ସାମଗ୍ରିକ ବିକଳ୍ପ ହିଁ ବାସ୍ତବ ପରିବର୍ତ୍ତନ ଆଣିବ

ଗବେଷଣା ଚକ୍ରର ରୌପ୍ୟଜୟନ୍ତୀ ସମାବେଶ ଉଦ୍‌ଯାପିତ

ଭୁବନେଶ୍ୱର : ରାଜନୈତିକ ପରିବର୍ତ୍ତନରୁ ବିକଳ୍ପ ନୁହେଁ ବରଂ ସାମଗ୍ରିକ ବିକଳ୍ପର ପରିକଳ୍ପନାରୁ ହିଁ  ବାସ୍ତବ ପରିବର୍ତ୍ତନ ସମ୍ଭବ ବୋଲି ଜନବାଦୀ ବୁଦ୍ଧଜୀବୀମାନେ ମତ ପ୍ରକାଶ କରିଛନ୍ତି। ଓଡ଼ିଶା ଗବେଷଣା ଚକ୍ରର ରୌପ୍ୟ ଜୟନ୍ତୀ ଅବସରରେ ଆୟୋଜିତ ଦୁଇଦିନିଆ ସମ୍ମିଳନୀରେ ରାଜ୍ୟ ତଥା ଦେଶର ବହୁ  ଜନବାଦୀ  ସମାଜଶାସ୍ତ୍ରୀ, ଅର୍ଥନୀତିଜ୍ଞ, ରାଜନୀତି ବିଶାରଦ ତଥା ଗବେଷକମାନେ ଯୋଗଦେଇ କହିଲେ ଯେ  ନବ୍ୟ  ଉଦାରବାଦୀ ବିକାଶ ପୁଞ୍ଜିବାଦର ଉପାସକ। ଯୁଗଯୁଗ ଧରି ପୁଞ୍ଜିବାଦୀମାନେ ସାଧାରଣ ଜନତାର ଶୋଷକ।  ସେମାନଙ୍କ ଦ୍ଵାରା ସୃଷ୍ଟ ବିକାଶ ପରିକଳ୍ପନା କେବଳ ମାୟଜାଲ। ଅର୍ଥନୀତିର ଜିଡିପି, ଜିଏନ୍‌ପି କୃଷକ, ଶ୍ରମିକ ତଥା ଭାରତର କୋଟକୋଟି ମଧ୍ୟବିତ୍ତ ଓ ଗରିବଙ୍କ ବିକାଶ କରିପାରିବ ନାହିଁ। ବରଂ କୃଷି, ପ୍ରାକୃତିକ ସଂପଦକୁ ରକ୍ଷା  କରିବା ଓ ସେଗୁଡ଼ିକର ସୁପରିଚାଳନା ଦ୍ଵାରା ସାମଗ୍ରିକ ବିକାଶ ସମ୍ଭବ ବୋଲି ମତ ପ୍ରକାଶ ପାଇଥିଲା।

 

ନବକୃଷ୍ଣ ଚୌଧୁରୀ ଗବେଷଣା ଉନ୍ନୟନ କେନ୍ଦ୍ର ପ୍ରେକ୍ଷାଳୟରେ ଅନୁଷ୍ଠିତ ‘ଓଡ଼ିଶା: ବିକଳ୍ପ ଦୃଷ୍ଟି’ ଶୀର୍ଷକ ଏହି ଦୁଇଦିନିଆ ଅଧିବେଶନକୁ ଗତ ଶନିବାର ଦିନ ବିଶିଷ୍ଟ ଗାନ୍ଧୀବାଦୀ ସମାଜସେବୀ କ୍ରିଷ୍ଣା ମହାନ୍ତି ଆନୁଷ୍ଠାନିକ ଭାବେ ଉଦ୍‌ଘାଟନ କରିଥିଲେ। ପ୍ରଫେସର ବିଜୟ କୁମାର ବହିଦାରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସଭାରେ କେନ୍ଦ୍ରର ନିର୍ଦେଶକ ଶ୍ରୀଜିତ୍‌ ମଶ୍ର ସ୍ୱାଗତ ଭାଷଣ ଦେଇଥିବା ବେଳେ ଗବେଷଣା ଚକ୍ରର ପ୍ରତିଷ୍ଠାତା ସଭାପତି ପ୍ରଫେସର ମନୋରଂଜନ ମହାନ୍ତି ଗତ ୨୫ ବର୍ଷର ଗବେଷଣା ସଂପର୍କରେ ବିଶଦ ବିବରଣୀ ପ୍ରଦାନ କରିଥିଲେ। ଅଧ୍ୟାପକ ଜ୍ଞାନରଞ୍ଜନ ସ୍ୱାଇଁ ଧନ୍ୟବାଦ ଦେଇଥିଲେ। ଉକ୍ତ ଦୁଇଦିନିଆ ଅଧିବେଶନରେ ବିଶିଷ୍ଟ ଚିନ୍ତାନାୟକ ତଥା ଅର୍ଥନିତିଜ୍ଞ ପ୍ରଭାତ ପଟ୍ଟନାୟକ, କେ.ବି. ସାକ୍ସସେନା, ପ୍ରଫେସର ଜି. ହରଗୋପାଲ, ଆଶା ହଂସ, କିଶୋର ଚନ୍ଦ୍ର ସାମଲ, ଦେବୀ ପ୍ରସନ୍ନ ପଟ୍ଟନାୟକ, ସୁଧୀର ପଟ୍ଟନାୟକ, ପ୍ର. ଅନ୍ନପୂର୍ଣ୍ଣା ପାଣ୍ଡେ, ତ୍ରୈଲୋକ୍ୟନାଥ ପାଣ୍ଡେ, ପ୍ରେମାନନ୍ଦ ପଣ୍ଡା, ଲିଙ୍ଗରାଜ,ପ୍ରୀତୀଶ୍‌ ଆଚାର୍ଯ୍ୟ, ରାଧାକାନ୍ତ ସେଠୀ ଓ ସ୍ୱର୍ଣ୍ଣମୟୀ ତ୍ରିପାଠୀ ପ୍ରମୁଖଙ୍କ ସମେତ ବହୁ ଯୁବ ଗବେଷକ, ରାଜନୈତିକ ନେତା, ସମାଜକର୍ମୀ ପ୍ରମୁଖ ଅଂଶ ଗ୍ରହଣ କରିଥିଲେ। ଆଜି ସଂଧ୍ୟାରେ ଏହି ଦୁଇଦିନିଆ ସମ୍ମିଳନୀ ଉଦ୍‌ଯାପିତ ହୋଇଯାଇଛି।

ସମ୍ବନ୍ଧିତ ଖବର