ଏଣ୍ଡୋକ୍ରାଇନ୍‌ ଜନିତ ରୋଗର ଆଗୁଆ ଡାଏଗ୍ନୋସିସ୍ ଆବଶ୍ୟକ

୪୮ତମ ‘ଇସିକନ୍’ ଉଦ୍‌ଘାଟିତ

ଭୁବନେଶ୍ବର : ଏଣ୍ଡୋକ୍ରାଇନ୍ ସୋସାଇଟି ଅଫ୍ ଇଣ୍ଡିଆ ପକ୍ଷରୁ ୪୮ତମ ‘ଇସିକନ୍’ ଆଜି ହୋଟେଲ ମେ ଫେୟାରରେ ଅନୁଷ୍ଠିତ ହୋଇଯାଇଛି। ଏଥିରେ ମୁଖ୍ୟ ଅତିଥିଭାବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଯୋଗ ଦେଇ ଏହାର ଉଦ୍‌ଘାଟନ କରିଥିଲେ। ଏହି ଅବସରରେ ମୁଖ୍ୟମନ୍ତ୍ରୀ କହିଲେ, ଏଣ୍ଡୋକ୍ରାଇନୋଲୋଜି ଅଧ୍ୟୟନ ଓ ଏହା ଜନିତ ଦେଖା ଯାଉଥିବା ରୋଗର ସଚେତନତା ଓ ପ୍ରସାର ଜରୁରୀ। ଏଣ୍ଡୋକ୍ରାଇନୋଲୋଜି ବିଶେଷକରି ଜୀବନଶୈଳୀ ଜନିତ ରୋଗ। ଏହାର ଆଗୁଆ ଡାଏଗ୍ନୋସିସ୍ ଓ ଚିକିତ୍ସା ଆବଶ୍ୟକ। ସାଧାରଣ ଜନତା କିଭଳି ଏସବୁ ରୋଗର ଉପଯୁକ୍ତ ଚିକିତ୍ସା ପାଇପାରିବେ ସେ ଦିଗରେ ଏଣ୍ଡୋକ୍ରାଇନୋଲୋଜି ସୋସାଇଟି କାର୍ଯ୍ୟ କରୁ ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ।

ସେ ଆହୁରିମଧ୍ୟ କହିଥିଲେ ଯେ, ରାଜ୍ୟରେ ସ୍ବାସ୍ଥ୍ୟସେବାକୁ ସରକାର ବିଶେଷ ଗୁରୁତ୍ବ ଦେଉଛନ୍ତି। ସାଧାରଣ ଲୋକଙ୍କୁ ସ୍ବାସ୍ଥ୍ୟସେବା ଯୋଗାଇ ଦେବା ପାଇଁ ସରକାର ‘ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନା’ କାର୍ଯ୍ୟକାରୀ କରିଛନ୍ତି। ଏହାସହ ‘ନିଦାନ’, ‘ସହାୟ’ ଓ ‘ନିରାମୟ’ ଯୋଜନା କାର୍ଯ୍ୟକାରୀ କରାଯାଇଛି। ନୂତନ ମେଡିକାଲ କଲେଜ ଖୋଲାଯିବା ସହିତ ‘ଉତ୍ତମ ସ୍ବାସ୍ଥ୍ୟସେବା ପ୍ରକଳ୍ପ’ ଜରିଆରେ ସ୍ବାସ୍ଥ୍ୟସେବାର ବିକାଶ ପାଇଁ ଘରୋଇ ସଂସ୍ଥାମାନଙ୍କୁ ଆହ୍ବାନ କରାଯାଇଛି। ରାଜ୍ୟର ୨୫ଟି ସ୍ଥାନରେ ୧୦୦ ଓ ୨୦୦ ଶଯ୍ୟା ବିଶିଷ୍ଟ ଡାକ୍ତରଖାନାର ପରିଚାଳନା ସମ୍ଭବ ହୋଇପାରିଛି ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ।

ସ୍ବାସ୍ଥ୍ୟମନ୍ତ୍ରୀ ପ୍ରତାପ ଜେନା କହିଲେ, ସବୁ ଲୋକଙ୍କୁ ସ୍ବାସ୍ଥ୍ୟସେବା ପହଞ୍ଚାଇବା ପାଇଁ ବି‌ଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନା କାର୍ଯ୍ୟକାରୀ ହୋଇଛି। ୨୦୧୬-୧୭ରେ ଜାତୀୟ ସ୍ତର‌ରେ ଓପିଡି ବା ବହିର୍ବିଭାଗରେ ରୋଗୀଙ୍କ ଚିକିତ୍ସା ୬ ପ୍ରତିଶତ ରହିଥିବା ବେଳେ ରାଜ୍ୟରେ ଏହା ୨୪ ପ୍ରତିଶତ ରହିଛି। ବହିର୍ବିଭାଗରେ ଅଧିକ ସଂଖ୍ୟକ ରୋଗୀଙ୍କୁ ଚିକିତ୍ସା ପାଇଁ କେନ୍ଦ୍ର ସରକାର ନିକଟରେ ସ୍ବାସ୍ଥ୍ୟ ବିଭାଗ ପୁରସ୍କୃତ ହୋଇଛି। ବିଏସ୍‌କେୱାଇ ଯୋଜନା କାର୍ଯ୍ୟକାରୀ ହେବା ପରେ ଏହି ସଂଖ୍ୟାରେ ଆହୁରି ବୃଦ୍ଧ ଘଟିବ। ରାଜ୍ୟରେ ଅଣ ସଂକ୍ରମିତ ରୋଗ ଯୋଜନା କାର୍ଯ୍ୟକାରୀ ହୋଇଛି ଓ ଏହା ଜରିଆରେ ମଧୁମେହ ରୋଗୀଙ୍କୁ ମାଗଣାରେ ଔଷଧ ଦିଆଯାଉଛି ବୋଲି ଶ୍ରୀ ଜେନା ମତବ୍ୟକ୍ତ କରିଥିଲେ।

ଅନ୍ୟମାନଙ୍କ ମଧ୍ୟରେ ଏଣ୍ଡୋକ୍ରାଇନ୍‌ ସୋସାଇଟି ଅଫ ଇଣ୍ଡିଆର ସଭାପତି ଡା.ମନୋଜ ଚଢ଼ା, ସଂପାଦକ ଡା.କେ.ଜି ଶେଷାଦ୍ରି, ରାଜ୍ୟ ଏଣ୍ଡୋକ୍ରାଇନ୍ ସୋସାଇଟିର ସଭାପତି ଡା.ପି.କେ ମିଶ୍ର ପ୍ରମୁଖ ଉପସ୍ଥିତ ଥିଲେ। ଏହି ଅବସରରେ ୪୮ତମ ‘ଇସିକନ୍‌’ ଭୁବନେଶ୍ବର ଚାପ୍ଟରର ‘ସ୍ମରଣିକା’ର ଉନ୍ମୋଚନ କରାଯାଇଥିଲା। ସାଂଗଠନିକ ସଂପାଦକ ଡା.ଅଭୟ ସାହୁ ଧନ୍ୟବାଦ ଦେଇଥିଲେ। ଏହି ସମ୍ମିଳନୀ ଆସନ୍ତା ୧୮ତାରିଖ ପର୍ଯ୍ୟନ୍ତ ଚାଲିବ।

ସମ୍ବନ୍ଧିତ ଖବର