ମଣିଷ ଭିତରେ ସମ୍ବେଦନଶୀଳତା କମି ଯାଉଛି: ମହାବଳେଶ୍ୱର
‘କଥା’ର ଏକତ୍ରିଂଶତ ବାର୍ଷିକୋତ୍ସବ ଓ ନବପ୍ରତିଭା ପୁରସ୍କାର ସମାରୋହ
୧୦ଜଣ ଯୁବ ଗାଳ୍ପିକ ପାଇଲେ କଥା ନବପ୍ରତିଭା ପୁରସ୍କାର
Sambad is now on WhatsApp
Join and get latest news updates delivered to you via WhatsApp
ଭୁବନେଶ୍ୱର : ଆଜିର ସମୟରେ ମଣିଷ କେବଳ ଭୌତିକ ସୁଖ ପଛରେ ଦୌଡ଼ୁଛି। ଫଳରେ ଦିନକୁ ଦିନ ମଣିଷ ସମ୍ବେଦନଶୀଳତା ଓ ସୌଜନ୍ୟ ହରାଉଛି। କେବଳ ମନ ଖୁସି ହୋଇଗଲେ ଯେ ଆନନ୍ଦ ମିଳିବ ତାହା ନୁହେଁ। ସାହିତ୍ୟ ହିଁ ପ୍ରକୃତ ସୁଖ ଦେଇପାରିବ। ରାମାୟଣ ଓ ମହାଭାରତ ଭଳି ଛୋଟ ଛୋଟ ଇତିହାସକୁ ସାହିତ୍ୟ ହିଁ ମହାକାବ୍ୟରେ ପରିଣତ କରିବା ସହ ଘରେ ଘରେ ପହଞ୍ଚାଇଛି ବୋଲି କହିଛନ୍ତି ସରସ୍ୱତୀ ପୁରସ୍କାରପ୍ରାପ୍ତ ଯଶସ୍ୱୀ କୋଙ୍କଣୀ ଲେଖକ ମହାବଳେଶ୍ୱର ସୈଲ।
ଆଜି ଜୟଦେବ ଭବନରେ ଅନୁଷ୍ଠିତ ‘କଥା’ର ଏକତ୍ରିଂଶତ୍ ବାର୍ଷିକୋତ୍ସବ ଓ ନବପ୍ରତିଭା ପୁରସ୍କାର ସମାରୋହରେ ମୁଖ୍ୟ ଅତିଥିଭାବେ ଯୋଗଦେଇ ଶ୍ରୀ ସୈଲ କହିଲେ ଯେ ଖୁବ୍ ବେଶି ଆନୁଷ୍ଠାନିକ ଶିକ୍ଷା ଲାଭ କରିବାର ସୁଯୋଗ ସେ ପାଇ ନ ଥିଲେ। ତେବେ ତାଙ୍କ ଭିତରେ ସୃଜନର ଏକ ସମ୍ଭାବନା ଥିବା ସେ ସବୁବେଳେ ଅନୁଭବ କରୁଥିଲେ। ପରେ ଜୀବନର ବିବିଧ କ୍ଷେତ୍ରରେ ମିଳିଥିବା ଅନୁଭବ ଓ ଅନୁଭୂତିରୁ ହିଁ ତାଙ୍କ ସାହିତ୍ୟ ପରିପୁଷ୍ଟ ହୋଇଥିଲା ଏବଂ ଦୁଇ ଶହରୁ ଅଧିକ ପୁସ୍ତକ ରଚନା କରି ପାରିଥିଲେ।
ନିଜର ସଂଘର୍ଷମୟ ବାଲ୍ୟ ଜୀବନ ସଂପର୍କରେ ଉଲ୍ଲେଖ କରି ସେ କହିଲେ ଯେ ଖୁବ୍ କମ୍ ବୟସରୁ ବାପାଙ୍କୁ ହରାଇବା ପରେ ତାଙ୍କ ଘର ଚଳାଇବା ପାଇଁ ସମସ୍ୟା ଉପୁଜିଥିଲା। ଫଳରେ ଚାଷ କାମ କରିବାକୁ ସେ ବାଧ୍ୟ ହୋଇଥିଲେ। ଆଉ ଚାଷ କାମ ତାଙ୍କୁ ପ୍ରକୃତିର ଅଧିକ ନିକଟତର କରିଥିଲା। ଏକ ସେନା ପରିବାରରେ ଜନ୍ମ ହୋଇଥିବାରୁ ପରବର୍ତୀ ସମୟରେ ସେନାରେ ଭର୍ତି ହୋଇଥିଲେ। ଭାରତ-ପାକିସ୍ତାନ ମଧ୍ୟରେ ୧୯୬୫ ମସିହାରେ ହୋଇଥିବା ଯୁଦ୍ଧରେ ସକ୍ରିୟ ଭାବେ ଅଂଶଗ୍ରହଣ କରିଥିଲେ। ମାତ୍ର ଯୁଦ୍ଧ ସମୟରେ ହତ୍ୟା ଓ ବିଭୀଷିକା ତାଙ୍କୁ ଆନ୍ଦୋଳିତ କରିଥଲା। ଯାହାକୁ ନେଇ ସେ ପ୍ରଥମେ କିଛି ଲେଖା ଲେଖିଥିଲେ। ଏଭଳି ପରିସ୍ଥିତି ଓ ପରିବେଶ ହିଁ ତାଙ୍କୁ ସାହିତ୍ୟ ରଚନା ପାଇଁ ପ୍ରେରଣା ଦେଇଥିଲା। ସେ ଆହୁରି କହିଲେ ଯେ ତାଙ୍କ ସାହିତ୍ୟରେ ସେ ସବୁବେଳେ ନାରୀଙ୍କୁ ଅଧିକ ସମ୍ମାନ ଦେବାକୁ ଚେଷ୍ଟା କରିଛନ୍ତି। ଅଧିକାଂଶ ଲେଖାରେ ନାରୀ ହିଁ ମୁଖ୍ୟ ନାୟିକା ଭାବେ ରହିଛନ୍ତି। ଏପରିକି ଉପନ୍ୟାସରେ ମଧ୍ୟ ନାରୀଙ୍କୁ ଗୁରୁତ୍ୱ ଦେବାକୁ ଚେଷ୍ଟା କରିଛନ୍ତି ବୋଲି ଶ୍ରୀ ସୈଲ କହିଥିଲେ।
ମୁଖ୍ୟବକ୍ତା ଭାବେ ଯୋଗ ଦେଇ ବିଶିଷ୍ଟ କଥାକାର ଦେବଦାସ ଛୋଟରାୟ କହିଲେ, ଶବ୍ଦ ହିଁ ବ୍ରହ୍ମ। ରାଜନୀତିରେ ଗୋଟିଏ ମିଛକଥାକୁ ବାରମ୍ବାର କହିଲେ ପରବର୍ତୀ ସମୟରେ ତାହା ସତରେ ପରିଣତ ହୋଇଥାଏ। ମାତ୍ର ସାମ୍ବାଦିକତାରେ ସାମାନ୍ୟ ମିଛି ସଂପୂର୍ଣ୍ଣ ଘଟଣାକୁ ସନ୍ଦେହ ଭିତରକୁ ଟାଣି ନେଇଥାଏ। ମାତ୍ର ଗପରେ ପୂରା ସତ ବୋଲି କିଛି ନ ଥାଏ। କୌଣସି କଥା ସତ ହେଲେ ତାହା ଗପ ହୋଇପାରିବ ନାହିଁ। ତେବେ ଏହି ମିଛ ଭିତରେ ଯଦି ସତର ସାମାନ୍ୟ ଝଲକ ରହିଥାଏ ତାହା ସମାଜକୁ ଜାଜ୍ୱଲ୍ୟମାନ କରି ଦେଇଥାଏ ବୋଲି ଶ୍ରୀ ଛୋଟରାୟ ମତବ୍ୟକ୍ତ କରିଥିଲେ।
ଉତ୍ସବରେ ଅଧ୍ୟକ୍ଷତା କରି ‘ସମ୍ବାଦ’ ଓ ‘କଥା’ର ମୁଖ୍ୟ ସଂପାଦକ ସୌମ୍ୟରଂଜନ ପଟ୍ଟନାୟକ କହିଲେ, ବର୍ତମାନ ସମୟରେ କୌଣସି ପତ୍ରିକାର ଭବିଷ୍ୟତ ଉଜ୍ଜ୍ୱଳ ନୁହେଁ। ବ୍ୟସ୍ତବହୁଳ ଜୀବନରେ ଲୋକଙ୍କ ପାଖରେ ପତ୍ରିକା ପଢ଼ିବା ପାଇଁ ସମୟ ନାହିଁ କି ମନ ମଧ୍ୟ ନାହିଁ। ଆଜିର ସମୟରେ ଓଡ଼ିଆ ଭାଷା ସାହିତ୍ୟ ସଂକଟ ଦେଇ ଗତି କରୁଥିବା କୁହାଯାଉଥିବା ବେଳେ ଭଲ ଗଦ୍ୟ ଭାଷାକୁ ସମୃଦ୍ଧ କରିପାରିବ। କ୍ଷୁଦ୍ର ଗଳ୍ପ ଏଥିପାଇଁ ଶ୍ରେଷ୍ଠ ମାଧ୍ୟମ ହୋଇପାରିବ। ତେଣୁ ଅଧିକରୁ ଅଧିକ କ୍ଷୁଦ୍ର ଗଳ୍ପ ଲେଖିବା ପାଇଁ ସମସ୍ତେ ଚେଷ୍ଟା କରିବା ଦରକାର। ନୂଆ ପିଢ଼ିଙ୍କୁ ଗଳ୍ପ ଲେଖିବା ପାଇଁ ‘କଥା’ ସବୁବେଳେ ପ୍ରୋତ୍ସାହିତ କରି ଆସିଛି। ଯେଉଁ କେତେଜଣ ଓଡ଼ିଆ ଭାଷାକୁ ବଞ୍ଚାଇ ରଖିବାକୁ ଚାହୁଁଛନ୍ତି ସେମାନଙ୍କୁ ଅନ୍ୟମାନେ ପ୍ରୋତ୍ସାହିତ କରିବାର ଆବଶ୍ୟକତା ରହିଛି ବୋଲି ସେ କହିଥିଲେ।
ପ୍ରାରମ୍ଭିକ ସୂଚନା ଦେବା ଅବସରରେ ‘କଥା’ର ସଂପାଦକ ଗୌରହରି ଦାସ କହିଲେ, ପ୍ରଦେଶିକ ସାହିତ୍ୟ ଏବେ ବିଚିତ୍ର ପରିସ୍ଥିତି ଦେଇ ଗତି କରୁଛି। ଓଡ଼ିଶାରେ ରହୁଥିଲେ ହେଁ ମାନସିକ ଭାବେ ଅନେକ ଓଡ଼ିଆ ପିଲା ପ୍ରସ୍ଥାନ ନେଇ ସାରିଛନ୍ତି। ଏଭଳି ସମୟରେ କେବଳ ଶକ୍ତିଶାଳୀ ଗପ ଉପନ୍ୟାସ ହିଁ ସହାୟତା କରିପାରିବ ବୋଲି ଶ୍ରୀ ଦାସ ମତବ୍ୟକ୍ତ କରିଥିଲେ। ‘ସମ୍ବାଦ’ ଗ୍ରୁପ୍ର ପରିଚାଳନା ନିର୍ଦେଶିକା ମୋନିକା ନୈୟର ପଟ୍ଟନାୟକ ସ୍ୱାଗତ ଭାଷଣ ପ୍ରଦାନ କରିଥିଲେ।
ଏହି ଅବସରରେ ଗତବର୍ଷ ଅନୁଷ୍ଠିତ ‘କଥା’ ନବପ୍ରତିଭା ପ୍ରତିଯୋଗିତାରେ ଶ୍ରେଷ୍ଠ ବିବେଚିତ ହୋଇଥିବା ୧୦ ଜଣ ଯୁବ ଗାଳ୍ପିକ ଦେବୀ ପ୍ରସାଦ ଭଦ୍ର, ବିରାଜ ନନ୍ଦନ ମିଶ୍ର, ସ୍ୱଦେଶ ପାତ୍ର, ଶୁଭ୍ରାଂଶୁ ବିଶ୍ୱାଳ, ବିମଳ କୁମାର ରାଉଳ, ଶାନ୍ତନୁ କୁମାର ନାୟକ, ଅନିଲ କୁମାର ପଣ୍ଡା, ଜିତେନ୍ଦ୍ର ସାହୁ, ପ୍ରିୟଙ୍କା ପ୍ରିୟଦର୍ଶିନୀ ଜେନା ଓ ସତ୍ୟଜିତ ଭୂୟାଁଙ୍କୁ ନବପ୍ରତିଭା ପୁରସ୍କାର ପ୍ରଦାନ କରାଯାଇଥିଲା। ପୁରସ୍କାର ବାବଦରେ ସେମାନଙ୍କୁ ୫ହଜାର ଟଙ୍କା ଓ ଫଳକ ଦିଆଯାଇଥିଲା। ପରେ ‘କଥା’ର ବାର୍ଷିକ ସଂଖ୍ୟାକୁ ଅତିଥିମାନେ ଉନ୍ମୋଚିତ କରିଥିଲେ। ‘କଥା’ର ସହ ସଂପାଦକ ଆଶିଷ କୁମାର ଗଡ଼ନାୟକ ପୁରସ୍କାର ଉତ୍ସବକୁ ସଂଯୋଜନା କରିବା ସହ ଧନ୍ୟବାଦ ପ୍ରଦାନ କରିଥିଲେ।