ଫୁଲବାଣୀ: ଫୁଲବାଣୀ ଜିଲ୍ଲା ଆଇନଜୀବୀ ସଂଘ ପକ୍ଷରୁ ଆୟୋଜିତ ୫୨ତମ ଦୁଇଦିନିଆ ‘ନିଖିଳ ଓଡ଼ିଶା ଆଇନଜୀବୀ ସଂଘ’ର ବାର୍ଷିକ ଉତ୍ସବକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭର୍ଚୁଆଲ୍‌ ମାଧ୍ୟମରେ ଉଦ୍‌ଘାଟନ କରି ଓଡ଼ିଶା ଆଇନଜୀବୀ ସଂଘର ପଦାଧିକାରୀ, କର୍ମକର୍ତ୍ତା, ଉପସ୍ଥିତ ସମସ୍ତ ଆଇନଜୀବୀଙ୍କୁ ଅଭିନନ୍ଦନ ଜଣାଇଥିଲେ। ଆଜି ଫୁଲବାଣୀ କରୋନେସନ୍‌ ପଡ଼ିଆରେ ଆୟୋଜିତ ଉଦ୍‌ଘାଟନୀ କାର୍ଯ୍ୟକ୍ରମରେ ମୁଖ୍ୟବକ୍ତା ଭାବେ ଓଡ଼ିଶା ହାଇକୋର୍ଟର ପୂର୍ବତନ ମୁଖ୍ୟ ବିଚାରପତି ଜଷ୍ଟିସ ଭି.‌ ଗୋପାଳ ଗୌଡ଼ ଯୋଗଦେଇ ଭାରତୀୟ ସମ୍ବିଧାନ ସଂଶୋଧନର ଆବଶ୍ୟକତା ରହିଛି ବୋଲି କହିଛନ୍ତି।

Advertisment

ବିଆର୍‌ ଆମ୍ବେଦକର ଆମକୁ ଏକ ଉତ୍ତମ ସମ୍ବିଧାନ ଦେଇଛନ୍ତି। ଭାରତର ସଂସ୍କୃତି ପାଞ୍ଚ ହଜାର ବର୍ଷର ପୁରୁଣା ଓ ବିବିଧତାରେ ପୂର୍ଣ୍ଣ। ଏଭଳି ସଂସ୍କୃତି ଅନ୍ୟ କୌଣସି ଦେଶରେ ବିରଳ। ଭାରତୀୟ ସଂସ୍କୃତି ଓ ସାମାଜିକ ବ୍ୟବସ୍ଥାକୁ ଲକ୍ଷ୍ୟରେ ରଖି ସମ୍ବିଧାନ ସଂଶୋଧନର ଆବଶ୍ୟକତା ପଡୁଛି। ଏଣୁ ସମ୍ବିଧାନରେ ସଂଶୋଧନ ଅଣାଯିବା ଉଚିତ୍‌ ବୋଲି ଜଷ୍ଟିସ ଗୌଡ଼ କହିଥିଲେ। ସମ୍ବିଧାନର ଭବିଷ୍ୟତକୁ ସୁନିଶ୍ଚିତ କରିବାକୁ ହେଲେ ଆଇନଜୀବୀମାନେ ଆଗେଇ ଆସିବାକୁ ପଡ଼ିବ। ଆଇନଜୀବୀମାନେ ସମ୍ବିଧାନକୁ ସଂରକ୍ଷିତ ଓ ସୁରକ୍ଷିତ ରଖି ପାରିବେ ବୋଲି ସେ କହିଥିଲେ।
ଧର୍ମନିରପେକ୍ଷ ରାଷ୍ଟ୍ରରେ ରାଷ୍ଟ୍ରବାସୀ କେବଳ ଦେଖଣାହାରୀ ହେଲେ ଚଳିବ ନାହିଁ। ଧର୍ମନିରପେକ୍ଷତାକୁ ବଜାୟ ରଖିବାକୁ ହେବ। ମଣିପୁରରେ ତାହା ରକ୍ଷା କରାଯାଇ ପାରିନାହିଁ ବୋଲି ଜଷ୍ଟିସ ଗୌଡ଼ କ୍ଷୋଭ ପ୍ରକାଶ କରିଥିଲେ। ସୁପ୍ରିମ୍‌କୋର୍ଟର ‘ବାର୍‌ କାଉନ୍‌ସିଲ ଅଫ୍‌ ଇଣ୍ଡିଆ’ର ସଭାପତି ଆଦର୍ଶ ଅଗ୍ରୱାଲ ଯୋଗ ଦେଇ ଓଡ଼ିଶାର ରାସ୍ତାଘାଟର ଉଚ୍ଚ ପ୍ରଶଂସା କରିଥିଲେ। ଭଲ ରାସ୍ତା ଗୋଟିଏ ଭଲ ସରକାରର ପରିଚୟ ବୋଲି ଶ୍ରୀ ଅଗ୍ରୱାଲ କହିଥିଲେ। ମୁଖ୍ୟମନ୍ତ୍ରୀ ରାଜ୍ୟ ଓକିଲ କଲ୍ୟାଣ ପାଣ୍ଠି ପାଇଁ ପୂର୍ବରୁ ରହିଥିବା ୫ କୋଟି ଅନୁଦାନ ଅର୍ଥରାଶିକୁ ୧୦ କୋଟିକୁ ବୃଦ୍ଧି କରିବା ଏବଂ ଶୂନ୍ୟ ଆୟକରଦାତା ଓକିଲମାନଙ୍କୁ ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନା ତଥା ସ୍ମାର୍ଟକାର୍ଡର ଅନ୍ତର୍ଭୁକ୍ତ କରିଥିବା ନେଇ ଘୋଷଣା କରିଥିବାରୁ ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଇଥିଲେ।

ଭର୍ଚୁଆଲ୍‌ ମାଧ୍ୟମରେ ଉଦ୍‌ଘାଟନ କଲେ ମୁଖ୍ୟମନ୍ତ୍ରୀ

କାର୍ଯ୍ୟକ୍ରମରେ ସମ୍ମାନିତ ଅତିଥି ଭାବେ ଓଡ଼ିଶା ସରକାରଙ୍କ ଆଇନମନ୍ତ୍ରୀ ଜଗନ୍ନାଥ ସାରକା ଯୋଗଦେଇ ସମାଜ ଗଠନରେ ଆଇନଜୀବୀଙ୍କ ଭୂମିକା ଗୁରୁତ୍ବପୂର୍ଣ୍ଣ ବୋଲି କହିଥିଲେ। ଅନ୍ୟମାନଙ୍କ ମଧ୍ୟରେ କନ୍ଧମାଳ ସାଂସଦ ଡ. ଅଚ୍ୟୁତ ସାମନ୍ତ, ସାଂସଦ ସୁଜିତ କୁମାର, ଓଡ଼ିଶା ଆଇନଜୀବୀ ସଂଘର ଅଧ୍ୟକ୍ଷ ଜ୍ଞାନରଂଜନ ମହାନ୍ତି, ଓଡ଼ିଶା ଆଇନଜୀବୀ ସଂଘର ସଭାପତି ବୀରେନ୍ଦ୍ର କୁମାର ପଟ୍ଟନାୟକ, ସାଧାରଣ ସମ୍ପାଦକ ସଞ୍ଜିତ କୁମାର ପାଣିଗ୍ରାହୀ, ବ୍ରହ୍ମପୁର ବିଧାୟକ ତଥା ଜିଲ୍ଲା ଯୋଜନା କମିଟି ଅଧ୍ୟକ୍ଷ ବିକ୍ରମ କୁମାର ପଣ୍ଡା, ଫୁଲବାଣୀ ବାର୍‌ ଆସୋସିଏସନର ସଭାପତି ଭଗବାନ ମହାନ୍ତି, ସମ୍ପାଦକ କମଳ କୁମାର ବେହେରା, ଅଭ୍ୟର୍ଥନା କମିଟି ଅଧ୍ୟକ୍ଷ ରବୀନ୍ଦ୍ର ନାଥ ମିଶ୍ର, ଓଡ଼ିଶା ବାର୍‌ କାଉନ୍‌ସିଲ ସଭ୍ୟ ବିଭୂ ପ୍ରସାଦ ତ୍ରିପାଠୀ ପ୍ରମୁଖ ଉପସ୍ଥିତ ରହି ସମ୍ବିଧାନର ସୁରକ୍ଷା ଏବଂ ଗୁରୁତ୍ବ ସମ୍ପର୍କରେ ଆଲୋକପାତ କରିଥିଲେ। ଦ୍ବିତୀୟ ଅଧିବେଶନରେ ‘ନୂଆ ଅପରାଧିକ ଆଇନ’ ସମ୍ପର୍କିତ ଏକ କର୍ମଶାଳାରେ ମୁଖ୍ୟ ଅତିଥି ଭାବେ ଓଡ଼ିଶା ହାଇକୋର୍ଟର ବିଚାରପତି ଶଶିକାନ୍ତ ମିଶ୍ର, ଓଡ଼ିଶା ବାର୍‌ କାଉନ୍‌ସିଲ ସଭ୍ୟ ସୀତାଂଶୁ ମୋହନ ଦ୍ବିବେଦୀ, ଓଡ଼ିଶା ବାର୍‌ କାଉନସିଲ ସଭ୍ୟ ବିଭୂ ପ୍ରସାଦ ତ୍ରିପାଠୀ, ସୌର ଚନ୍ଦ୍ର ମହାପାତ୍ର ପ୍ରମୁଖ ଯୋଗ ଦେଇ ଆର୍ଟିଫିସିଆଲ ଇଣ୍ଟେଲିଜେନ୍‌ସ ଓ ଡିଜିଟାଲ ଆପ୍ଲିକେସନ୍‌ସ ଉପରେ ଆଲୋକପାତ କରିଥିଲେ। ସମ୍ପ୍ରତି ସଂସଦରେ ଆଗତ ହୋଇଥିବା ତିନିଟି ଅପରାଧିକ ଆଇନ ସମ୍ପର୍କରେ ପୁଙ୍ଖାନୁପୁଙ୍ଖ ଭାବେ ଏହି ଅଧିବେଶନରେ ଆଲୋଚନା‌ ହୋଇଥିଲା। ଏହି କାର୍ଯ୍ୟକ୍ରମରେ ରାଜ୍ୟର ବିଭିନ୍ନ ଜିଲ୍ଲାରୁ ସହସ୍ରାଧିକ ସଂଖ୍ୟାରେ ଆଇନଜୀବୀ ଅଂଶଗ୍ରହଣ କରିଥିଲେ।