ରାଉରକେଲା : ‘ଡିଗ୍ରୀ ଅବା ପଦକ ସଫଳତାର ପରିଚାୟକ ନୁହେଁ, ବରଂ ମାନବ ସମାଜର କଲ୍ୟାଣ ହିଁ ବିଦ୍ୟାର୍ଥୀଙ୍କୁ ଶୀର୍ଷରେ ପହଞ୍ଚାଇଥାଏ। ରାଉରକେଲାସ୍ଥିତ ଜାତୀୟ ବୈଷୟିକ ପ୍ରତିଷ୍ଠାନ (ଏନ୍ଆଇଟି)ର ୧୫ତମ ସମାବର୍ତ୍ତନ ଉତ୍ସବରେ ମୁଖ୍ୟଅତିଥି ଭାବେ ଯୋଗ ଦେଇ ପ୍ରଧାନମନ୍ତ୍ରୀଙ୍କ ଅତିରିକ୍ତ ପ୍ରମୁଖ ସଚିବ ଡ. ପ୍ରମୋଦ କୁମାର ମିଶ୍ର ବିଦ୍ୟାର୍ଥୀଙ୍କୁ ଉପରୋକ୍ତ ମାର୍ଗଦର୍ଶନ ଦେଇଛନ୍ତି। ପ୍ରଶାସନିକ ଅଧିକାରୀ ଭାବେ ସୁନ୍ଦରଗଡ଼ ଓ ରାଉରକେଲାରେ ବିତାଇଥିବା ଅତୀତକୁ ସ୍ମରଣ କରି କହିଲେ, ସାଦ୍ରୀ ଭାଷାରେ ‘ରାଉରକେଲା’ର ଅର୍ଥ ‘ଆମ ଗାଁ’। ଏହି ଗାଁ ସର୍ବପ୍ରାଚୀନ ଜ୍ଞାନ ଓ ମୂଲ୍ୟବୋଧ ସହିତ ସଦା ଆଶୀର୍ବାଦରେ ଚାଲିଥିବ ବୋଲି ଡ. ମିଶ୍ର କହିଥିଲେ।
ଆଦିତ୍ୟ ବିରଳା ଗ୍ରୁପ୍ ବ୍ଲାକ୍ କାର୍ବନର ମୁଖ୍ୟ ନିର୍ବାହୀ ଅଧିକାରୀ (ସିଇଓ) ତଥା ଏନ୍ଆଇଟି ପରିଚାଳନା ବୋର୍ଡ଼ ଅଧ୍ୟକ୍ଷ ଡ. ସନ୍ତୃପ୍ତ ବି. ମିଶ୍ର ଉତ୍ସବରେ ଅଧ୍ୟକ୍ଷତା କରିଥିଲେ। ଏନ୍ଆଇଟି ନିର୍ଦ୍ଦେଶକ ପ୍ରଫେସର ଅନିମେଶ ବିଶ୍ୱାସ ସ୍ୱାଗତ ଭାଷଣ ଦେବା ସହ ପ୍ରତିଷ୍ଠାନର ବିବରଣୀ ପାଠ କରିଥିିଲେ। ଏନ୍ସିସି ଗ୍ରାଉଣ୍ଡରେ ଅନୁଷ୍ଠିତ ଉତ୍ସବ ପ୍ରାରମ୍ଭରେ ଏକ ଏକାଡେମିକ ଶୋଭାଯାତ୍ରା ସଭାସ୍ଥଳରେ ପହଞ୍ଚିଥିଲା। ଏହା ପରେ ୧୪୨୧ ଜଣ ବିଦ୍ୟାର୍ଥୀଙ୍କୁ ଡିଗ୍ରୀ ଓ ୧୦ ଜଣଙ୍କୁ ସ୍ୱର୍ଣ୍ଣ ପଦକ ପ୍ରଦାନ କରାଯାଇଥିଲା। ସମସ୍ତ ଡିଗ୍ରୀଧାରୀ ଓ ମେଡାଲିଷ୍ଟ ଦୀକ୍ଷାନ୍ତ ଶପଥ ପାଠ କରିଥିଲେ। ଉତ୍ସବକୁ ପ୍ରଫେସର କେ.କେ ମହାପାତ୍ର, ପ୍ର. ଏସ୍. ମେହେର, ପ୍ର. ବି.ସି. ରାୟ, ପ୍ର. ଜି. ବେରା, ପ୍ର. ଏ.କେ. ପଣ୍ଡା, ପ୍ର. ଏସ୍. ପାଣିଗ୍ରାହୀ, ପ୍ର. ଏମ.ଆର୍. ବାରିକ, କୁଳସଚିବ ଇଂ. ଏସ୍.କେ. ଉପାଧ୍ୟାୟ, ପ୍ର. ବି.କେ. ନନ୍ଦ, କେ.ପି. ପାଣିଗ୍ରାହୀ ପ୍ରମୁଖ ପରିଚାଳନା କରିଥିଲେ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2018/01/pp1.jpg)