପୁର ‘ସମ୍ବାଦ ସାହିତ୍ୟଘର’ର ଦଶମ ବାର୍ଷିକ ଉତ୍ସବରେ ମୁଖ୍ୟଅତିଥି ଭାବେ ଯୋଗଦେଇ ଏହା କହିଛନ୍ତି ଇଷ୍ଟର୍ଣ୍ଣ ମିଡିଆ ଲିମିଟେଡ୍‌ର ଅଧ୍ୟକ୍ଷ ସୌମ୍ୟରଞ୍ଜନ ପଟ୍ଟନାୟକ। ଶ୍ରୀ ପଟ୍ଟନାୟକ କହିଛନ୍ତି, ରାଜନୀତି-ସାହିତ୍ୟ-ସାମ୍ବାଦିକତା ତ୍ରିବେଣୀ ସଙ୍ଗମ ସଦୃଶ। ଏହି ସବୁ ବର୍ଗର ଲକ୍ଷ୍ୟ ଏକ ହୋଇପାରେ କିନ୍ତୁ ମାର୍ଗ ଅଲଗା। କବିତା, ସାହିତ୍ୟ, ପ୍ରବନ୍ଧକୁ ନେଇ ଅନେକ ସମସ୍ୟାର ତର୍ଜମା କରିହେବ। ଭାଷା, ଭାବ ବିନା ମଣିଷ ରହିପାରିବ ନାହିଁ। ସମସ୍ତ ସାହିତ୍ୟିକ ଅନୁଭବର ଅଧିକାରୀ ହେବାକୁ ପଡ଼ିବ। ଭାବର ବିସ୍ତାର କରି କ୍ଷୁଦ୍ର ଗଳ୍ପ, କବିତା ଲେଖିବାକୁ ପଡ଼ିବ। ଯାହା ମାନସିକତା ସହିତ ସମାଜରେ ଅନେକ ପରିବର୍ତ୍ତନ ଆଣିବ। ଭାଷା ଦୁର୍ବଳ ହେଲେ ନୂତନ ସାହିତ୍ୟିକ ସୃଷ୍ଟି ହୋଇପାରିବେ ନାହିଁ। ଭାବର ବିସ୍ତାର କରି ସାହିତ୍ୟକୁ ଅନୁଭବର ମାଧ୍ୟମ କରିବାକୁ ଶ୍ରୀ ପଟ୍ଟନାୟକ ଆହ୍ବାନ ଦେଇଛନ୍ତି। ଉପାନ୍ତରେ ଓଡ଼ିଆ ଭାଷାର ପ୍ରଚାର ପ୍ରସାର ପାଇଁ ଅନେକ ଉଦ୍ୟମ ହେଉଛି। ଯାହା ରାଜଧାନୀରେ ହୋଇପାରୁନି। ଓଡ଼ିଆ ଭାଷା, ସାହିତ୍ୟ, ସଂସ୍କୃତିକୁ ବଞ୍ଚାଇ ରଖିବାକୁ ହେଲେ ସମସ୍ତ ବାପା, ମାଆଙ୍କୁ ପ୍ରଥମେ ସଚେତନ ହେବାକୁ ପଡ଼ିବ। ପିଲାଙ୍କୁ ଇଂରାଜୀ ମାଧ୍ୟମ ସ୍କୁଲରେ ପଢ଼ାଇ ଭାଷା, ସାହିତ୍ୟ ପାଇଁ ଉଦ୍ୟମ କଲେ ହେବନି ବୋଲି ଶ୍ରୀ ପଟ୍ଟନାୟକ କହିଛନ୍ତି।

Advertisment

ଭ‌ାଷା ଆନ୍ଦୋଳନକୁ ଗତିଶୀଳ କରିଛି ସାହିତ୍ୟଘର: ବିଧାୟକ
ଶାସ୍ତ୍ରୀୟ ଭା‌ଷାର ମୁକୁଟ ପିନ୍ଧି ଚୁପ୍‌ ବସିଲେ ହେବନି: ଶୁଭଶ୍ରୀ

ଉଦ୍‌ଘାଟକ ଭାବେ ଜୟପୁର ବିଧାୟକ ତାରା ପ୍ରସାଦ ବାହିନୀପତି ଯୋଗଦେଇ କହିଲେ, ‘ସମ୍ବାଦ ସାହିତ୍ୟଘର’ ଭାଷା ଆନ୍ଦୋଳନକୁ ଓଡ଼ିଶାରେ ଗତିଶୀଳ କରିଛି। ସୌମ୍ୟବାବୁଙ୍କ ନେତୃତ୍ବରେ ସାହିତ୍ୟିକ ଭାଷା ଆନ୍ଦୋଳନରେ ସାମିଲ ହେବା ସହିତ ରକ୍ତଦାନ ଶିବିର, ହସ୍ତତନ୍ତ ଦିବସ, ପଖାଳ ଦିବସ, ନିଶା ନିବାରଣ ଭଳି କାର୍ଯ୍ୟକ୍ରମ କରୁଛନ୍ତି। ଓଡ଼ିଆ ଭାଷାକୁ ବଞ୍ଚାଇବା ପାଇଁ ସୌମ୍ୟବାବୁ ଅଧ୍ୟାପନା ଛାଡ଼ି ‘ସମ୍ବାଦ’ ପ୍ରତିଷ୍ଠା କରି ଭାଷା, ସାହିତ୍ୟ ମାଧ୍ୟମରେ ରାଜନୀତିକୁ ନିୟନ୍ତ୍ରଣ କରିବାରେ ସକ୍ଷମ ହୋଇଛନ୍ତି ବୋଲି ଶ୍ରୀ ବାହିନୀପତି କହିଛନ୍ତି। ବିକ୍ରମଦେବ ବିଶ୍ବବିଦ୍ୟାଳୟରେ ଅନୁଷ୍ଠିତ ଉତ୍ସବରେ ‘ସମ୍ବାଦ ସାହିତ୍ୟଘର’ ସଭାପତି ଉଦୟ ଶଙ୍କର ଜାନି ସଭାପତିତ୍ବ କରିଥିଲେ। ମୁଖ୍ୟବକ୍ତା ଭାବେ ‘ସମ୍ବାଦ ସାହିତ୍ୟଘର’ ରାଜ୍ୟ ସଂଯୋଜିକା ଡ. ଶୁଭଶ୍ରୀ ଲେଙ୍କା ଯୋଗଦେଇ କହିଲେ, ଓଡ଼ିଆ ଭାଷାକୁ ଶାସ୍ତ୍ରୀୟ ମାନ୍ୟତା ମିଳିଛି। କିନ୍ତୁ ଶାସ୍ତ୍ରୀୟ ଭାଷାର ମୁକୁଟ ପିନ୍ଧି ଆମେ ଚୁପ୍‌ ବସିଲେ ହେବନି। ଭାଷା, ଖାଦ୍ୟ, ପୋଷାକ, ପରିଚୟ ସବୁଥିରେ ସ୍ବତନ୍ତ୍ରତା ରହିବା ଉଚିତ। ଫକୀରମୋହନ, ମଧୁବାବୁ, ଗୋପବନ୍ଧୁଙ୍କ ନୀତି ଆଦର୍ଶକୁ ପରପିଢ଼ି ଅନୁସରଣ କରିବାକୁ ପଡ଼ିବ। ଗୋପୀନାଥ ମହାନ୍ତି ଆଦିବାସୀଙ୍କ ଜନ ଜୀବନ ସହ ଜଡ଼ିତ ହୋଇ ସେମାନଙ୍କ ଜୀବନଶୈଳୀ, ଚାଲିଚଳନ ଓ ପରମ୍ପରା ବିଷୟରେ ଅବଗତ ହୋଇପାରିଥିଲେ। ପରଜା ଉପନ୍ୟାସ, ଅମୃତର ସନ୍ତାନ ସାହିତ୍ୟ ଜଗତରେ ଚର୍ଚ୍ଚା ସୃଷ୍ଟି କରିବା ସହ ତାଙ୍କୁ ଜ୍ଞାନପୀଠ ପୁରସ୍କାର ପ୍ରଦାନରେ ସହାୟକ ହୋଇଥିଲା ବୋଲି ଶ୍ରୀମତୀ ଲେଙ୍କା କହିଛନ୍ତି। 
ଏହି ଅବସରରେ ସାହିତ୍ୟଘରର ବାର୍ଷିକ ପତ୍ରିକା ‘କୁନ୍ଦକଳିକା’ ଓ ‘ଇନ୍ଦ୍ରଧନୁ’ ପୃଷ୍ଠାକୁ ଅତିଥିମାନେ ଉନ୍ମୋଚନ କରିଥିଲେ।