ଜୀବନବୀମା କର୍ମଚାରୀ ସଂଘର ବାର୍ଷିକ ସମ୍ମିଳନୀ: କେନ୍ଦ୍ର ସରକାରଙ୍କ ରାଷ୍ଟ୍ରାୟତ୍ତ ଶିଳ୍ପ ବିରୋଧୀ ମନଭାବକୁ ସମାଲୋଚନା

ଭୁବନେଶ୍ବର : ଭୁବନେଶ୍ବର ଡିଭିଜନ ଜୀବନବୀମା କର୍ମଚାରୀ ସଂଘ ପକ୍ଷରୁ ସୂର୍ଯ୍ୟନଗର ସ୍ଥିତ ଏଲ୍‌ଆଇସି କାର୍ଯ୍ୟାଳୟ ଠାରେ ୧୫ତମ ବାର୍ଷିକ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି। କାର୍ଯ୍ୟକ୍ରମକୁ ଅଖିଳ ଭାରତ ବୀମା କର୍ମଚାରୀ ସଂଘର ସାଧାରଣ ସଂପାଦକ ଶ୍ରୀକାନ୍ତ ମିଶ୍ର ଉଦ୍‌ଘାଟନ୍‌ କରିଥିଲେ। ଏହି ଅବସରରେ ଶ୍ରୀ ମିଶ୍ର କେନ୍ଦ୍ର ସରକାରଙ୍କ ରାଷ୍ଟ୍ରାୟତ୍ତ ଶିଳ୍ପ ବିରୋଧୀ ମନଭାବକୁ ସମାଲୋଚନା କରିଥିଲେ। ଏଲ୍‌ଆଇସିରୁ ୩.୫ ପ୍ରତିଶତ ସେୟାର ବିନିବେଶ ଏଲ୍‌ଆଇସି ପ୍ରତି ବିପଦ ବୋଲି ଶ୍ରୀ ମିଶ୍ର କହିଥିଲେ। ଏଲ୍‌ଆଇସି ଦେଶର ସମୁଦାୟ ଆଭ୍ୟନ୍ତରୀଣ ଋଣର ୨୫ ପ୍ରତିଶତ ପୂରଣ କରିଚାଲିଥିବା ବେଳେ ଏଭଳି ସ୍ଥିତିରେ କେନ୍ଦ୍ର ସରକାର ଘରୋଇକରଣ କରିବା ପାଇଁ ଯେଉଁ ମସୁଧା କରିଚାଲିଛନ୍ତି ତାହା ସଂସ୍ଥା ପ୍ରତି ବିପଦ ସୃଷ୍ଟି କରୁଛି। ତେଣୁ କର୍ମଚାରୀମାନଙ୍କ ବହୁ ପ୍ରତୀକ୍ଷିତ ମଜୁରି ସଂଶୋଧନର ସମାଧାନ ପାଇଁ ସେ ଦାବି କରିଛନ୍ତି।

କାର୍ଯ୍ୟକ୍ରମରେ ପୂର୍ବ କେନ୍ଦ୍ରାଞ୍ଚଳ ବୀମା କର୍ମଚାରୀ ସଂଘର ସାଧାରଣ ସଂପାଦକ ତ୍ରିନାଥ ଦୋରା କେନ୍ଦ୍ର ସରକାରଙ୍କ କର୍ମଚାରୀ ଓ ଶ୍ରମିକ ମାରଣ ନୀତିର ନିନ୍ଦା କରିଥିଲେ। ସମ୍ମିଳନୀରେ ୧୭ଦଫା ଦାବି ନେଇ କେନ୍ଦ୍ର ସରକାରଙ୍କ ଉଦ୍ଦେଶ୍ୟରେ ଏକ ଦାବିପତ୍ର ଉପସ୍ଥାପନ କରାଯାଇଥିଲା। ଏହି ଅବସରରେ ସଂଗଠନର ସଭାପତି ଚନ୍ଦ୍ରମୋହନ ହାଇବ୍ରୁଙ୍କୁ ବିଦାୟକାଳୀନ ସମ୍ବର୍ଦ୍ଧନା ଦିଆଯାଇଥିବା ବେଳେ କଟକ ଡିଭିଜନ ବୀମା କର୍ମଚାରୀ ସଂଘର ପୂର୍ବତନ ସଭାପତି ମାନଗୋବିନ୍ଦ ବାରିକଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା। କାର୍ଯ୍ୟକ୍ରମରେ ବିଡିଏଲଆଇଇଏର ସାଧାରଣ ସଂପାଦକ ବି. ବି ନାୟକ ବାର୍ଷିକ ବିବରଣୀ ପାଠ କରିଥିଲେ। କୋଷାଧ୍ୟକ୍ଷ ଅରୁଣ ମହାନ୍ତି ଆୟବ୍ୟୟ ବିବରଣୀ ଉପସ୍ଥାପନ କରଥିଲେ। ସାଂଗଠନିକ ସଂପାଦକ ରମାକାନ୍ତ ଦାସ ଧନ୍ୟବାଦ ଦେଇଥିଲେ।

ସମ୍ବନ୍ଧିତ ଖବର