ଭାରତୀୟ ବାଣିଜ୍ୟ ସମ୍ମିଳନୀ ଉଦ୍‌ଘାଟିତ : ଅର୍ଥନୀତିରେ ବାଣିଜ୍ୟ ଓ ବ୍ୟବସାୟର ପ୍ରମୁଖ ଯୋଗଦାନ ରହିଛି

ଭୁବନେଶ୍ବର : ଇଣ୍ତିଆନ୍ କମର୍ସ ଆସୋସିଏସନ୍ (ଆଇସିଏ)ର ୭୨ତମ ସର୍ବଭାରତୀୟ ବାଣିଜ୍ୟ ସମ୍ମିଳନୀ ଆଜି କିଟ୍ ବିଶ୍ବବିଦ୍ୟାଳୟରେ ଉଦ୍‌ଘାଟିତ ହୋଇଯାଇଛି। ଓଡ଼ିଶାର ଅର୍ଥ ଓ ଅବକାରୀ ମନ୍ତ୍ରୀ ନିରଞ୍ଜନ ପୂଜାରୀ ମୁଖ୍ୟ ଅତିଥି ଭାବେ ଯୋଗଦେଇ କହିଲେ, ବର୍ତମାନ ସମଗ୍ର ବିଶ୍ବରେ ଆର୍ଥିକ ମାନ୍ଦାବସ୍ଥା ଦେଖାଦେଇଛି। ଏଥିରୁ ଭାରତ ମଧ୍ୟ ବାଦ ପଡ଼ିନାହିଁ। ଭାରତର ଅଭିବୃଦ୍ଧି ଦିନକୁ ଦିନ ହ୍ରାସ ପାଇବାରେ ଲାଗିଛି। ଏହାର ମୁଖ୍ୟ କାରଣ ଗ୍ରାମା‌ଞ୍ଚଳ ଲୋକଙ୍କ ବ୍ୟୟ କ୍ଷମତା ହ୍ରାସ ପାଉଛି ବୋଲି କୁହାଯାଉଛି।

କିଟ୍ ଓ କିସ୍‌ ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତ ସମ୍ମାନିତ ଅତିଥି ଭାବେ ଯୋଗଦେଇ କହିଲେ, କିଟ୍ ୭୨ ତମ ଭାରତୀୟ ବାଣିଜ୍ୟ ସମ୍ମିଳନୀ ଆୟୋଜନ କରି ଗୌରବ ମନେ କରୁଛି। ଏଥିପାଇଁ ସେ ଭାରତୀୟ ବାଣିଜ୍ୟ ସଂଘର ସମସ୍ତ ସଦସ୍ୟ ଓ କର୍ମକର୍ତ୍ତାଙ୍କୁ ଧନ୍ୟବାଦ ଜଣାଇଥିଲେ। ସ୍ବାଗତ ଭାଷଣ ଦେଇ କିଟ୍ ବିଶବିଦ୍ୟାଳୟର ଉପକୁଳପତି ତଥା ସମ୍ମିଳନୀ ସଂପାଦିକା ପ୍ରଫେସର ସସ୍ମିତାରାଣୀ ସାମନ୍ତ କହିଲେ, ଆମ ଅର୍ଥନୀତିରେ ବାଣିଜ୍ୟ ଓ ବ୍ୟବସାୟର ପ୍ରମୁଖ ଯୋଗଦାନ ରହିଛି। ଯୁବଗୋଷ୍ଠୀ ଚାହିଁଲେ ଏହି ସଂଘକୁ ଜାତୀୟ ଓ ଅନ୍ତର୍ଜାତିକସ୍ତରରେ ଆହୁରି ଉଚ୍ଚସ୍ତରକୁ ନେଇପାରିବେ। ଭାରତୀୟ ବାଣିଜ୍ୟ ସଂଘର ସଭାପତି ଓସ୍‌ମାନିଆ ବିଶ୍ବବିଦ୍ୟାଳୟ ବାଣିଜ୍ୟ ପ୍ରଫେସର ଏଚ୍ ଭେଙ୍କଟେଶ୍ବରଲୁ କହିଲେ, ସର୍ବଭାରତୀୟ ବାଣିଜ୍ୟ ସମ୍ମିଳନୀ ହେଉଛି ବାଣିଜ୍ୟ ଶିକ୍ଷା କ୍ଷେତ୍ରରେ ଏକ ମହୋତ୍ସବ। ଭାରତୀୟ ବାଣିଜ୍ୟ ସଂଘର ସଂପାଦକ ତଥା ରୋହତକ ଏମ୍‌ଡି ବିଶ୍ବବିଦ୍ୟାଳୟର ବାଣିଜ୍ୟ ବିଭାଗ ପ୍ରଫେସର ନରେନ୍ଦ୍ର କୁମାର ସଂପାଦକୀୟ ବିବରଣୀ ପାଠ କରିଥିବା ବେଳେ ସଂଘର କାର୍ଯ୍ୟକାରୀ ଉପସଭାପତି ପ୍ରଫେସର ମାନସ କୁମାର ପାଣ୍ଡେ ଏବଂ ଆୟୋଜକ କମିଟି ସଂପାଦକ ପ୍ରଫେସର ଜୟନ୍ତ କୁମାର ପରିଡ଼ା ଧନ୍ୟବାଦ ଅର୍ପଣ କରିଥିଲେ। ଏହି ଅବସରରେ ଜମ୍ମୁ ବିଶ୍ବବିଦ୍ୟାଳୟର ବାଣିଜ୍ୟ ବିଭାଗ ପ୍ରଫେସର ହରଦୀପ ଚହଲଙ୍କୁ ‘ମନୁଭାଇ ଏମ୍‌.ସାହା ସ୍ମାରକୀ ପୁରସ୍କାର’ ପ୍ରଦାନ କରାଯାଇଥିଲା। ତାଙ୍କୁ ପୁରସ୍କାର ସ୍ବରୂପ ୨ଲକ୍ଷ ଟଙ୍କା ଓ ମାନପତ୍ର ପ୍ରଦାନ କରାଯାଇଥିଲା।

ସମ୍ବନ୍ଧିତ ଖବର